୫ ହଜାର ଟଙ୍କା ନେଇ ଧରାପଡିଲେ ବରିଷ୍ଠ କିରାଣୀ
ଝାରସୁଗୁଡା : ଏରିଅର ବିଲ୍ ପାସ୍ କରାଇଦେବା ପାଇଁ ୫ ହଜାର ଟଙ୍କା ଲାଂଚ ନେବା ଅଭିଯୋଗରେ ଝାରସୁଗୁଡା ଜିଲ୍ଲା କିରିମିରା ବ୍ଲକ୍ ଶିକ୍ଷା ଅଫିସ୍ ର ବରିଷ୍ଠ କିରାଣୀ ସରୋଜକାନ୍ତ ନାୟକଙ୍କୁ ଭିଜିଲାନ୍ସ ଅଟକ ରଖିଛି । ଏହା ବ୍ୟତୀତ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଶ୍ରୀ ନାୟକଙ୍କ ୨ ଟି ଠିକଣା ଉପରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ଶ୍ରୀ ନାୟକ ଜଣେ ଶିକ୍ଷୟତ୍ରୀଙ୍କ ମାଟରନିଟି ଲିଭ୍ ସମ୍ପର୍କିତ ଏରିଅର ବିଲ୍ ପାସ୍ କରିବା ପାଇଁ ତାଙ୍କ ସ୍ୱାମୀଙ୍କ ଠାରୁ ୫ ହଜାର ଟଙ୍କା ଦାବି କରିଥିଲେ । ଅଭିଯୋଗକାରୀ ଏହି ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଚଢାଉ କରି ଟଙ୍କା ଜବତ କରିଥିଲେ । ଏନେଇ ରାଉରକେଲା ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି ।