ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବାକୁ ରାଜ୍ୟ ବୋର୍ଡମାନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ : ମହାମାରୀ କରୋନା କାରଣରୁ ଗତ ଦୁଇ ବର୍ଷ ହେଲା ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରେ ଗତୁକରୁଥିବା ବେଳେ ଏବେବି ପରିସ୍ଥିତି ସୁଧୁରିନି । ଏଭଳି ସ୍ଥିତିରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ନେଇ ଅଧିକ ଚିନ୍ତା ରହିଥିଲା । ମାତ୍ର କିଛି ରାଜ୍ୟ ସଂକ୍ରମଣ ଦୃଷ୍ଟିରୁ ପରୀକ୍ଷା ବାତିଲ୍ କରିଥିବା ବେଳେ ଆଉ କିଛି ରାଜ୍ୟ ଏବେବି ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ମାତ୍ର ଏବେବି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଆଜି ରାଜ୍ୟ ମାନଙ୍କୁ ଚରମ ବାଣି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଆଉ ବିଳମ୍ବ ନକରି ୧୦ ଦିନ ମଧ୍ୟରେ ମୂଳ୍ୟାୟନ ପଦ୍ଧତି ବିଷୟରେ କୋର୍ଟରେ ଦାଖଲ କରିବା ସହିତ ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟ ବୋର୍ଡ ମାନେ ଯେଭଳି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ କରିପାରିତ ସେନଇ ପ୍ରସ୍ତୁତି କରନ୍ତୁ ବୋଲି ଆଜି ସୁପ୍ରିମ କୋର୍ଟ ରାଜ୍ୟ ବୋର୍ଡ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶ କହିଛି ଯେ, କୋଭିଡ୍-୧୯ ମାମଲା ହ୍ରାସ ପାଉଥିବାରୁ ଏବଂ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସମ୍ମତି ପାଇଥିବାରୁ ସେ ୧୨ଶ ଶ୍ରେଣୀ ପରୀକ୍ଷା କରାଇବ। ଜୁଲାଇ ଚତୁର୍ଥ ସପ୍ତାହରେ ‘ଫିଜିକାଲ୍ ମୋଡ୍’ରେ ପରୀକ୍ଷା ହେବ ବୋଲି ଆନ୍ଧ୍ର ପ୍ରଦେଶ ସରକାର ଏକ ସତ୍ୟପାଠରେ କହିଛନ୍ତି। ମାତ୍ର ଏଥିରେ ପ୍ରତିକ୍ରିୟାଶୀଳ ହୋଇ ବିଚାରପତି ଏମ୍ ଖାନୱିଲ୍କର ଏବଂ ଦିନେଶ ମାହେଶ୍ବରୀଙ୍କ ଖଣ୍ଡପୀଠ କହିଲେ ଯେ, ରାଜ୍ୟମାନେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବା ସହ ସୁବ୍ୟବସ୍ଥିତ ଯୋଜନା କରିବା ଆବଶ୍ୟକ। ପିଲାମାନଙ୍କ ଜୀବନ ସହ ଖେଳ ଖେଳିବେ କିପରି? ପରିସ୍ଥିତି ବଡ଼ ଅନିଶ୍ଚିତତା ମଧ୍ୟରେ ଚାଲୁଥିବା ବେଳେ ଯଦି ଜୁଲାଇ ମାସରେ ପରୀକ୍ଷା ହୁଏ, ଫଳାଫଳ ବାହାରିବାରେ ଆହୁରି ବିଳମ୍ବ ହେବ। ଦାଖଲ କରିଥିବା ସତ୍ୟପାଠରେ ଆନ୍ଧ୍ରପ୍ରଦେଶ ସରକାର କହିଛନ୍ତି ଯେ, ପ୍ରାୟ ୫.୨୦ ଲକ୍ଷ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେବେ। ତେଣୁ, ସେଥିପାଇଁ ଦିନେ ଛଡ଼ା ଦିନେ ପରୀକ୍ଷା କରାଇବା ଏବଂ ଗୋଟିଏ ପରୀକ୍ଷା କେନ୍ଦ୍ରରେ ମାତ୍ର ୧୫ ରୁ ୧୮ଜଣ ଛାତ୍ରଛାତ୍ରୀଙ୍କୁ ବସାଯିବା ଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ। କିନ୍ତୁ, ଏ ବିଷୟରେ ହୋଇଥିବା ଚୂଡ଼ାନ୍ତ ବନ୍ଦୋବସ୍ତ ଆସନ୍ତାକାଲି ଉପସ୍ଥାପନ କରିବା ଲାଗି ଅଦାଲତ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଆଦେଶ ଦେଇଛନ୍ତି। କୋଭିଡ୍-୧୯ଜନିତ ପରିସ୍ଥିତି ଯୋଗୁଁ ୧୨ଶ ଶ୍ରେଣୀର ପ୍ରତ୍ୟକ୍ଷ ପରୀକ୍ଷା ବାତିଲ କରିବା ଲାଗି ଆଗତ ଜନସ୍ବାର୍ଥ ମାମଲା ଶୁଣାଣି କରି ସୁପ୍ରିମ୍ କୋର୍ଟ ଆଜି ଏହି ନିର୍ଦେଶ ଦେଇଛନ୍ତି।