ରାଜ୍ୟରେ ଆଉ ୪୪୩ କରୋନା ସଂକ୍ରମିତ ଚିହ୍ନଟ
- ଗତ ୨୪ ଘଣ୍ଟାରେ ୦ରୁ ୧୮ ବର୍ଷର ୭୫ ଜଣ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଉପରତଳ ହେଉଛି ମହାମାରୀ କରୋନା ଗ୍ରାଫ୍ । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ସେପ୍ଟେମ୍ବର ପରେ ଅକ୍ଟୋବର ବି ଆଣିଦେଉଛି ଆଶ୍ୱସ୍ତିକର ଖବର । ଏହାରି ମଧ୍ୟରେ ରବିବାର ୧୯ଟି ଜିଲା ଏବଂ ରାଜ୍ୟ ପୁଲରୁ ଗତ ୨୪ ଘଣ୍ଟା ମଧ୍ୟରେ ୪୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୫୮ ଓ ସ୍ଥାନୀୟ ଅଞ୍ଚଳରୁ ୧୮୫ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୭୫ ଜଣ ପଜିଟିଭ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୫ହଜାର ୦୭୭କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ଜଣେ ଥିବାବେଳେ ବାଲେଶ୍ୱରରୁ ୧୪ଜଣ, ବରଗଡ଼ରୁ ୨ଜଣ, ଭଦ୍ରକରୁ ୫ଜଣ, ବଲାଙ୍ଗୀରରୁ ୩ଜଣ, କଟକରୁ ୨୭ଜଣ, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ୭ଜଣ, ଯାଜପୁରରୁ ୧୧ଜଣ, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡ଼ାରୁ ୧୦ଜଣ, ଖୋର୍ଦ୍ଧାରୁ ୨୪୩ଜଣ, କୋରାପୁଟରୁ ୪ଜଣ, ମୟୁରଭଞ୍ଜରୁ ୨୦ଜଣ, ନୟାଗଡ଼ରୁ ୪ଜଣ, ପୁରୀରୁ ୧୩ଜଣ, ରାୟଗଡ଼ାରୁ ୨ଜଣ, ସମ୍ବଲପୁରରୁ ୬ଜଣ, ସୁନ୍ଦରଗଡ଼ରୁ ୧୧ଜଣ ଓ ରାଜ୍ୟ ପୁଲରୁ ୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୧୦ଲକ୍ଷ ୩୫ହଜାର ୦୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୦ଲକ୍ଷ ୨୧ହଜାର ୭୪୨ ଜଣ ସୁସ୍ଥ ହୋଇଥିବା ବେଳେ ୪ହଜାର ୯୯୭ ଜଣ ସକ୍ରିୟ ମାମଲା ରହିଛି । ଏବେ ସୁଦ୍ଧା ରାଜ୍ୟରେ ୨,୧୦,୬୧,୧୫୭ ସାମ୍ପୁଲ ଟେଷ୍ଟ୍ ହୋଇଛି ।