ଆଜି ଚତୁର୍ଦ୍ଧାବିଗ୍ରହଙ୍କ ନୀଳାଦ୍ରି ବିଜେ, ଅପରାହ୍ନ ୪ଟାରେ ପହଣ୍ଡି
ପୁରୀ : ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାରେ ରଥଯାତ୍ରା ଶେଷ ହେବା ସହିତ ସରିଲା ମହାପ୍ରଭୁଙ୍କ ୧୨ ଦିନିଆ ଜନ୍ମବେଦୀ ଲୀଳା । ଆଜି ଚତୁର୍ଦ୍ଧାବିଗ୍ରହଙ୍କ ନୀଳାଦ୍ରି ବିଜେ । ରଥ ଉପରେ ଥିବା ମହାପ୍ରଭୁଙ୍କୁ ଗୋଟି ପହଣ୍ଡିରେ ରତ୍ନବେଦୀକୁ ବିଜେ କରାଇବେ ସେବାୟତମାନେ । ନୀଳାଦ୍ରି ବିଜେ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଶ୍ରୀମନ୍ଦିର ରତ୍ନବେଦୀରେ ଉଭା ହେବେ ଶ୍ରୀବିଗ୍ରହ । ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ବାରଣ ନାହିଁ । ହେଲେ କାଳିଆସାଆନ୍ତଙ୍କ ବାଟ ଓଗାଳିବେ ମା’ଲକ୍ଷ୍ମୀ ଠାକୁରାଣୀ ।
ଠାକୁରଙ୍କ ମାନବୀୟ ଲୀଳାର ବିଶେଷ ପର୍ବ ଲକ୍ଷ୍ମୀ-ନାରାୟଣ କଳି ସମ୍ପନ୍ନ ହେବ । ଶେଷରେ ଶ୍ରୀଜଗନ୍ନାଥ ରସଗୋଲା ଦେଇ ଲକ୍ଷ୍ମୀ ଠାକୁରାଣୀଙ୍କ ମନ ଜିଣିଲା ପରେ ମନ୍ଦିର ପ୍ରବେଶକୁ ମିଳିବ ଅନୁମତି। ରଥ ଉପରେ ଶ୍ରୀଜୀଉମାନଙ୍କ ସଂନ୍ଧ୍ୟାଧୂ ନୀତି ସମ୍ପନ୍ନ ହେବା ପରେ ଚାରମାଳ ବନ୍ଧା ହେବ । ବିଜେ କାହାଳୀ ବାଜିବା ପରେ ବନ୍ଦାପନାଓ ଡ଼ୋରଲାଗି ନୀତି ଅନୁଷ୍ଠିତ ହେବ । ଗୋଟି ପହଣ୍ଡିରେ ପ୍ରଥମେ ଶ୍ରୀସୁଦର୍ଶନ, ପରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁର ଶ୍ରୀମନ୍ଦିରକୁ ବିଜେ କରିବେ । ମାଆ ମହାଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ରସଗୋଲା ଭୋଗ କରାଯିବା ସହ ରୁକ୍ମିଣୀ ବିବାହର ଗଇଁଠାଳ ଫିଟିବ । ଧାର୍ଯ୍ୟ ସମୟ ଅନୁସାରେ ସାଢେ୧ଟାରେ ସନ୍ଧ୍ୟାଧୂପ ନୀତି ସରିବା ପରେ ପହଣ୍ଡି ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ରଥରେ ଚାରମାଳ ବନ୍ଧାଯିବ । ସିଂହାସନ ମାଜଣା ହେବ । ପୁଷ୍ପାଞ୍ଜଳି ଅର୍ପଣ କରାଯାଇ ବିଜେ କାହାଳି ବାଜିଲେ ପହଣ୍ଡି ଆରମ୍ଭ ହେବ । ଅପରାହ୍ନ ୪ଟାରେ ପହଣ୍ଡି ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ଧାର୍ଯ୍ୟ ହୋଇଛି । ପହଣ୍ଡି ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ସରି ଅଖଣ୍ଡ ବଇଠା ମଧ୍ୟ ବସିଥାଏ ।
ସୂଚନା ଯେ, ଗୁରୁବାର ଅଧରପଣା ନୀତି ଶେଷ ହେବା ପରେ ନୀଳାଦ୍ରି ବିଜେ ପାଇଁ ଆବଶ୍ୟକ ନୀତି ଆରମ୍ଭ ହୋଇଯାଇଛି । ଏହି ଅନୁସାରେ ଶୁକ୍ରବାର ଭୋର ୪ଟାରୁ ତିନି ରଥରେ ମଙ୍ଗଳ ଆଳତି କରାଯାଇଛି । ସାଢ଼େ ୪ଟାରେ ମଇଲମ ଓ ତଡ଼ପଲାଗି, ସକାଳ ୫ଟାରେ ଅବକାଶ ନୀତି ପରେ ବେଶ ଶେଷ ହୋଇଛି । ୬ଟା ୩୦ରେ ମହାପ୍ରଭୁଙ୍କ ଗୋପାଳବଲ୍ଲଭ, ୭ଟାରୁ ୮ଟା ସକାଳଧୂପ, ୮ଟା ୩୦ରେ ମଇଲମ, ୯ଟା ୩୦ରେ ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ, ୧୦ଟାରେ ବେଶ ଶେଷ, ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ମଧ୍ୟାହ୍ନ ଧୂପ, ପୂର୍ବାହ୍ନ ୧୧ଟା ୪୫ରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ମଇଲମ ଓ ବେଶ, ୧୨ଟା ୧୫ରେ ସନ୍ଧ୍ୟା ଆଳତି, ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୧ଟା ୩୦ ଯାଏଁ ସନ୍ଧ୍ୟା ଧୂପ ନୀତି ଅନୁଷ୍ଠିତ ହେବ । ସେହିପରି ଦିନ ଗୋଟିଏରୁ ୩ଟା ୩୦ ମଧ୍ୟରେ ତିନି ରଥରେ ଚାରବନ୍ଧା ସରିବା ପରେ ୩ଟାରେ ସିଂହାସନ ମାଜଣା କରାଯିବ । ୩ଟା ୫୦ରେ ପୁଷ୍ପାଂଜଳି ପରେ ଅପରାହ୍ନ ୪ଟାରେ ପଣ୍ଡି ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ରାତି ୧୦ଟା ସୁଦ୍ଧା ପହଣ୍ଡି ଶେଷ ହେବା ପରେ ରୁଦ୍ଧା କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ରାତି ୨ଟା ୩୦ରେ ସୁଦର୍ଶନ ସିଂହାସନକୁ ବିଜେ କରିବେ । ରାତି ୨ଟା ୪୫ରେ ଚକା ପୋଛା, ୩ଟାରେ ସିଂହାସନ ଧୁଆ, ୩ଟା ୧୦ରେ ମାଧବ, ଶ୍ରୀଦେବୀ, ଭୂଦେବୀ ସିଂହାସନକୁ ବିଜେ କରିବେ । ୩ଟା ୩୦ରେ ମହାସ୍ନାନ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ରାତି ୩ଟା ୩୫ରେ ରୋଷହୋମ, ମଇଲମ, ୩ଟା ୪୫ରେ ଚନ୍ଦନଲାଗି ପରେ ୪ଟାରେ ସୂର୍ଯ୍ୟପୂଜା, ୪ଟା ୧୫ରେ ଦ୍ୱାରପାଳ ପୂଜା, ବଡ଼ସିଂହାର ବେଶ, ୪ଟା ୪୫ରେ ବଡ଼ସିଂହାର ଭୋଗ ହୋଇ ୫ଟାରେ ପହୁଡ଼ ପଡ଼ିବ ।