‘ସତସଙ୍ଗ’ର ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କର ଶେଷକୃତ୍ୟ ସମ୍ପନ୍ନ
ଦୁର୍ଗାପୁର/ଭୁବନେଶ୍ବର: ‘ସତସଙ୍ଗ’ର ପ୍ରଧାନ ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ଆଜି ସକାଳ ୯.୪୦ ମିନିଟରେ ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ମିସନ୍ ହସ୍ପିଟାଲରେ ୮୯ ବର୍ଷ ବୟସରେ ଶ୍ରୀଶ୍ରୀଦାଦା ଇହଲୀଳା ସମ୍ବରଣ କରିଥିଲେ। ‘ସତସଙ୍ଗ’ର ପ୍ରଶାସକ ତଥା ଆଚାର୍ଯ୍ୟଦେବଙ୍କ ଜ୍ୟୋଷ୍ଠପୁତ୍ର ଅର୍କଦ୍ୟୁତି ଚକ୍ରବର୍ତ୍ତୀ ( ପୂଜ୍ୟପାଦ ବାବାଇଦା) ମୁଖାଗ୍ନି ଦେଇଥିବା ବେଳେ ଦୁଇ ପୁତ୍ର ଅନିରୁଦ୍ଧ ଚକ୍ରବର୍ତ୍ତୀ (ପୂଜନୀୟ ସିପାଇଦା), ଅନିନ୍ଦ୍ୟଦ୍ୟୁତି ଚକ୍ରବର୍ତ୍ତୀ ( ପୂଜନୀୟ ବିଙ୍କିଦା), ପରିବାରର ଅନ୍ୟ ସଦସ୍ୟ ଏବଂ ହଜାର ହଜାର ସଂଖ୍ୟାରେ ଭକ୍ତ-ଅନୁଗାମୀ ଉପସ୍ଥିତ ଥିଲେ। ଶ୍ରୀଶ୍ରୀଦାଦାଙ୍କର ପାରଲୌକିକ କର୍ମାଦି ଝାଡ଼ଖଣ୍ଡର ଦେଓଘର ସତସଙ୍ଗ ଆଶ୍ରମରେ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି।
୧୬ ସେପଟେମ୍ବର, ଗୁରୁବାର ସକାଳେ ଆଚାର୍ଯ୍ୟଦେବ ଶ୍ରୀଶ୍ରୀ ଦାଦାଙ୍କ ( ଅଶୋକ ରଞ୍ଜନ ଚକ୍ରବର୍ତ୍ତୀ) ମହାପ୍ରୟାଣ ଖବର ପ୍ରଚାରିତ ହେବା ପରେ ଦେଶ ଓ ଦେଶ ବାହାରେ ଥିବା କୋଟିକୋଟି ସତସଙ୍ଗୀ ଓ ସତସଙ୍ଗ ଅନୁରାଗୀ ଶୋକାଭିଭୂତ ହୋଇପଡ଼ିଥିଲେ। ଦୁର୍ଗାପୁରରେ ଶ୍ରୀଶ୍ରୀଦାଦାଙ୍କର ଶେଷକୃତ୍ୟ ସମ୍ପନ୍ନ ହେଉଥିବା ଖବର ମିଳିବା ପରେ ସେଠାକୁ ଦେଶର ବିଭିନ୍ନ ପ୍ରାନ୍ତରୁ ଭକ୍ତ-ଅନୁରାଗୀଙ୍କ ସୁଅ ଛୁଟିଥିଲା। ‘ସତସଙ୍ଗ’ ପକ୍ଷରୁ ଏକ ଭିଡିଓ ବାର୍ତ୍ତାରେ ବର୍ତ୍ତମାନର ପରିସ୍ଥିତିକୁ ଧୈର୍ଯ୍ୟର ସହ ମୁକାବିଲା କରିବା ସହ ଯିଏ ଯେଉଁଠାରେ ଅଛନ୍ତି ସେଠାରେ ରହି ଶୋକପାଳନ କରିବାକୁ ନିବେଦନ କରାଯାଇଥିଲା। ‘ସତସଙ୍ଗ’ର ଉପ-ପ୍ରଶାସକ ପୂଜନୀୟ ଅନିନ୍ଦ୍ୟଦ୍ୟୁତି ଚକ୍ରବର୍ତ୍ତୀ ଭକ୍ତଓ ଅନୁରାଗୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ କହିଛନ୍ତି, ଆଚାର୍ଯ୍ୟଦେବଙ୍କ ଶରୀର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଚିକିତ୍ସା ଲାଗି ଦୁର୍ଗାପୁର ଅଣାଯାଇଥିଲା। ସମସ୍ତଙ୍କର ପ୍ରଚେଷ୍ଟା ଓ ବ୍ୟାକୁଳ ପ୍ରାର୍ଥନା ସତ୍ତ୍ବେ ସ୍ବଧାମକୁ ସେ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ଶ୍ରୀଶ୍ରୀଦାଦାଙ୍କ ବିୟୋଗରେ ଭାରତ ଓ ବର୍ହିଭାରତରେ ଥିବା କୋଟିକୋଟି ସତସଙ୍ଗୀ ଅଭିଭାବକହୀନ ହୋଇପଡ଼ିବା ସହ ଦେଶର ଆଧ୍ୟାତ୍ମିକ ପରିସରରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବାର୍ତ୍ତାରେ କହିଛନ୍ତି ଯେ ସମାଜ ପ୍ରତି ନିସ୍ବାର୍ଥପର ସେବା ଲାଗି ଆଚାର୍ଯ୍ୟଦେବ ଚିରକାଳ ମନେରହିବେ। ଶିକ୍ଷା,ସ୍ବାସ୍ଥ୍ୟସେବା,ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଭୂମିକା ରହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ବିଭିନ୍ନ ରାଜ୍ୟର ବହୁ ମନ୍ତ୍ରୀ ଓ ବିଧାୟକ ଟୁଇଟ୍ କରି ଶୋକପ୍ରକାଶ କରିବା ସହ ସମାଜ ପ୍ରତି ଶ୍ରୀଶ୍ରୀଦାଦାଙ୍କର ଥିବା ଅବଦାନକୁ ସ୍ମରଣ କରିଛନ୍ତି। ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଶୋକପ୍ରକାଶ କରିବା ସହ ସତସଙ୍ଗ ପରିବାରର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦେବୀପ୍ରସାଦ ମିଶ୍ର ପ୍ରମୁଖ ଆଚାର୍ଯ୍ୟଦେବଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି।