ଅକ୍ଟୋବର ପହିଲାରୁ ଲାଗୁ ହେବ ନୂଆ ନିୟମ, ଏଣିକି ଜନ୍ମ ପ୍ରମାଣପତ୍ର ହେବ ଏକକ ଦସ୍ତାବିଜ
ନୂଆଦିଲ୍ଲୀ : ଏଣିକି ଜନ୍ମ ପ୍ରମାଣପତ୍ରରେ ସବୁ କିଛି କାର୍ଯ୍ୟ ହେବ । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅକ୍ଟୋବର ୧ରୁ ପରିବର୍ତ୍ତିତ ନିୟମରେ କାର୍ଯ୍ୟ କରାଯିବ । ନାମଲେଖା, ଡ୍ରାଇଭିଂ ଲାଇସେନ୍ସ, ଭୋଟର ତାଲିକା ଜନ୍ମ ପ୍ରମାଣ ପତ୍ର କାର୍ଯ୍ୟ କରିବ । ଆଧାର, ବିବାହ ପଞ୍ଜୀକରଣ, ସରକାରୀ ନିଯୁକ୍ତି ସମେତକେନ୍ଦ୍ର ସରକାରଙ୍କ ଅନ୍ୟ ସବୁ ଯୋଜନା ପାଇଁ ଜନ୍ମ ପ୍ରମାଣପତ୍ର ଜରୁରୀ ହେବ ।
ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୩ । ଦେଶବ୍ୟାପୀ ଅକ୍ଟୋବର ପହିଲାରୁ ଲାଗୁ ହେବାକୁ ଯାଉଛି । ଏହି ଆଇନ ଲାଗୁ ହେବା ଦ୍ୱାରା ଜନ୍ମ ପ୍ରମାଣପତ୍ରର ମହତ୍ତ୍ୱ ଅନେକ ମାତ୍ରାରେ ବଢ଼ିଯିବ । ମୋଟାମୋଟି ଭାବେ ପ୍ରତ୍ୟେକ ଡକ୍ୟୁମେଣ୍ଟ ଭେରିଫିକେଶନ୍ ପାଇଁ ଖୋଜାପଡ଼ିବ ଜନ୍ମ ପ୍ରମାଣପତ୍ର (ବାର୍ଥ ସାର୍ଟିଫିକେଟ୍) ।
ନୂଆ ନିୟମ ଅଧୀନରେ ସ୍କୁଲରେ ନାମଲେଖା, ଡ୍ରାଇଭିଂ ଲାଇସେନ୍ସ ତିଆରି, ଭୋଟର ଆଇଡି ପ୍ରସ୍ତୁତି, ବିବାହ ପଞ୍ଜୀକରଣ, ସରକାରୀ ନିଯୁକ୍ତି, ପାସପୋର୍ଟ ଏବଂ ଆଧାର କାର୍ଡ ବନାଇବା ସହ କେନ୍ଦ୍ର ସରକାରଙ୍କ ଅନେକ ସେବା କ୍ଷେତ୍ରରେ ଜନ୍ମ ପ୍ରମାଣପତ୍ର ଏକକ ଦସ୍ତାବିଜ୍ ଭାବେ ବ୍ୟବହାର ହେବ । ୨୦୨୩ ମୌସୁମୀ ଅଧିବେଶନ ବେଳେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିବା ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ(ସଂଶୋଧନ) ବିଲ୍ ଅକ୍ଟୋବର ୧ରୁ ଆଇନ ଭାବେ ଲାଗୁ ହେବାକୁ ଯାଉଛି ।
ଇତିମଧ୍ୟରେ ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରି ମିଳିସାରିଛି । ଏହା ଲାଗୁ ହେବା ସହିତ ବିଭିନ୍ନ କ୍ଷେତ୍ରରେ ଜନ୍ମ ପ୍ରମାଣପତ୍ର ଏକକ ଦସ୍ତାବିଜ ପାଲଟିବ । ନୂଆ ଆଇନ ପଞ୍ଜୀକୃତ ଜନ୍ମ-ମୃତ୍ୟୁର ଜାତୀୟ ଏବଂ ରାଜ୍ୟସ୍ତରୀୟ ଡାଟାବେସ୍ ବନାଇବାରେ ସହାୟକ ହେବ । ଏହାଦ୍ୱାରା ସୁବ୍ୟବସ୍ଥିତ ଉପାୟରେ ସାର୍ବଜନୀନ ସେବା ପ୍ରଦାନ କରାଯାଇ ପାରିବ ।
ଏହି ନୂଆ ନିୟମ ଅକ୍ଟୋବର ୧ କିମ୍ବା ଏହାପରେ ପ୍ରସ୍ତୁତ ଜନ୍ମ ପ୍ରମାଣପତ୍ରରେ ଲାଗୁ ହେବ । ନୂଆ ଆଇନ କାର୍ଯ୍ୟକାରୀ ହେବା ଦ୍ୱାରା ସବୁଠାରୁ ବଡ଼ ପରିବର୍ତ୍ତନ ହେବ ଯେ, ଜନ୍ମ ଏବଂ ମୃତ୍ୟୁ ପ୍ରମାଣପତ୍ର ଡିଜିଟାଲ ରୂପେ ମିଳିପାରିବ । ଏବେ ଏହାର ହାର୍ଡକପି ହିଁ ମିଳିପାରୁଛି । ଏହାକୁ ପାଇବା ପାଇଁ ଅନେକ ଦୌଡ଼ିବାକୁ ପଡୁଛି ।
ବର୍ତ୍ତମାନ ଆଧାରକୁ ପ୍ରତ୍ୟେକ ସ୍ଥାନରେ ପରିଚୟପତ୍ର ଭାବେ ବ୍ୟବହାର କରାଯାଉଛି । ଏହାକୁ ନିଜର ଅନ୍ୟ ଡକ୍ୟୁମେଣ୍ଟ ଏବଂ ଆକାଉଣ୍ଟ ସହ ଲିଙ୍କ୍ କରିବାକୁ ପଡୁଛି । ସେହିଭଳି ଭାବେ ଜନ୍ମ-ମୃତ୍ୟୁ ପ୍ରମାଣପତ୍ର ହେବ, ଯାହାକି ଜନ୍ମ ଏବଂ ମୃତ୍ୟୁ ପ୍ରମାଣ ପାଇଁ ପ୍ରତ୍ୟେକ ସ୍ଥାନରେ ସର୍ବମାନ୍ୟ
ପରିଚୟପତ୍ର ଭଳି କାର୍ଯ୍ୟ କରିବ । ବୁଧବାର ଏକ ବିଜ୍ଞପ୍ତି ଜାରି କରି ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଏହି ଘୋଷଣା କରିଛି ।
ଏଥିପାଇଁ ରାଜ୍ୟଗୁଡ଼ିକ ତରଫରୁ ଚିଫ୍ ରେଜିଷ୍ଟ୍ରାର୍ ଓ ରେଜିଷ୍ଟ୍ରାର୍ ନିଯୁକ୍ତ କରାଯିବ । ଚିଫ୍ ରେଜିଷ୍ଟ୍ରାର୍ ରାଜ୍ୟ ସ୍ତରରେ ଡାଟା ମହଜୁଦ ରଖିବା ପାଇଁ କାମ କରିବେ । ବ୍ଲକ୍ ସ୍ତରରେ ଏହି କାମ ରେଜିଷ୍ଟ୍ରାର୍ ଦେଖାଶୁଣା କରିବେ । ଏହାଦ୍ୱାରା ଦେଶରେ ଜନ୍ମ ଓ ମୃତ୍ୟୁର ଜାତୀୟ ଡାଟାବେସ୍ ପ୍ରସ୍ତୁତ କରିବା ସହଜ ହେବ । ରାସନ୍ କାର୍ଡ, ଭୋଟର୍ କାର୍ଡ ଭଳି ଅନେକ ଡାଟାବେସ୍ ପ୍ରସ୍ତୁତିରେ ବି ଏହା ଅନେକାଂଶରେ ସହାୟକ ହୋଇପାରିବ ।