ଫକୀରମୋହନଙ୍କ ପାଣ୍ଡୁଲିପି ଦାୟିତ୍ୱ ନିଅନ୍ତୁ ରାଜ୍ୟ ସରକାର : ମାନସ ଦତ୍ତ
- ବ୍ୟାସକବିଙ୍କ ପାଣ୍ଡୁଲିପି ବିବାଦ ଓଡ଼ିଆ ଭାଷା ସାହିତ୍ୟ ପାଇଁ ଏକ ଲଜ୍ୟାଜନକ ବିଷୟ
ବାଲେଶ୍ୱର : ବାଲେଶ୍ୱର ମାଟିର ବୀର ପୁତ୍ର ବ୍ୟାସକବି ଫକୀରମୋହନ ସେନାପତିଙ୍କ ପାଣ୍ଡୁଲିପିକୁ ନେଇ ହେଇଥିବା ବିବାଦ ବାବଦରେ ମୁହ ଖୋଲିଛନ୍ତି ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ଉପ ସଭାପତି ତଥା ଯୁବନେତା ମାନସ କୁମାର ଦତ୍ତ । ଶ୍ରୀ ଦତ୍ତ ନିଜର ମତରେ କହିଛନ୍ତି ଯେ ଫକୀର ମୋହନ ସେନାପତି ହେଉଛନ୍ତି ଓଡ଼ିଆଙ୍କ ସ୍ୱରଲୋହରର ସମ୍ବୋଧନ। ଓଡ଼ିଆ ଭାଷା ସାହିତ୍ୟକୁ ସୁରକ୍ଷା ହେଉ ବା ସମାଜ ସଂସ୍କାର ହେଉ ସବୁଥିରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କର ପାଣ୍ଡୁଲିପି ପ୍ରକାଶନକୁ ଯେଉଁ ବିବାଦ ଉପୁଜିଛି ତାହା ରାଜ୍ୟ ସରକାରଙ୍କ ଓଡ଼ିଆ ଜାତିର ପ୍ରବାଦ ପୁରୁଷଙ୍କ ପ୍ରତିଥିବା ମିଛ ପ୍ରଳାପକୁ ଉଜାଗର କରିବା ସହ ଗୋଟାଏ ଜାତିର ଅସ୍ମିତାକୁ ଭୁଲୁଣ୍ଠିତ କରିଛି।। ପାଣ୍ଡୁଲିପି ପ୍ରକାଶନର ଦାୟିତ୍ଵ ଯଦି ସରକାର ସହୃଦୟତାର ସହ ନେଇ ଥାଆନ୍ତେ ତାହାଲେ ଓଡ଼ିଆ ଭାଷା ସାହିତ୍ୟର କର୍ଣ୍ଣଧାର ଫକୀର ମୋହନ ସେନାପତିଙ୍କୁ କୋର୍ଟର କାଠଗଢା ଛିଡ଼ା ହେବାକୁ ପଡ଼ିନଥାନ୍ତା।
ବ୍ୟାସକବି ଫକୀର ମୋହନ କେଉଁ ବ୍ୟକ୍ତିର ମାଲିକାନାରେ ନାହାଁନ୍ତି, ସେ ସବୁ ବାଦବିବାଦରୁ ଉର୍ଦ୍ଧରେ, ସେ ପ୍ରତିଟି ଓଡ଼ିଆଙ୍କର ସ୍ପନ୍ଦନ, ସେ ବ୍ୟକ୍ତି ନୁହଁନ୍ତି, ସେ ହେଉଛନ୍ତି ଗୋଟିଏ ଅନୁଷ୍ଠାନ ।ରାଜ୍ୟ ସରକାର କେଉଁ ହୀନ ଉଦ୍ଦେଶ୍ୟ ନେଇ ଫକୀର ମୋହନଙ୍କ ପାଣ୍ଡୁଲିପି ପ୍ରକାଶନର ଦାୟିତ୍ଵ ସଂସ୍କୃତି ବିଭାଗ ବା ଓଡ଼ିଆ ସାହିତ୍ୟ ଏକାଡେମୀକୁ ହସ୍ତାନ୍ତର କରିନାହାଁନ୍ତି ତାର ସ୍ପଷ୍ଟିକରଣ ଦିଅନ୍ତୁ? ଫକୀର ମୋହନଙ୍କ ବିଷୟରେ ଏବେବି ଅନେକ କଥା ଯାହାକୁ ଲୋକଲୋଚନକୁ ଆଣିବା ପାଇଁ ସରକାର ତତ୍ପରତା ଦେଖେଇ ନାହାଁନ୍ତି , ତାକୁ ତୁରନ୍ତ ପୁସ୍ତକ ମାଧ୍ୟମରେ ସାର୍ବଜନୀନ କରନ୍ତୁ। ଓଡ଼ିଆ ଜାତିର ଗର୍ବ ଗୌରବ, ଓଡ଼ିଆ ଜାତିର ପରିଚୟ ଫକୀର ମୋହନଙ୍କ ସମସ୍ତ ସମ୍ପତ୍ତିକୁ ରାଜ୍ୟ ସରକାର ତୁରନ୍ତ ନିଜ ଅକ୍ତିଆରକୁ ଆଣିବା ସହ ଏହାକୁ ଜାତିର ସମ୍ପତ୍ତି ବୋଲି ଘୋଷଣା କରନ୍ତୁ। ଫକୀର ମୋହନଙ୍କ ପାଣ୍ଡୁଲିପିକୁ ନେଇ ଉପୁଜିଥିବା ବିବାଦକୁ ତୁରନ୍ତ ଖାରଜ କରିବା ପାଇଁ ରାଜ୍ୟ ସରକାର ମାନ୍ୟବର ଅଦାଲତ ଅବଗତ କରାଇ ଉକ୍ତ ଲିପିକୁ ତୁରନ୍ତ ନିଜ ଦାୟିତ୍ବକୁ ନେଇ ବ୍ୟାସକବି ଫକୀରମୋହନ ସେନାପତିଙ୍କୁ ଉଚିତ ସମ୍ମାନ ଦିଅନ୍ତୁ ବୋଲି ଶ୍ରୀ ଦତ୍ତ ମତ ପ୍ରକାଶ କରିଛନ୍ତି । ଓଡ଼ିଆ ଭାଷା ସାହିତ୍ୟକୁ ଦିଗଦର୍ଶନ ଦେଇଥିବା ଫକୀର ମୋହନଙ୍କୁ ଚରମ ଅବହେଳା କରିଥିବା ଦୃଷ୍ଟିରୁ ଏବଂ ଓଡ଼ିଆ ଅସ୍ମିତାକୁ ଅତ୍ୟନ୍ତ ହାଲୁକା ଭାବେ ନେଇଥିବାରୁ ରାଜ୍ୟସରକାର ରାଜ୍ୟବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ।