ମିନିବସ୍କୁ ଟାର୍ଗେଟ କଲେ ଆତଙ୍କୀ : କାବୁଲରେ ବିସ୍ଫୋରଣ, ୭ ମୃତ
କାବୁଲ : ଆଫଗାନିସ୍ତାନରେ ତାଲିବାନୀ ଆତଙ୍କୀମାନେ ଶାସନ କରିଆସୁଥିବା ବେଳେ ଏଠାରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିଚାଲିଛି। ଏହି କ୍ରମରେ ବୁଧବାର ରାଜଧାନୀ କାବୁଲ ଉପକଣ୍ଠରେ ଏକ ମିନିବସ୍କୁ ଆତଙ୍କୀମାନେ ଟାର୍ଗେଟ କରି ବିସ୍ଫୋରଣ ଘଟାଇଛନ୍ତି। ଏହି ବିସ୍ଫୋରଣଟି ବେଶ୍ ଶକ୍ତିଶାଳୀ ଥିବା ବେଳେ ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଛି ଓ ୫ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ପରେ ମିନିବସ୍ଟି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ୍ତବିଧ୍ବସ୍ତ ହୋଇଯାଇଛି। ଏ ସଂକ୍ରାନ୍ତରେ ଜନୈକ ତାଲିବାନ୍ ସଦସ୍ୟ ଦେଇଥିବା ସୂଚନାନୁସାରେ, କାବୁଲର ଦସ୍ତ-ଇ-ବାର୍ଚି ନାମକ ଅଞ୍ଚଳରେ ଏହି ଆକ୍ରମଣ ହୋଇଛି। ଏଠାରେ ମୁଖ୍ୟତଃ ସଂଖ୍ୟାଲଘୁ ହାଜରା ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି। ସେମାନଙ୍କୁ ଟାର୍ଗେଟ କରି ଏପରି ବିସ୍ଫୋରଣ ଘଟାଯାଇଛି। ଉକ୍ତ ମିନି ବସରେ ବୋମାଟିକୁ ଖଞ୍ଜାଯାଇଥିଲା ବୋଲି ପ୍ରାଥମିକ ତଦନ୍ତ ସୂଚନା ମିଳିଥିବା ଉକ୍ତ ତାଲିବାନୀ ସଦସ୍ୟ ଜଣକ କହିଛନ୍ତି।
ବିସ୍ଫୋରଣ ସଂକ୍ରାନ୍ତରେ ମହମ୍ମଦ ନବୀ ନାମକ ଜନୈକ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ସେ ଭୀଷଣ ଶବ୍ଦ ହୋଇ ବୋମା ବିସ୍ଫୋରଣ ହେବା ଜାଣିବା ପରେ ଏକ ମିନି ବସ୍ ଓ ଗୋଟିଏ ଟ୍ୟାକ୍ଦି ଜଳୁଥିବା ଦେଖିବାକୁ ପାଇଥିଲେ। ପରେ ପରେ ମୃତାହତମାନଙ୍କୁ ହସ୍ପିଟାଲ୍ ନେବା ସକାଶେ ଘଟଣାସ୍ଥଳରେ ଏକାଧିକ ଆମ୍ବୁଲାନ୍ସ ପହଞ୍ଚିଥିଲା ବୋଲି ଉକ୍ତ ପ୍ରତ୍ୟକ୍ଷଦର୍ଶୀ ଜଣକ କହିଛନ୍ତି। ସେହିପରି କତେ ୩ ଅଞ୍ଚଳରେ ମଧ୍ୟ ଗୋଟିଏ ବିସ୍ଫୋରଣ ହୋଇଥିବା ଜଣେ ତାଲିବାନୀ ସଦସ୍ୟ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। କିନ୍ତୁ ଏହି ବିସ୍ଫୋରଣଜନିତ କ୍ଷୟକ୍ଷତି ନେଇ ସେ କିଛି ବି ସୂଚନା ଦେଇନାହାନ୍ତି। ଅନ୍ୟପକ୍ଷରେ ସୋସାଲ୍ ମିଡିଆରେ ମଧ୍ୟ ଦସ୍ତ-ଇ-ବାର୍ଚି ଅଘଟଣ ପରର ଫଟୋ ଭାଇରାଲ୍ ହୋଇଛି। ଘଟଣାସ୍ଥଳରୁ ଧୂଆଁ ଉଠୁଥିବା ବେଳେ ଭଙ୍ଗାରୁଜା ଅବସ୍ଥାରେ କାର ପଡ଼ିରହିଥିବା ଉକ୍ତ ଫଟୋରୁ ସ୍ପଷ୍ଟ ହୋଇଛି। ସୂଚନାଯୋଗ୍ୟ ଯେ କାବୁଲର ପଶ୍ଚିମାଞ୍ଚଳରେ ଥିବା ଶିଆ ସମ୍ପ୍ରଦାୟ ବହୁଳ ଅଞ୍ଚଳକୁ ନିୟମିତ ଭାବେ ଟାର୍ଗେଟ୍ କରାଯାଇଆସୁଛି। ସଦ୍ୟ ବିସ୍ଫୋରଣ ପାଇଁ ଇସଲାମୀୟ ଆତଙ୍କୀ ସଂଗଠନ ଆଇଏସ୍ ନିଜକୁ ଦାୟୀ କରିଛି। ଏନେଇ ସଂଗଠନ ପକ୍ଷରୁ ଟେଲିଗ୍ରାମ୍ ଆକାଉଣ୍ଟ୍ ମାଧ୍ୟମରେ ସୂଚନା ମଧ୍ୟ ଦିଆଯାଇଛି।