ରାଜ୍ୟରେ କରୋନା ସଂକ୍ରମିତ ଆଉ ୪୨ ମୃତ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଶନିବାର ଗତ ୨୪ ଘଣ୍ଟା ମଧ୍ୟରେ ୩ହଜାର ୪୨୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ୬ ଜଣ ରହିଥିବା ବେଳେ କଟକ, ଝାରସୁଗୁଡା, ପୁରୀ ଓ ସୁନ୍ଦରଗଡରୁ ୪ ଜଣ ଲେଖାଏଁ, କେନ୍ଦ୍ରାପଡା, ବାଲେଶ୍ଵର ଓ କୋରାପୁଟରୁ ୩ ଜଣ ଲେଖାଏଁ, ଅନୁଗୁଳ, ମାଲକାନଗିରି, ମୟୂରଭଞ୍ଜ ଓ ନୂଆପଡାରୁ ୨ ଜଣ ଲେଖାଏଁ, କଳାହାଣ୍ଡି, ରାୟଗଡା, ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୩୫୫୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୮,୭୩,୯୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮,୨୯,୮୫୧ଜଣ ସୁସ୍ଥ ହୋଇଥିବା ବେଳେ ୪୦,୪୭୧ ଜଣ ସକ୍ରିୟ ମାମଲା ରହିଛି । ସେହିପରି କରୋନାରେ ୩,୫୫୦ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।