ଇଂଲଣ୍ଡରେ କ୍ୱାରେଣ୍ଟାଇନ୍ରେ ଟିମ ଇଣ୍ଡିଆ
- ଗାଇଡଲାଇନ ପାଳନ କରିବାକୁ ପରାମର୍ଶ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ ଖେଳିବା ପାଇଁ ଇଂଲଣ୍ଡରେ ପହଞ୍ଚିସାରିଛି । ଜୁନ ୧୮ ରୁ ୨୨ ତାରିଖ ଯାଏଁ ସାଉଥଆମ୍ପଟନରେ ଖେଳାଯିବ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚ । ଏ ନେଇ ଉଭୟ ଟିମ ରଣନୀତି ପ୍ରସ୍ତୁତି କରିବାରେ ଲାଗିପଡିଛନ୍ତି । ଡବ୍ଲ୍ୟୁଟିସି ଫାଇନାଲ ପରେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ଟିମ ଇଣ୍ଡିଆ । ଏହା ପୂର୍ବରୁ ୩ ଦିନ ପାଇଁ ଖେଳାଳୀମାନଙ୍କୁ ପୃଥକବାସରେ ରଖାଯାଇଛି । ଏହି ସମୟ ମଧ୍ୟର କ୍ବାରେଣ୍ଟାଇନ ନିୟମ କଡାକଡି ଭାବେ ପାଳନ କରାଯାଇଛି । ଖେଳାଳୀମାନେ ପରସ୍ପର ମଧ୍ୟରେ ସାମ୍ନାସାମ୍ନି ଆସି କଥା ହେବା, ଖାଇବା ଏବଂ ଅଭ୍ୟାସ କରିବା ଉପରେ ରୋକ ଲଗାଯାଇଛି । ତେବେ ଭାରତୀୟ ଟିମ ଫାଇନାଲ ମ୍ୟାଚ ପାଇଁ ପ୍ରସ୍ତୁତି କରିବାକୁ ଖୁବ କମ ସମୟ ରହିବ । ସେପଟେ ନ୍ୟୁଜିଲାଣ୍ଡ, ଇଂଲଣ୍ଡ ବିପକ୍ଷରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜାରି ରହିଥିବାରୁ କିଓ୍ବି ଟିମ ପାଇଁ ଏହା ବେଶ ସହାୟକ ହେବ ।
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚାର୍ଟାର୍ଡ ବିମାନରେ ଯାତ୍ରା କରୁଥିବା ଭାରତୀୟ ଦଳର ଏକ ଭିଡିଓ ଟ୍ବିଟରରେ ସେୟାର କରିଛି । ଭିଡିଓରେ ଖେଳାଳୀମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ଅକ୍ଷର ପଟେଲ କହିଛନ୍ତି, “ମୁଁ ବହୁତ ଶୋଇଥିଲି। ବର୍ତ୍ତମାନ ଆମକୁ ଅଲଗା ରହିବାକୁ ପଡିବ। ଆମକୁ କୁହାଯାଇଛି ଯେ ଯଦି ଆମେ ତିନି ଦିନ ପରସ୍ପରକୁ ଭେଟି ପାରିବା ନାହିଁ, ଅର୍ଥାତ ସମସ୍ତେ କ୍ବାରେଣ୍ଟାଇନରେ ରହିବୁ।” ଭାରତର ପୁରୁଷ ଓ ମହିଳା ଉଭୟ ଦଳ ଏକ ସ୍ବତନ୍ତ୍ର ବିମାନରେ ଇଂଲଣ୍ଡ ଯାତ୍ରା କରିଥିଲେ । ଲଣ୍ଡନରେ ପହଞ୍ଚିବା ପରେ ଭାରତୀୟ ଦଳ ବସ୍ ଯୋଗେ ଦୁଇ ଘଣ୍ଟା ଯାତ୍ରା କରିବା ପରେ ସାଉଥକ୍ରମ୍ପଟନରେ ପହଞ୍ଚିଥିଲେ। ମହିଳା ଦଳ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ, ତିନୋଟି ଦିନିକିଆ ଏବଂ ୩ଟି ଟି-ଟ୍ବେଣ୍ଟି ମ୍ୟାଚ ଖେଳିବ । ମହିଳା ଟିମର ସିରିଜ ଜୁଲାଇ ୧୫ ତାରିଖରେ ଶେଷ ହେବ।