କରୋନା ମାମଲାରେ ଆଶ୍ୱସ୍ତିକର ଖବର : ଦେଶରେ ଆଉ ୭,୪୫୦ କରୋନା ସଂକ୍ରମିତ ଚିହ୍ନଟ ଓ ୨୦୨ ମୃତ
ନୂଆଦିଲ୍ଲୀ : ଦେଶରେ କୋରୋନା ମାମଲାରେ ଲଗାତର ହ୍ରାସ ଘଟିବାରେ ଲାଗିଛି । ସୋମବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭ ହଜାର ୪୫୦ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦୨ ସଂକ୍ରମିତଙ୍କର ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭,୯୭୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୮୨୫ ସକ୍ରିୟ ମାମଲାରେ ହ୍ରାସ ଘଟିଛି ।
ଦେଶରେ ସବୁଠାରୁ ଅଧିକ କୋରୋନା ମାମଲା କେରଳରୁ ଆସୁଛି । କେରଳରେ ରବିବାର ୩,୭୭୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ରାଜ୍ୟରେ ମୋଟ ମାମଲା ୫୧ ଲକ୍ଷ ୯୪ ହଜାର ୬୦୫କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ନୂଆ ୩୪ ଓ ପୁରୁଣା ରେକର୍ଡ ଅନୁଯାୟୀ ୧୪୩ ଜଣ ରୋଗୀ ମହାମାରୀ ହେତୁ ମୃତ୍ୟୁ ବରଣ କରିଛନ୍ତି । ଯାହା ପରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୨,୯୬୭ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩,୮୫୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୫୧,୧୨,୬୨୦ କୋରୋନା ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି । ରାଜ୍ୟରେ ବର୍ତ୍ତମାନ ସମୟରେ ୩୮,୩୬୧ କୋରୋନାର ସକ୍ରିୟ ମାମଲା ରହିଛି । ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୪୬ ଲକ୍ଷ ୯୭ ହଜାର ୮୬୦ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୪୧ ଲକ୍ଷ ୩୦ ହଜାର ୭୬୮ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୯୧ ହଜାର ୪୫୬ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୭୫ ହଜାର ୬୩୬ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଡିସେମ୍ୱର ୧୨ ପର୍ଯ୍ୟନ୍ତ ସାରା ଦେଶରେ ୧୩୩ କୋଟି ୧୭ ଲକ୍ଷ ୮୪ ହଜାର ୪୬୨ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯ ଲକ୍ଷ ୧୦ ହଜାର ୯୧୭ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୬୫ କୋଟି ୬୬ ଲକ୍ଷ ୭୨ ହଜାର ୪୫୧ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୮ ଲକ୍ଷ ୫୫ ହଜାର ୬୯୨ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୨ ପ୍ରତିଶତର କମ୍ ରହିଛି ।