ଆଜି ଶାମ୍ବ ଦଶମୀ! ଜାଣନ୍ତୁ କାହିଁକି ପାଳନ କରାଯାଏ, ପୂଜାବିଧି ଓ ପୌରାଣିକ କିମ୍ବଦନ୍ତୀ
ଆଜି ଶାମ୍ବ ଦଶମୀ । ଏହି ଦିନ ମୁଖ୍ୟତଃ ସୂର୍ଯ୍ୟଦେବତାଙ୍କୁ ପୂଜା କରିବା ସହ ବାଇଗଣ ପତ୍ରରେ ଜାଉ ,ପିଠା ଓବିଭିନ୍ନ ପନିପରିବାରେ ଘାଣ୍ଟ ତରକାରୀ ପୟସ୍ତୁତ କରାଯାଇ ସୁର୍ଯ୍ୟଦେବତାଙ୍କୁ ସର୍ମପଣ କରାଯାଇ ଛୋଟ ଛୋଟ ପିଲାଙ୍କୁ ଖାଇବାକୁ ଦିଆଯାଏ ।
ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଶାପଗସ୍ତ ହୋଇ କୃଷ୍ଠ ରୋଗରେ ପିଡିତ ହୋଇଥିଲେ । ଗର୍ଗମୁନୀଙ୍କ ପରାମର୍ଶରେ ସକଳ ଶକ୍ତିର ଆଧାର ସୂର୍ୟ୍ୟଙ୍କର ପୂଜା କରି ଆରୋଗ୍ୟ ଲାଭ କରିଥିଲେ ।ଫଳରେ ସେବେଠାରୁ ଏହି ବ୍ରତ ପାଳନ କରାଯାଉଥିବା ନେଇ ଶ୍ରଦ୍ଧାଳୁଙ୍କ ଧାର୍ମିକ ବିଶ୍ୱାସ ରହିଛି । ସନ୍ତାନମାନଙ୍କ ମଙ୍ଗଳକାମନା କରି ଏହି ପର୍ବକୁ ନିଷ୍ଠାର ସହ ପାଳନ କରାଯାଏ।ଆଜି ଅର୍କକ୍ଷେତ୍ର କୋଣାର୍କରେ ସୂର୍ୟ୍ୟ ପୂଜା ପାଇଁ ଶ୍ରଦ୍ଧାଳୁଙ୍କର ଭିଡ ଲାଗି ରହିଥାଏ ।
କାହିଁକି ପାଳନ କରାଯାଏ :
ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ବ, ଯେପରି କୁମାରପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ । ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳ ଦଶମୀ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶ ପର୍ବ ପାଳିତ ହୋଇଥାଏ । ଏହି ସମୟ ମଧ୍ୟରେ ପାଳିତ ହେଉଥିବା ପବପର୍ବାଣିରେ ଏଥିପାଇଁ ଗାଉଁଲୀ ଢଗ ରହିଛି ଯଥା-“”ଅଇଲା ଚିତୋଉ ନାନୀ/ ବାରଓଷା ପର୍ବ ସଙ୍ଗରେ ଘେନି, ଶମ୍ବର ଦଶମୀ ଅଲଣାଦାଉ/ ସବୁ ଓଷା ବାର ଏଇଠି ଥାଉ ।”
ଶାମ୍ବ ଦଶମୀକୁ ଚାନ୍ଦ୍ରମାନ ବର୍ଷର ଶେଷ ପର୍ବ କହିବାର ତାତ୍ପର୍ଯ୍ୟ ହେଉଛି ଏହାପରେ ଚିତାଲାଗି ଅମାବାସ୍ୟା ପର୍ଯ୍ୟନ୍ତ ପ୍ରାୟ ଛଅମାସ ପର୍ଯ୍ୟନ୍ତ ଆଉ ଏତେ ପିଠାପଣାର ପର୍ବ ପଡ଼େ ନାହିଁ । ଓଡ଼ିଆଙ୍କ ସୁସ୍ୱାଦୁ, ସୁମିଷ୍ଟ, ତୃପ୍ତିକର ଖାଦ୍ୟ ପ୍ରସ୍ତୁତି ଦକ୍ଷତାର ଅସଲ ନିଦର୍ଶନା କଥା ଅଛି-“”ଶମ୍ବର ଦଶମୀରେ ମଣିଷ ଗୋଟିଏକୁ ପିଠା ଗୋଟିଏ ।” କୃଷିପ୍ରଧାନ ଓଡ଼ିଶା ରାଜ୍ୟରେ ଏ ସମୟ ପନିପରିବାର ପ୍ରାଚୁର୍ଯ୍ୟର ସମୟ । ବିଭିନ୍ନ ପନିପରିବାରେ ଏ ପର୍ବରେ ଯେଉଁ ତରକାରୀ ପ୍ରସ୍ତୁତ ହୁଏ, ତାକୁ “ଘଡ଼ଘଡ଼ା ତିଅଣ” କୁହାଯାଏ । ଏହି ପର୍ବର ମୁଖ୍ୟ ହେଉଛି ଏହି ଘାଣ୍ଟ ତରକାରୀ ଘଡ଼ାଘଡ଼ା ତିଅଣ ।
ପୂଜାବିଧି :
ନାରୀମାନେ ନିଜ ସନ୍ତାନସନ୍ତତିଙ୍କ ମଙ୍ଗଳ କାମନା କରି ଶାମ୍ବଦଶମୀ ପର୍ବ ନିଷ୍ଠାର ସହ ପାଳନ କରନ୍ତି । ଏହି ପର୍ବର ବିଶେଷତ୍ୱ ହେଉଛି ସୂର୍ଯ୍ୟଙ୍କର ଆକାଶରେ ତିନି ସ୍ଥିତିକୁ ଲକ୍ଷ୍ୟ କରି ଘରେ ତିନି ପ୍ରକାର ଧୂପ ବା ପୂଜା ଅନୁଷ୍ଠିତ ହୋଇଥାଏ । ଅରୁଣୋଦୟ ସମୟରେ ପ୍ରଥମ ଧୂପ ହୁଏ । ହିନ୍ଦୁ ନାରୀ ଶୁଦ୍ଧପୂତ ଶୁଚିମନ୍ତ ହୋଇ ଏହି ମୂହୁର୍ତ୍ତରେ ଫଳମୂଳ ଓ ମିଷ୍ଟାନ୍ନ ଇତ୍ୟାଦି ନୈବେଦ୍ୟ ବାଢ଼ନ୍ତି । ଏହି ବ୍ରାହ୍ମମୁହୂର୍ତ୍ତରେ ପୂଜାନୈବେଦ୍ୟ ବା ପ୍ରଥମ ଧୂପ ଅନୁଷ୍ଠାନ କରି ସୂର୍ଯ୍ୟପୁରାଣ ପାରାୟଣ କରିଥାନ୍ତି । ମଧ୍ୟାହ୍ନରେ ମଧ୍ୟାହ୍ନ ସୂର୍ଯ୍ୟ ତେଜୋଦୀପ୍ତ ଭାସ୍କରଙ୍କୁ ଦ୍ୱିତୀୟ ଧୂପ ଦିଆଯାଏ । ଏହା ଶାମ୍ବ ଦଶମୀର ମୁଖ୍ୟ ଧୂପ । ଏଥିରେ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡ଼ି, ଘଡ଼ଘଡ଼ା ତିଅଣ ଆଦି ଭୋଗ ହୁଏ । ଶେଷଧୂପ ବା ତୃତୀୟ ଧୂପ ହେଉଛି ସନ୍ଧ୍ୟା ସମୟର ଅସ୍ତାଚଳଗାମୀ ସୂର୍ଯ୍ୟଦେବଙ୍କ ନିମିତ୍ତ । ଏହି ଧୂପରେ ମଧ୍ୟ ଏଣ୍ଡୁୁରି, କାକରା, ମାଲପୁଆ, ଗଜା ଆଦି ନୈବେଦ୍ୟ ଅର୍ପଣ କରାଯାଇଥାଏ ।
ପୌରାଣିକ କିମ୍ବଦନ୍ତୀ :
ପୌରାଣିକ କିମ୍ବଦନ୍ତୀ ଅନୁସାରେ, କୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଷପ୍ତ ହୋଇ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲ । ଚନ୍ଦ୍ରଭାଗାରେ ବୁଡ଼ ପକାଇବା ସହ ସୂର୍ଯ୍ୟ ଦେବତାଙ୍କ ଆରାଧନା କରିବା ପରେ ସେ କୁଷ୍ଠ ରୋଗରୁ ଭଲ ହୋଇଥିବା କୁହାଯାଏ। ଏହି ଦିନରେ ସୂର୍ଯ୍ୟ ଦେବତାଙ୍କ ପୂଜା ଲାଗି ବିଭିନ୍ନ ପ୍ରକାରର ପିଠା, ମିଠା ପ୍ରସ୍ତୁତ କରିବା ସହ ଘାଣ୍ଟ ତରକାରୀ ଭୋଗ ଲଗାଯାଏ।
ଅନ୍ୟପଟେ ଆଜି କୋଣାର୍କରେ ସୂର୍ଯ୍ୟ ରଥ ଯାତ୍ରା ଅନୁଷ୍ଠିତ ହେବ । ହୋମ ଓ କଳସ ସ୍ଥାପନ ପରେ ସୂର୍ଯ୍ୟ ଦେବତାଙ୍କ ବିଗ୍ରହକୁ ରଥାରୁଢ଼ କରାଯିବ । ପରେ ରଥ ଉପରେ ୧୦୮ କାକରା, ବରା ଓ ପୋଡ଼ପିଠା ଲାଗି ହେବ । ଏହି ରଥ ୨୭ ଦିନ ପର୍ଯ୍ୟନ୍ତ ଚନ୍ଦ୍ରଭାଗାରେ ରହି ୨୭ ନକ୍ଷତ୍ରରେ ପୂଜାର୍ଚ୍ଚନା ପରେ ମାଘ ସପ୍ତମିରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ ।