ଆଜି ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମକୁ ଆଜି ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ପଞ୍ଚାୟତ ସ୍ତରରେ ଥିବା ଜନପ୍ରତିନିଧିଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ । ଏହି ଯୋଜନା ମାଧ୍ୟମରେ ବଦଳିବ ଗାଁର ଚିତ୍ର । ପ୍ରତି ଗାଁରେ ଥିବା ଐତିହ୍ୟର ପ୍ରତିଛବି ବଦଳିବ । ଏହା ସହିତ ପଞ୍ଚାୟତ ସ୍ତରରେ ବିଭିନ୍ନ ପ୍ରକଳ୍ପରୁ ଅନୁମୋଦନ ଦେବେ ନବୀନ । ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ଓ ଭଦ୍ରକ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ହେବ । ଏଥିପାଇଁ ୨୫୭ କୋଟି ଟଙ୍କା ଖର୍ଚ୍ଚ ହେବ ।
‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ପ୍ରଥମେ ଏହି ଦୁଇଟି ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ହେବ । କେନ୍ଦୁଝର ଜିଲ୍ଲାରେ ୧୪୮ କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ୩ ହଜାର ୫୬୮ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ସେହିଭଳି ଭଦ୍ରକ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ପାଇଁ ମୋଟ୍ ୩ ହଜାର ୩୩୭ଟି ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏଥିପାଇଁ ୧୦୯ କୋଟି ଟଙ୍କା ମଞ୍ଜୁରୀ ପ୍ରଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପର୍ଯ୍ୟାୟକ୍ରମେ ଅନ୍ୟ ଜିଲ୍ଲା ପାଇଁ ମଧ୍ୟ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ।
ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାରେ ୪ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ବ୍ୟୟ ବଜେଟ୍ ରଖିଛନ୍ତି । କ୍ୟାବିନେଟ୍ ଏହାକୁ ଅନୁମୋଦନ ବି ଦେଇଛି । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସହ ଧାର୍ମିକ ଉପାସନାସ୍ଥଳୀର ବିକାଶକୁ ଏଥିରେ ପ୍ରାଥମିକତା ଦିଆଯିବ । ପ୍ରତି ଗାଁରେ ଥିବା ଧାର୍ମିକ ଉପାସନାସ୍ଥଳୀର ବିକାଶ ସହ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପଞ୍ଚାୟତକୁ ୧୦ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ଅନୁଦାନ ଦିଆଯିବ । ଇଣ୍ଟରନେଟ ସଂଯୋଗ, ଖେଳପଡ଼ିଆର ବିକାଶ, ସାଇନ୍ସ ପାର୍କ, ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ ପାଇଁ ବାକି ଅନୁଦାନ ଦିଆଯିବ । ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ଗାଁ ଗାଁରେ କ୍ରୀଡ଼ାର ପ୍ରୋତ୍ସାହନ ପାଇଁ ପ୍ରତି ପଞ୍ଚାୟତକୁ ଅଢ଼େଇ ଲକ୍ଷ ଟଙ୍କା ଦିଆଯିବ । ଗାଁ ପିଲା ହକିଠାରୁ ନେଇ ଫୁଟବଲ, କ୍ରିକେଟ୍, ଭଲି ବଲ, ବାସ୍କେଟ ବଲ୍, ବ୍ୟାଡମିଣ୍ଟନ, ଚେସ୍ ଓ କ୍ୟାରମ୍ ଖେଳିବା ପାଇଁ ବ୍ୟବସ୍ଥା ରହିବ ।