୧୨ ଯାଏଁ ତାମିଲନାଡୁରେ ଜାରି ରହିବ ଲକଡାଉନ୍
- ଖୋଲିବନି ସ୍କୁଲ-କଲେଜ, ବନ୍ଦ ରହିବ ସିନେମା ହଲ
ଚେନ୍ନାଇ : ମହାମାରୀ କରୋନା ସଂକ୍ରମଣ ସ୍ଥିତିରେ ସୁଧାର ନ ଆସିବାରୁ ତାମିଲନାଡୁକୁ ଆଗାମୀ ୧୨ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ରଖିବାକୁ ନିଷ୍ପତ୍ତି ହୋଇଛି । ତାମିଲନାଡୁ ସରକାର ଜୁଲାଇ ୫ ତାରିଖ (ସୋମବାର) ଲକଡାଉନ ଶେଷ ହେବା ପୂର୍ବରୁ ଏହି ଘୋଷଣା କରିଛନ୍ତି । ସରକାର କହିଛନ୍ତି ସ୍ଥିତିରେ ସୁଧାର ନ ଆସିଥିବାରୁ ରାଜ୍ୟ ଆହୁରି ଏକ ସପ୍ତାହ ଲକଡାଉନ ରହିବ ।
ତାମିଲନାଡୁ ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ଲକଡାଉନ ସମୟରେ ଅନ୍ତଃରାଜ୍ୟ ବସ ସେବା, ସିନେମା ହଲ, ସନ୍ତରଣାଗାର, ସର୍ବସାଧାରଣ ଧାର୍ମିକ ସ୍ଥଳ, ଶିକ୍ଷାନୁଷ୍ଠାନ, ମନୋରଂଜନ, କ୍ରୀଡ଼ା କାର୍ଯ୍ୟକ୍ରମ, ଚିଡିଆଖାନାକୁ ବନ୍ଦ ରଖାଯିବ । ସେହିଭଳି ରାଜ୍ୟରେ ବିବାହ ସମାରୋହର ୫୦ ଜଣ ଓ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ୨୦ ଜଣ ଲୋକ ସାମିଲ ହୋଇପାରିବେ ବୋଲି କହିଛନ୍ତି । ରାଜ୍ୟ ସରକାର କରୋନା କଟକଣାରେ କିଛିଟା କୋହଳ କରିଛନ୍ତି । ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ଖୋଲିପାରିବ । ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ୫୦ ପ୍ରତିଶତ ଗ୍ରାହକଙ୍କୁ ନେଇ ହୋଟେଲ ଖୋଲିବ । ଚା’ ଦୋକାନ ଖୋଲିବ, କିନ୍ତୁ ଭିଡ ରହିଲେ କାର୍ଯ୍ୟନୁଷ୍ଠାନ ନିଆଯିବ । ପ୍ରତ୍ୟେକ ସ୍ଥାନରେ କୋଭିଡ-୧୯ ମାର୍ଗଦର୍ଶିକାକୁ ପାଳନ କରାଯିବା ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାର କହିଛନ୍ତି ।