ଶପଥ ଗ୍ରହଣ ଉତ୍ସବରେ ଭାରତକୁ ଆମନ୍ତ୍ରିତ କଲେ ନବନିର୍ବାଚିତ ଇରାନ ରାଷ୍ଟ୍ରପତି ରଇସି
ନୂଆଦିଲ୍ଲୀ : ନବନିର୍ବାଚିତ ଇରାନ ରାଷ୍ଟ୍ରପତି ଅୟାତୁଲ୍ଲା ସୈୟଦ ଇବ୍ରାହିମ ରଇସି ଅଗଷ୍ଟ ୫ ତାରିଖରେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ଏଥିଲାଗି ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ଭାରତକୁ ଇବ୍ରାହିମ ରଇସି ଆମନ୍ତ୍ରିତ କରିଛନ୍ତି। ଭାରତୀୟ ବୈଦେଶିକମନ୍ତ୍ରୀ ଏସ୍.ଜୟଶଙ୍କର ୩ ଦିନିଆ ଋଷିଆ ଗସ୍ତ ରାସ୍ତାରେ କିଛି ସମୟ ଲାଗି ତେହେରାନରେ ଅଟକି ଥିଲେ। ଏହି ଅବସରରେ ସେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଭେଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ଲେଖା ଶୁଭେଚ୍ଛାପତ୍ର ପ୍ରଦାନ କରିଛନ୍ତି।
ପଦଭାର ସମ୍ଭାଳିବା ପୂର୍ବରୁ ରଇସିଙ୍କୁ କୌଣସି ବୈଦେଶିକ ଗଣମାନ୍ୟ ବ୍ୟକ୍ତି ଭେଟିବାର ଏହା ପ୍ରଥମ ଘଟଣା। ଏହି ଅବସରରେ ଇରାନର ନୂଆ ନେତା ତାଙ୍କ ଦାୟିତ୍ୱଗ୍ରହଣ ଉତ୍ସବରେ ଭାରତକୁ ଆମନ୍ତ୍ରିତ କରିଥିବା ବେଳେ ବୈଦେଶିକ ମନ୍ତ୍ରୀ ନିମନ୍ତ୍ରଣ ସ୍ୱୀକାର କରିଛନ୍ତି। ଏଥିରୁ ଉତ୍ସବଲାଗି ଆମନ୍ତ୍ରିତ କିଛି ଦେଶଙ୍କ ସୂଚୀରେ ଭାରତ ମଧ୍ୟ ସାମିଲ ହୋଇଛି। ଜୟଶଙ୍କର ଇବ୍ରାହିମ ରଇସିଙ୍କ ସହ ନିଜର ଫଟୋ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ପୋଷ୍ଟ କରିଛନ୍ତି ଓ ତାଙ୍କର ସ୍ୱାଗତ ଲାଗି ପୋଷ୍ଟରେ ଇରାନ ନୂଆ ନେତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଅପରପକ୍ଷେ ଇରାନ ବୈଦେଶକମନ୍ତ୍ରାଳୟ ନିଜ ଟ୍ୱିଟ୍ ହ୍ୟାଣ୍ଡଲରେ ରଇସିଙ୍କ ସହ ଏସ୍.ଜୟଶଙ୍କରଙ୍କ ସାକ୍ଷାତ ଆଲୋଚନା ନେଇ ସୂଚିତ କରାଯାଇଛି। ଯେଉଁଥିରେ ସେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛାବାର୍ତ୍ତା ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଅର୍ପଣ କରିଥିବା ସୂଚିତ କରାଯାଇଛି। ଏହି ରହଣୀକାଳରେ ଜୟଶଙ୍କର ତାଙ୍କ ଇରାନ ପ୍ରତିପକ୍ଷ ମହମ୍ମଦ ଜବାଦ ଜରିଫଙ୍କୁ ମଧ୍ୟ ଭେଟିଥିଲେ। ଉଭୟ ବୈଦେଶିକମନ୍ତ୍ରୀ ଦ୍ୱିପାକ୍ଷିୟ ସମ୍ପର୍କ ସମେତ ଚାବାହାର ବନ୍ଦର ଓ ଆଫଗାନିସ୍ତାନ ନେଇ ମଧ୍ୟ ଆଲୋଚନା କରିଛନ୍ତି।