ପାନୀୟ ଜଳ ଖନନକୁ ନେଇ ଦୁଇ ସାହି ମୁହଁମୁହିଁ ଫେରିଗଲା ରିଗ୍ ମେସିନ୍
ନୀଳଗିରି : ନୀଳଗିରି ବ୍ଲକ ମହିଷାପଟା ଗ୍ରା.ପ.ର ଜାମବଣି ଗାଁରେ ପାନୀୟ ଜଳର ସମସ୍ୟାକୁ ନେଇ ବିଗତ ଦିନରେ ଗୋରା , ବାଲତି ଧରି ରାସ୍ତା ଅବରୋଧ ମଧ୍ୟ କରାଯାଇଥିଲା । ମୁଖ୍ୟତଃ ଜାମବଣି ଉପରସାହିରେ ପାଣି ସମସ୍ୟା ରହିଥିବା ବେଳେ ଏହାକୁ ଗୁରୁତ୍ୱ ଦେଇ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଏକ ନୂତନ ପାନୀୟ ଜଳ ଉତ୍ସ ଖନନ ପାଇଁ ଆସିଥିବା ବେଳେ ଜାମୂବଣିର ତଳସାହିରେ ମେସିନ ନେଇ ଖନନ କରାଯାଉଥିବା ବେଳେ ଉପରସାହି ଲୋକେ ଏହାକୁ ବିରୋଧ କରିଥିଲେ । ପାନୀଳୟ ଜଳର ବୋରୱେଲ ଖନନକୁ ନେଇ ଦୁଇ ସାହି ମଧ୍ୟରେ ପାଟିତୁଣ୍ଡ ସହ ପିଟାମରା ମଧ୍ୟ ହୋଇଥିଲା । ପରେ ନୀଳଗିରି ପୋଲିସ ପହଂଚିଲା ପରେ ପରିବେଶ ଶାନ୍ତ ପଡ଼ିଥିଲା । ଉପର ସାହିରେ ବିଦ୍ୟୁତ୍ ସଂଯୋଗ ନ ଥିବା ବେଳେ ଉକ୍ତ ଗାଁରେ ବୋରୱେଲ ଖନନ କରାଗଲେ କିଛି ଉପକାର ହୋଇ ନ ଥାନ୍ତା । ତଳସାହିରେ ପୂର୍ବତନ ସାଂସଦ ଅର୍ଜୁନ ଚରଣ ସେଠୀ ସେଠାରେ ଏକ ବୋରୱେଲ ଖନନ କରି ପାନୀୟ ଜଳ ଯୋଗାଉଥିବା ବେଳେ କାଳକ୍ରମେ ଏହା ଅଚଳ ହୋଇ ପଡ଼ିବାରୁ ଜଳସାହିରେ ମଧ୍ୟ ପାନୀୟ ଜଳର ସମସ୍ୟା ଦେଖିବାକୁ ମଧ୍ୟ ମିଳିଛି । ତଳସାହିରେ ବିଦ୍ୟୁତ୍ ସରବରାହ ରହିଥିବା ଯୋଗୁଁ ଏଠାରେ ବୋରୱୋଲ ଖୋଳା ଯାଉଥିଲା । ଶେଷରେ ସରପଂଚ ରବିନ୍ଦ୍ର ସିଂ ଙ୍କ ହସ୍ତକ୍ଷେପ ପରେ ଖନନ କାର୍ଯକୁ ବନ୍ଦ କରି ମେସିନକୁ ଫେରାଇ ଦେଇଥିଲେ । ପରେ ଉଭୟ ସାହିର ଲୋକମାନଙ୍କୁ ନେଇ ଏକ ବୈଠକ ଡକାଯାଇ ଯାହା ନିଷ୍ପତି ନିଆଯିବ , ସେହି ଅନୁସାରେ ଖନନ କରାଯିବ ବୋଲି ସରପଂଚ ରବିନ୍ଦ୍ର ସିଂ ସୂଚନା ଦେଇଛନ୍ତି ।