ନିଜକୁ ବଞ୍ଚାଇବାକୁ ଯାଇ ଛାତ୍ରୀଙ୍କ ଉପରକୁ କପି ଫିଙ୍ଗି ଦେଲେ ଶିକ୍ଷକ : ଏମ୍ପି କରାଇଦେବାର ଭୟ ଦେଖାଇ ୨୫ ହଜାର ଟଙ୍କା ମାଗୁଛନ୍ତି ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ
ବାଲିଆପାଳ : ପରୀକ୍ଷା କେନ୍ଦ୍ରରେ ଛାତ୍ରୀଛାତ୍ରଙ୍କୁ କପି ବାଣ୍ଟୁ ଥିବା ବେଳେ ଅଚାନକ ପରୀକ୍ଷା ନିରୀକ୍ଷକ ଆସିଯିବାରୁ ନିଜକୁ ବଞ୍ଚାଇବାକୁ ଯାଇ ପରୀକ୍ଷା କେନ୍ଦ୍ରର ଜଣେ ଛାତ୍ରୀଙ୍କ ଉପରକୁ କପି ଫିଙ୍ଗି ଦେଲେ ପରୀକ୍ଷା କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକ । ଯାହା ଫଳରେ ଉକ୍ତ ଛାତ୍ରୀଙ୍କ ପାଖରୁ କପି ବାହାରିବା ଯୋଗୁଁ ନିରୀକ୍ଷକ ତାଙ୍କୁ ଏମ୍ପି କରାଇଦେବାର ଭୟ ଦେଖାଇ ଉକ୍ତ ଛାତ୍ରୀଙ୍କୁ ୨୫ ହଜାର ଟଙ୍କା ଦେବା ପାଇଁ ଦାବି କରୁଛନ୍ତି ଉକ୍ତ ପରୀକ୍ଷା କେନ୍ଦ୍ର ର ଅଧୀକ୍ଷକ । ଯାହାକୁ ନେଇ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ଛାତ୍ରୀ ଜଣକ । ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବୋଳଂ ଗ୍ରାମରେ ଥିବା ଇଶ୍ୱର ଚନ୍ଦ୍ର ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନା ଅନୁଯାୟୀ ଗତ ୬ ତାରିଖରେ ଉକ୍ତ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଚାଲିଥିବା ବେଳେ ହଠାତ୍ ପରୀକ୍ଷା କେନ୍ଦ୍ର ଭିତରକୁ ପରୀକ୍ଷା ନିରୀକ୍ଷିକ ଆସିଯିବାରୁ ପରୀକ୍ଷା କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକ ଜଣକ ହାତରେ ଧରିଥିବା କପିଟିକୁ ସଞ୍ଜନା ଜେନା ନାମକ ଜଣେ ଛାତ୍ରୀଙ୍କ ଉପରକୁ ଫିଙ୍ଗି ଦେଇଥିଲେ । ଯାହା ଫଳରେ ଉକ୍ତ ଛାତ୍ରୀଙ୍କ ପାଖରୁ କପି ବାହାରିବା ପରେ ନିରୀକ୍ଷକ ଉକ୍ତ ଛାତ୍ରୀଙ୍କ ଠାରୁ ଆଡ଼ମିଟ୍ କାର୍ଡ଼ ନେଇଯିବା ସହ ଏକ ଫର୍ମରେ ଦସ୍ତଖସ୍ତ କରାଇ ନେଇଥିଲେ । ଯାହାକୁ ନେଇ ଛାତ୍ରୀଜଣକ ଏମ୍ପି ହୋଇଯିବା ଭୟରେ ମାନସିକ ଭାରସାମ୍ୟ ହରାଇ କାନ୍ଦି କାନ୍ଦି ଘରକୁ ଫେରିଥିଲେ । ତେବେ ଶନିବାର ଅଧୀକ୍ଷକ ଦାୟିତ୍ୱରେ ଥିବା ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଛାତ୍ରୀଙ୍କ ପରିବାର ଲୋକଙ୍କୁ ବିଦ୍ୟାଳୟକୁ ଡକାଇ ଘଟଣାର ସମାଧାନ ପାଇଁ ୨୫ ହଜାର ଟଙ୍କା ଦାବି କରିଥିଲେ । ତେବେ ଛାତ୍ରୀ ଜଣକ ଅତ୍ୟନ୍ତ ଗରୀବ ପରିବାରର ହୋଇଥିବାରୁ ଟଙ୍କା ଯୋଗାଡ଼ କରିବାରେ ଅସମର୍ଥ ହେବା ସହିତ ବିନା ଦୋଷରେ ତାଙ୍କ ଝିଅକୁ ଫସେଇ ଦିଆଯାଇ ଥିବାରୁ ନ୍ୟାୟ ପାଇଁ ନିବେଦନ କରିଛନ୍ତି ।
ତେବେ ଏନେଇ ଅଧୀକ୍ଷକ ଦାୟିତ୍ୱରେ ଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରେଶ ଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ନଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଅନ୍ୟପକ୍ଷରେ ଆମେ ଏନେଇ ଜିଲା ଶିକ୍ଷାଧିକାରୀ ବିଷ୍ଣୁ ଚରଣ ସୂତାରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଫୋନ ରିସିଭ୍ କରିନଥିଲେ ।