ଆଜି ଦ୍ୱିତୀୟ ଦିନିକିଆ : ଭାରତ ପାଇଁ କର ବା ମର, ସିରିଜ୍ ବିଜୟ ଲକ୍ଷ୍ୟରେ ଦକ୍ଷିଣଆଫ୍ରିକା
ନୂଆଦିଲ୍ଲୀ : ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ । ବୋଲୋଣ୍ଡ ପାର୍କରେ ଦ୍ୱିତୀୟ ଦିନିକିଆ ଖେଳାଯିବାକୁ ଥିବାବେଳେ ଉଭୟ ଟିମ ବିଜୟ ଲକ୍ଷ୍ୟରେ ରହିଛନ୍ତି । ପ୍ରଥମ ଦିନିକିଆକୁ ୩୧ ରନରେ ଜିତିନେବା ପରେ ଏବେ ସିରିଜ୍ ଜିତିବା ଲକ୍ଷ୍ୟରେ ରହିଛି ଘରୋଇ ଦକ୍ଷିଣ ଆଫ୍ରିକା । ଏପଟେ ସିରିଜ୍ ବରାବର କରିବା ପାଇଁ କର ବା ମର ସ୍ଥିତିରେ ଟିମ୍ ଇଣ୍ଡିଆ ।
ପ୍ରଥମ ଦିନିକିଆରେ ଅଧିନାୟକ ଭାର ସମ୍ଭାଳିଥିବା ଲୋକେସ୍ ରାହୁଲ ଫେଲ ମାରିବା ପରେ ଦ୍ୱିତୀୟ ମ୍ୟାଚରେ ଦଳ ତାଙ୍କଠାରୁ ବଡ ଇନିଂସ ଆଶା କରୁଛି । ଶ୍ରେୟସ ଆୟର, ଋଷଭ ପନ୍ତ ଏବଂ ଭେଙ୍କଟେସ୍ ଆୟର ମଧ୍ୟ ପ୍ରଥମ ମ୍ୟାଚରେ ବେପରୁଆ ଭାବେ ୱିକେଟ୍ ଫିଙ୍ଗିଥିଲେ । ତେବେ ଦ୍ୱିତୀୟ ମ୍ୟାଚରେ ଏମାନଙ୍କ ଠାରୁ ବଡ ଇନିଂସ ଆଶା କରାଯାଉଛି । ବିରାଟ କୋହଲି ଅଧିନାୟକ ଥିବାବେଳୁ ହିଁ ମିଡିଲ୍ ଅର୍ଡରରେ ସଂଘର୍ଷ କରୁଛି ଭାରତୀୟ ଦଳ । ଯାହାର ସମାଧାନ ବର୍ତମାନ ସୁଦ୍ଧା ହୋଇପାରି ନାହିଁ । ଦୀର୍ଘଦିନ ହେଲା ଫର୍ମରେ ନଥିବା ଶିଖର ଧାୱନ କିନ୍ତୁ ନିଜକୁ ପ୍ରମାଣିତ କରିଦେଖାଇଛନ୍ତି । ପ୍ରଥମ ଦିନିକିଆରେ ସେ ଗୁରୁତ୍ୱପୂର୍ଣ୍ଣ ୭୯ରନ କରି ଭାରତୀୟ ଦଳକୁ ଏକ ମଜବୁତ ଆରମ୍ଭ ଦେଇଥିଲେ । କିନ୍ତୁ ଧାୱନଙ୍କ ୱିକେଟ ଯିବାପରେ ଭାରତୀୟ ଦଳର ମଧ୍ୟକ୍ରମ ଏକ ପ୍ରକାର ଭୁଶୁଡିପଡିଥିଲା । ଆଉ ଏକ ବଡ ପ୍ରଶ୍ନ ହେଉଛି ଦଳରେ ଭେଙ୍କଟେଶ୍ ଆୟରଙ୍କ ଭଳି ଅଲରାଉଣ୍ଡର ଥିବା ବେଳେ ତାଙ୍କୁ ଦଳ କାହିଁକି ବୋଲିଂ ଦେଇନଥିଲା ଭାନ୍ ଡର୍ ଦୁସେନ୍ ଏବଂ ଟେମ୍ବା ବାଭୁମା କ୍ରିଜ୍ରେ ଭାରତୀୟ ବୋଲରଙ୍କ ଉପରେ ଭାରିପଡୁଥିବା ବେଳେ ଦଳ କିନ୍ତୁ ଭେଙ୍କଟେଶ୍ ଆୟରଙ୍କୁ ଉପଯୋଗ କରିନଥିଲା । ତେବେ ଆୟରଙ୍କୁ ଯଦି ବ୍ୟାଟ୍ସମ୍ୟାନ ଭାବେ ଦଳରେ ସାମିଲ କରାଯାଇଥିଲା ତେବେ ତାଙ୍କ ବଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ କାହିଁକି ବାଦ୍ ଦିଆଯାଇଥିଲା ତାହା ମଧ୍ୟ ଏକ ବଡ ପ୍ରଶ୍ନ । ଦ୍ୱିତୀୟ ଦିନିକିଆ ମଧ୍ୟ ସେହି ଗ୍ରାଉଣ୍ଡରେ ଖେଳାଯିବ ଯେଉଁଠାରେ ପ୍ରଥମ ଦିନିକିଆ ଖେଳାଯାଇଥିଲା । ପୂର୍ବଭଳି ପିଚ୍ ଧିମା ରହିବ । ତେଣୁ ସ୍ପିନରଙ୍କୁ ସୁହାଇବ ଏବଂ ଅନ୍ୟପଟେ ଦେଖିବାକୁ ଗଲେ ରନ୍ କରିବା ମଧ୍ୟ ସହଜ ହେବ ।
ସମ୍ଭାବ୍ୟ ଭାରତୀୟ ଦଳ: ଲୋକେସ ରାହୁଲ (ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଋଷଭ ପନ୍ତ(ୱିକେଟ୍ କିପର), ଶାର୍ଦ୍ଦୁଲ ଠାକୁର, ଯୁଜବେନ୍ଦ୍ର ଚହଲ, ଆର୍ ଅଶ୍ୱିନ, ଭୁବନେଶ୍ୱର କୁମାର ଏବଂ ଜସପ୍ରୀତ ବୁମରାହ ।
ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଦଳ: ଟେମ୍ବା ବାଭୁମା(ଅଧିନାୟକ), କେଶବ ମହାରାଜ, କ୍ୱିଂଟନ୍ ଡିକକ୍(ୱିକେଟ୍ କିପର), ମାର୍କୋ ଜନସେନ୍, ଜାନେମନ୍ ମଲାନ, ଏଡେନ୍ ମାର୍କରମ, ଡେଭିଡ ମିଲର, ଲୁଙ୍ଗି ଏନ୍ଗିଡି, ଏଣ୍ଡିଲେ ଫେଲୁକବାୟୋ, ତବରେଜ୍ ସମସୀ ଏବଂ ରାସୀ ଭାନ୍ ଡର୍ ଦୁସେନ୍ ।