୨୦୨୪ ପାଇଁ ପାଗ ଭିଡୁଛି ଆମ ଆଦମୀ ପାର୍ଟି ସେପ୍ଟମ୍ବର ୧୮ ବାରିପଦାରେ ଜିଲ୍ଲା ସମ୍ମିଳନୀ
ବାରିପଦା : ସ୍ଥାନୀୟ କଲ୍ୟାଣୀ ମହିଳା ସମିତି ସମ୍ମିଳନୀ କକ୍ଷରେ ମୟୁରଭଂ ଆମ ଆଦମୀ ପାର୍ଟିର ଆଗାମୀ ଜିଲ୍ଲା ସମ୍ମିଳନୀ ପାଇଁ ଏକ ପ୍ରସ୍ତୁତି ବୈଠକ ବରିଷ୍ଠ ସଦସ୍ୟ ଅଧ୍ୟାପକ ଗୋପବନ୍ଧୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ସେପ୍ଟମ୍ବର ୧୮ ତାରିଖ ଦିନ ବାରିପଦାରେ ଜିଲ୍ଲା ସମ୍ମିଳନୀ ହେବାର ଚୁଡାନ୍ତ ହୋଇ ଥିବା ବେଳେ, ଏଥିରେ ପ୍ରତି ବ୍ଲକରୁ ବହୁସକ୍ରୀୟ ସଦସ୍ୟ ଯୋଗଦେବେ ଏବଂ ମିଶ୍ରଣ ପର୍ବର ମଧ୍ୟ ଆୟୋଜନ ମଧ୍ୟ ହେବ । ବୈଠକରେ ମୟୂରଭଂଜ ଜିଲ୍ଲା ପାଇଁ ନବନିଯୁକ୍ତ ଜିଲ୍ଲା ପ୍ରଭାରୀ ଜୟସୂର୍ଯ୍ୟ କାନୁନଗୋ ଯୋଗଦେଇ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାରେ ପାର୍ଟିର କ୍ଷୀପ୍ର ପ୍ରସାରପାଇଁ ଅନୁକୂଳ ପୃଷ୍ଠଭୂମି ରହିଛି ବୋଲି କହିଥିଲେ । ଭ୍ରଷ୍ଟାଚାର ମୁକ୍ତ ବିକଳ୍ପ ରାଜନୀତିକୁ ପସନ୍ଦ କରୁଥିବା ଅନେକ ଲୋକ ଆପ ସହିତ ଯୋଡି ହେଉଛନ୍ତି ବୋଲି ସେ କହିଥିଲେ । ସାଙ୍ଗଠନିକ ବିସ୍ତାର ଓ ଦୃଢତା ପାଇଁ ଏହି ଜିଲ୍ଲା ସମ୍ମିଳନୀ ଆୟୋଜିତ ହେଉଥିବା ବେଳେ, ଆଗକୁ ମୟୂରଭଂଜ ରାଜନୀତିରେ ଏକ ବିରାଟ ପରିବର୍ତନ ଦେଖାଯିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆଜିର ବୈଠକରେ ଆପର ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟିରେ ଯୋଗ ଦେଇଥିବା ନୂତନ ସଦଶ୍ୟ ମାନଙ୍କୁ ଶ୍ରୀ କାନୁନଗୋ ପାର୍ଟିର ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ । ଏହି ଅବସର ରେ ଚନ୍ଦନ କିସ୍କୁ, ନନ୍ଦ ମହାପାତ୍ର, ବିଶ୍ୱବିଜୟ ପଣ୍ଡା, ବାଦଲ ହେମ୍ବ୍ରମ, ସୁକୁମାର ରଂଜନ ପ୍ରଧାନ, ଚିଟୁ ଦେ, କୁନାଲ ମିଶ୍ର, ଚନ୍ଦ୍ରାୟ ହାଁସଦା, ସଂଧ୍ୟାରଣୀ ପାଲବାବୁ, କାଶୀନାଥ ମାହାନା, ଏସକେ ବାବୁ , ପ୍ରିୟଜିତ ମଦିନା, ଦେବାଂଶ ଗୋପ ପ୍ରମୁଖ ବହୁ କର୍ମକର୍ତା ଓ ସଦଶ୍ୟ ଯୋଗ ଦେଇଥିଲେ ।