ଖୋଲିଲା ଦଶମ ଓ ଦ୍ୱାଦଶ ଶ୍ରେଣୀ, ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ପାଠପଢା ଆରମ୍ଭ
ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ଖୋଲିଲା ଦଶମ ଓ ଦ୍ୱାଦଶ ଶ୍ରେଣୀ। କୋଭିଡ ମହାମାରୀ କାରଣରୁ ବନ୍ଦଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟ ପ୍ରାୟ ଦେଢବର୍ଷ ପରେ ଖୋଲିଛି । ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହରେ ପିଲାଙ୍କର ପାଠପଢା ଆରମ୍ଭ ହୋଇଛି । ପୂର୍ବରୁ ବିଦ୍ୟାଳୟଗୁଡ଼ିକ କ୍ୟାମ୍ପସ୍ ସଫେଇ କରିବା ସହ ଆସବାବପତ୍ରଗୁଡ଼ିକର ବିଶୋଧନ କରିଛନ୍ତି। ସକାଳ ୧୦ଟାରୁ କ୍ଲାସ୍ ଆରମ୍ଭ ହେବାକୁ ଥିବାରୁ ପ୍ରଥମଦିନ ଏହାର ଏକ ଘଣ୍ଟା ପୂର୍ବରୁ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପିଲାମାନେ କ୍ୟାମ୍ପସ୍ରେ ପ୍ରବେଶ ସମୟରେ ଯେପରି ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ଉପରେ ଶିକ୍ଷକମାନେ ଗୁରୁତ୍ୱ ଦେଇଛନ୍ତି ।
ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ରହିଥିବା ଲକ୍ଷ୍ୟ କରିବା ପରେ ରାଜ୍ୟ ସରକାର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକୁ ପୁନର୍ବାର ଖୋଲିବା ନିଷ୍ପତ୍ତି ନେଇଥିଲେ । ତଦନୁଯାୟୀ ସୋମବାର ଠାରୁ ଏହି ଶିକ୍ଷାନୁଷ୍ଠାନଗୁଡିକ ଖୋଲିଛି । ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯିବା ସହିତ ଶ୍ରେଣୀକକ୍ଷରେ ସାମାଜିକ ଦୂରତା ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏଥିସହିତ ସେମାନେ ଶିକ୍ଷାନୁଷ୍ଠାନ ପରିସର ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ସେମାନଙ୍କୁ ସାନିଟାଇଜର ପ୍ରଦାନ କରାଯାଉଛି । ପାଖାପାଖି ଦେଢବର୍ଷ ପରେ ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ବସି ପାଠ ପଢିବା ସୁଯୋଗ ପାଇଥିବାରୁ ସେମାନଙ୍କ ମନରେ ବେଶ୍ ଉତ୍ସାହ ପରିଲକ୍ଷିତ ହେଉଥିଲେ ମଧ୍ୟ ତୁଳନାତ୍ମକ ଭାବେ କମ ଉପସ୍ଥାନ ରହିଥିବା ଜଣାଯାଇଛି । ଅନ୍ ଲାଇନ ଶିକ୍ଷାକୁ ନେଇ ଉଭୟ ଛାତ୍ରଛାତ୍ରୀ ଏବଂ ଅଭିଭାବକ ନାନା ସମସ୍ୟାର ସମ୍ମୁଖୀନ ହୋଇଥିବାବେଳେ ପିଲାଙ୍କ ପାଠପଢା, ପରୀକ୍ଷା ପରିଚାଳନା ଆଦିରେ ମଧ୍ୟ କର୍ତ୍ତୃପକ୍ଷ ନାନା ଅସୁବିଧାର ସମ୍ମୁଖୀନ ହୋଇସାରିଛନ୍ତି । ଏପରିକି ବିନା ପରୀକ୍ଷାରେ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ଫଳ ଘୋଷଣା କରିବାକୁ ସରକାର ବାଧ୍ୟ ହୋଇଛନ୍ତି । ତେବେ କରୋନା ସଂପୂର୍ଣ୍ଣ ଦୂର ହୋଇନଥିବାରୁ ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ଶିକ୍ଷାନୁଷ୍ଠାନକୁ ପଠାଇବା ସୁରକ୍ଷିତ ମନେକରୁନାହାନ୍ତି ।
କ୍ୟାମ୍ପସ୍ରେ ସାମାଜିକ ଦୂରତା ଓ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିଦେଇ ସ୍କୁଲଗୁଡ଼ିକ କ୍ଲାସରୁମ୍ ବାହାରେ ବି ପିଲାଙ୍କୁ ପଢ଼ାଇପାରିବେ। ତେବେ ପାଗ ଅନୁକୂଳ ଥିବା ଦରକାର। କୋଭିଡ୍-୧୯ ପାଇଁ ଜାରି ହୋଇଥିବା ହେଲପ୍ ଲାଇନ୍ ନମ୍ବରକୁ କ୍ୟାମ୍ପସରେ ପ୍ରଦର୍ଶିତ କରିବେ। ପ୍ରତି ସ୍କୁଲ୍ରେ ଆଇସୋଲେସନ୍ ରୁମ୍ ଖୋଲାଯାଇଛି। କୋଭିଡ୍ ମନିଟରିଂ ଟିମ୍ ଗଠନ କରାଯାଇଛି। ସ୍କୁଲ ଖୋଲିବାର ୩୦ ମିନିଟ୍ ଆଗରୁ ଓ ବନ୍ଦ ହେବାର ୩୦ ମିନିଟ୍ ପର୍ଯ୍ୟନ୍ତ ଟିମ୍ର ସଦସ୍ୟମାନେ ସ୍କୁଲରେ ଉପସ୍ଥିତ ରହି ତଦାରଖ କରିଛନ୍ତି। ପ୍ରତିଦିନ ସ୍କୁଲ ସଫେଇ କରାଯିବ। ତେବେ କୌଣସି ପିଲା ଯେପରି ଏହି ସଫେଇ କାର୍ଯ୍ୟରେ ନିୟୋଜିତ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦେଶ ଦିଆଯାଇଛି। ରବିବାର ଓ ଛୁଟି ଦିବସରେ ବିଦ୍ୟାଳୟ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ସ୍ବତନ୍ତ୍ର ରିଲିଫ କମିସନରଙ୍କ ଦ୍ବାରା ପ୍ରକାଶିତ କରୋନା କଟକଣା ସବୁ ଶିକ୍ଷାନୁଷ୍ଠାନ ପାଳନ କରିବେ। ପୂର୍ବପରି ଅନ୍ଲାଇନ୍ରେ ପାଠପଢା ଚାଲିବ। ଯେଉଁ ଛାତ୍ରଛାତ୍ରୀ ଚାହିଁବେ ଅନ୍ଲାଇନ୍ କିମ୍ବା ଶ୍ରେଣୀଗୃହରେ ପାଠପଢି ପାରିବେ। ଶିକ୍ଷାନୁଷ୍ଠାନ ଆସିବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯିବନି। ଅଭିଭାବକଙ୍କ ସହ ଆଲୋଚନା କରିବା ପରେ ସେମାନେ ଶିକ୍ଷାନୁଷ୍ଠାନ ଆସିବେ।