ସୁଆର ନଥିବାରୁ ଠାକୁର ଓପାସରେ ରହୁଛନ୍ତି
ବାରିପଦା : ବାରିପଦା ସ୍ଥିତ ( ମାଉସୀ ମା ) ରାଧାମୋହନ ମନ୍ଦିରରେ ମହାପ୍ରଭୁଙ୍କ ଆଜି ଭୋଗ ନିତୀୟାନୀ ବନ୍ଦ ରହିଛି । ଦେବତୋର ବିଭାଗର ଉଦାସୀନତା ଯୋଗୁଁ ନିତୀୟାନୀରେ ଅସୁବିଧା ଲାଗିରହିଥିବା ବେଳେ ଆଜି ସକାଳ ପାଖରୁ ସଂପୂର୍ଣ୍ଣ ବନ୍ଦ ରହିଛି । ଆଜି ଭୋଗ ନଲାଗିବା ଫଳରେ ଠାକୁର ଭୋକ ଉପାସରେ ରହିବା ସହ ରୀତିନୀତି ଠିକ ସେ ହୋଇପାରୁନାହିଁ । ସୂଚନା ଅନୁଯାୟୀ, ମନ୍ଦିରରେ କାର୍ଯ୍ୟ କରୁଥିବା ଜଣେ ସୁଆର (ରୋଷେଇ କରୁଥିବା ସେବାୟତ ) ସରକାରଙ୍କ ପାଖରୁ ଦରମା ନପାଇବା ଫଳରେ କାର୍ଯ୍ୟ ଛାଡିଦେବା ନେଇ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ପ୍ରତିବଦଳରେ ନୁତନ ସୁଆର ଖୋଜିବା ପାଇଁ ଜଣାଇବା ସହ ଆଜି ଠାରୁ କାର୍ଯ୍ୟରୁ ଅବ୍ୟାହତ ନେବେ ବୋଲି ମଧ୍ୟ ବିଭାଗକୁ ଲିଖିତ ଭାବେ ଜଣାଇଥିଲେ । ତେଣୁ ଆଜି ସୁଆର ମନ୍ଦିରକୁ ନଆସିବା ଫଳରେ ସକାଳ ୭ଟାରେ ପୌଷ ଖେଚୁଡ଼ି ଏବଂ ଦିନ ୧୧ଟାରେ ଲାଗୁ ହେଉଥିବା ଅନ୍ନ ଭୋଗ ଠାକୁରଙ୍କ ପାଖେ ଲାଗୁ ହୋଇପାରିନାହିଁ । ଯାହା ଫଳରେ ନୀତିକାନ୍ତି ବିଭ୍ରାଟ ହେଉଥିବା ନେଇ ମନ୍ଦିର ପୁଜକ କହିଛନ୍ତି । ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏଦିଗରେ କୌଣସି ବିହିତ ପଦକ୍ଷେପ ନିଆଯାଇ ନଥିବାରୁ ଆଜି ଏଭଳି ପରିସ୍ଥିତି ସାମ୍ନାକୁ ଆସିଛି ବୋଲି ମନ୍ଦିର ପୁଜକ କହିଛନ୍ତି । ଆଜି ବିଳମ୍ବରେ ଅନ୍ନଭୋଗ ପ୍ରସ୍ତୁତ କରିବା ପାଇଁ ଅନ୍ୟ ମନ୍ଦିରରୁ ଜଣେ ସୁଆରକୁ ଡକାଇ ରୋଷେଇ ଆରମ୍ଭ କରାଯାଇଥିଲା । ତେବେ ଯଥାଶୀଘ୍ର ଏହାର ସ୍ଥାୟୀ ସମାଧାନ ନିମନ୍ତେ ଭକ୍ତ ଓ ସେବାୟତ ଦାବି କରିଛନ୍ତି ।