ଆଜି ଶ୍ରୀଜୀଉଙ୍କ ଖସାପଡ଼ା ନୀତି, ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ : ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ଖସାପଡ଼ା ନୀତି । ଶ୍ରୀଜିଉଙ୍କ ଭୋଗମଣ୍ଡପ ନୀତି ପରେ ଏହି ଖସାପଡ଼ା ନୀତି ହେବ। ଏଥିପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଚୂଡାନ୍ତ ହୋଇଛି । ଫଳରେ ଅପରାହ୍ନ ୪ଟାରୁ ରାତି ୮ଟା ଯାଏ ୪ଘଣ୍ଟା କାଳ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ଖସାପଡା ନୀତିରେ ଶ୍ରୀଜୀଉଙ୍କ ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ । ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଏ । ତେଣୁ ଏହି ସମୟରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥାଏ । ବର୍ଷକର ଦୁଇରୁ ତିନି ଥର ଶ୍ରୀଜୀଉଙ୍କ ଖସାପଡା ନୀତି ସମ୍ପାଦନ କରାଯାଇଥାଏ ।
ଚୈତ୍ର ଶୁକ୍ଳ ତୃତୀୟା ତିଥିରେ ଶ୍ରୀଜିଉଙ୍କ ଖସାପଡ଼ା ଲାଗି ନୀତି ହୁଏ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଅର୍ଥାତ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ନୀତିକାନ୍ତି ହେବ । ତେଣୁ ଚାରି ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହି ନୀତି ଦଇତାପତି ସେବକମାନଙ୍କ ଦ୍ୱାରା ସମ୍ପାଦିତ ହେବ ।