ଜଳକାରେ ତୃତୀୟ ବନ୍ୟା; ୫ ଶହ ହେକ୍ଟର ଚାଷ ଜମି ଜଳାର୍ଣ୍ଣବ
ଦୁଇ ଦିନ ଧରି ବିପଦ ସଂକେତ ଉପରେ ଜଳସ୍ତର
ବସ୍ତା : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀରେ ସୋମବାର ଚଳିତ ବର୍ଷର ତୃତୀୟ ଥର ପାଇଁ ବନ୍ୟା ଆସିଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ୫ ଶହରୁ ଉର୍ଦ୍ଧ୍ୱ ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି । ବନ୍ୟାକୁ ନେଇ ଚାଷୀକୁଳ ଘୋର ଚିନ୍ତାରେ ଦିନ ବିତାଉଛନ୍ତି । ଜଳକା ନଦୀର ଜଳସ୍ତର ରବିବାର ଠାରୁ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।
ରବିବାର ଅପରାହ୍ନ ୧ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲା । ନଦୀର ମଥାନୀ ଠାରେ ବିପଦ ସଂକେତ ୫.୫୦ ମିଟର ଥିବାବେଳେ ଅପରାହ୍ନ ୪ ଟା ସୁଦ୍ଧା ୬ ମିଟରରେ ପ୍ରବାହିତ ହେଉଥିଲା । ରାତି ୯ଟା ସୁଦ୍ଧା ପୁଣି ଜଳସ୍ତର ବୃଦ୍ଧି ହୋଇ ୬.୧୩ ମିଟରରେ ପହଞ୍ଚିଥିଲା । ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ସୋମବାର ଅପରାହ୍ନ ୪ଟା ସୁଦ୍ଧା ୬ଟା ୩୪ ମିଟରରେ ଜଳସ୍ତର ପ୍ରବାହିତ ହେଉଥିବା ଜଳସେଚନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ସକାଳେ ନଦୀର ଉପରମୁଣ୍ଡ ମୟୁରଭଞ୍ଜ ଜିଲାର ମୋରଡ଼ା ବ୍ଲକରେ ୧୮ ମିମି ଓ ରସଗୋବିନ୍ଦପୁର ବ୍ଲକ ରେ ୪୦.୬୦ ମିମି ବର୍ଷା ହୋଇଥିବା ଯୋଗୁଁ ଜଳସ୍ତର ବୃଦ୍ଧି ଘଟିଛି । ବସ୍ତା ବ୍ଲକର ଗଡ଼ପଦା, ରାଉତପଡ଼ା, ଦୁଧହଂସା, ବାହାର୍ଦ୍ଦା, ମଥାନୀ, କୁଡ଼ିଆ ସମେତ ସଦର ବ୍ଲକର ଶ୍ରୀରାମପୁର ଓ ରସଲପୁର ପଞ୍ଚାୟତର ୫ ଶହ ହେକ୍ଟରରୁ ଉର୍ଦ୍ଧ୍ୱ ଚାଷ ଜମି ଜଳମଗ୍ନ ରହିଛି ।
ପାଣିପାଗ ବିଭାଗର ସୁଚନା ଅନୁଯାୟୀ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଥିବାରୁ ଜଳସ୍ତର ଅଧିକ ବୃଦ୍ଧି ହୋଇ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ଗତ ଅଗଷ୍ଟ ମାସରେ ଲଗାତାର ଦୁଇ ଥର ବନ୍ୟା ଯୋଗୁଁ ବସ୍ତା ବ୍ଲକରେ ପ୍ରାୟ ୧୪ ଶହ ହେକ୍ଟର ଜମିରେ ଖରିଫ ଚାଷ ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଥିବା ବିଭାଗୀୟ ରିପୋର୍ଟରୁ ଜଣାପଡ଼ିଥିଲା । ପୁଣି ବନ୍ୟାରେ ଚାଷ ବ୍ୟାପକ କ୍ଷତି ହେବାର ଆଶଙ୍କାକୁ ନେଇ ଚାଷୀକୁଳ ମୁଣ୍ଡରେ ହାତ ଦେଇ ବସିଛନ୍ତି । ତହସିଲଦାର କାର୍ତ୍ତିକ କୁମାର ଦାସ, ବିଡ଼ିଓ ଜ୍ଞାନରଞ୍ଜନ ସାହୁ ଓ ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ମହେଶ୍ୱର ସିଂ ପ୍ରମୁଖ ବନ୍ୟାପ୍ଲାବିତ ଚାଷ ଜମି ପରିଦର୍ଶନ କରିବା ସହ ପରିସ୍ଥିତି ପ୍ରତି ନଜର ରଖିଥିବା ପ୍ରକାଶ କରିଛନ୍ତି ।