ବିଦ୍ୟୁତ ଯୋଗାଣ ସ୍ଥିତି ସମୀକ୍ଷା : ଲୋଡ୍ ସେଡିଂ ନକରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର : ଆଗାମୀ ଗ୍ରୀଷ୍ମଋତୁରେ ବିଦ୍ୟୁତ ଯୋଗାଣ ଅବ୍ୟାହତ ରଖିବା ପାଇଁ ଆଗୁଆ ପ୍ରସ୍ତୁତିଭାବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟରେ ବିଦ୍ୟୁତ ଉତ୍ପାଦନ ଏବଂ ଯୋଗାଣ ସ୍ଥିତିର ସମୀକ୍ଷା କରିଛନ୍ତି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ ମୋଡରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।
ବର୍ତମାନ ବିଦ୍ୟୁତ ଉତ୍ପାଦନ ଓ ଚାହିଦା ସ୍ଥିତିର ସମୀକ୍ଷା କରି ରାଜ୍ୟରେ ଯେପରି ବିଦ୍ୟୁତ କାଟ (ଲୋଡସେଡିଂ) ସମସ୍ୟା ସୃଷ୍ଟି ନହୁଏ ତାହା ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ଗ୍ରୀଡକୋ ଏବଂ ଶକ୍ତି ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟୁତ ଉତ୍ପାଦନକାରୀ କଂପାନୀମାନେ ନିଜ ନିଜ ବିଦ୍ୟୁତ ଉତ୍ପାଦନ ୟୁନିଟ୍ ଗୁଡ଼ିକର ରକ୍ଷଣାବେକ୍ଷଣ ଓ ନବୀକରଣ ସହ ସେଗୁଡ଼ିକୁ ପୂର୍ଣ୍ଣ କ୍ଷମତା ସଂପନ୍ନ ରଖିବାପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ୟୁନିଟ୍ ଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ନିରାପତା ଆଦି ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ଶ୍ରୀ ମହାପାତ୍ର ମଧ୍ୟ ଗ୍ରୀଡକୋ ଏବଂ ଶକ୍ତି ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସୌର, ତାପଜ ଓ ଅନ୍ୟାନ୍ୟ ଉତ୍ସରୁ ବିଦ୍ୟୁତ ଉତ୍ପାଦନ ବଢ଼ାଇ ଦନର ହାରାହାରି ଆବଶ୍ୟକତା ମେଂଟାଇବା ସହ ଜଳଭଣ୍ଡାର ଗୁଡ଼ିକୁ ଗ୍ରୀଷ୍ମଋତୁ ନିମନ୍ତେ ସଂରକ୍ଷିତ ରଖିବାଲାଗି ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ ।
ସୂଚନାଯୋଗ୍ୟ, ଚଳିତବର୍ଷ ବର୍ଷାଋତୁରେ କମ୍ ବୃଷ୍ଟିପାତ ହାର ଯୋଗୁ ବିଦ୍ୟୁତ ଉତ୍ପାଦନକାରୀ ଜଳଭଣ୍ଡାରରେ ଅପେକ୍ଷାକୃତ କମ ଜଳ ଅଛି । ଏହାକୁ ସଠିକ୍ ଭାବେ ସଂରକ୍ଷଣ ଓ ପରିଚାଳନା କରି ଆଗାମୀ ବର୍ଷାଋତୁ ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ଅବ୍ୟାହତ ରଖିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଗ୍ରୀଡକୋର ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡା ଜଣାଇଥିଲେ ଯେ ବିଭିନ୍ନ ବିଦ୍ୟୁତ ଉତ୍ପାଦନକାରୀ ଶିଳ୍ପ ସଂସ୍ଥାମାନଙ୍କ ସହ ହୋଇଥିବା ଚୁକ୍ତିନାମା ଅନୁସାରେ ଗ୍ରୀଡକୋ ପାଖରେ ବଂଟନ ପାଇଁ ପ୍ରାୟ ୭,୬୫୧ ମେଗା ୱାଟ୍ ବିଦ୍ୟୁତ୍ ଅଛି । ଏଥିରୁ ପ୍ରାୟ ୧୨୯୫ ମେଗାୱାଟ୍ ଅଣ-ପାରମ୍ପରିକ ଉତ୍ସରୁ ଉତ୍ପାଦିତ ହେଉଛି । କେତେକ ତାପଜ ଏବଂ ଜଳଜ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାରେ ଯାନ୍ତ୍ରିକ ତୃଟି ହେତୁ ଚଳିତମାସ ପ୍ରାୟ ୧୭୦୦ ମେଗାୱାଟ୍ ଉତ୍ପାଦନ କମିଛି । ତେବେ ଚଳିତ ଋତୁରେ ଦୈନିକ ସର୍ବାଧିକ ଚାହିଦା ପ୍ରାୟ ୩୩୫୦ ମେଗାୱାଟ ଅଛି । ବିଭିନ୍ନ ଉତ୍ସରୁ ବିଦ୍ୟୁତ ସଂଗ୍ରହକରି ଗ୍ରୀଡକୋ ଏହି ଚାହିଦା ପୂରଣ କରୁଛନ୍ତି । ଗ୍ରୀଷ୍ମଋତୁର ସର୍ବାଧିକ ଆବଶ୍ୟକତା ସମୟରେ ଏହି ଚାହିଦା ୪୦୦୦ ମେଗାୱାଟ୍ ରୁ ଅଧିକ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ତାପଜ ଓ ସୌରସ୍ରୋତ ବିଦ୍ୟୁତ ଉତ୍ପାଦନକାରୀ ଶିଳ୍ପ ସଂସ୍ଥାମାନେ ନିଜ ନଜର ପୂର୍ଣ୍ଣ କ୍ଷମତା ଅନୁସାରେ ଉତ୍ପାଦନ ବଢ଼ାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଜଳଭଣ୍ଡାର ଗୁଡ଼ିକୁ ଗ୍ରୀଷ୍ମଋତୁ ନିମନ୍ତେ ସଂରକ୍ଷିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳ, ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମର ପରିଚାଳନା ନିର୍ଦ୍ଦେଶକ ପି.କେ. ମହାପାତ୍ର, ଓଡ଼ିଶା ଜଳ ବିଦ୍ୟୁତ ନିଗମର ପରିଚାଳନା ନିର୍ଦ୍ଦେଶକ ଅମରେଶ କୁମାର, ରାଜ୍ୟ ବିଦ୍ୟୁତ ସରବରାହ ନିଗମର ନିର୍ଦ୍ଦେଶକ ବି.ବି. ମେହେଟ୍ଟା, ଜାତୀୟ ତାପଜ ବିଦ୍ୟୁତ ନିଗମର କାର୍ଯ୍ୟନିବାହୀ ନିର୍ଦ୍ଦେଶକ ଏ.କେ. ଗୋସ୍ୱାମୀଙ୍କ ସମେତ ସଂପୃକ୍ତ ବିଭାଗ ଓ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।