ଟି-୨୦ ବିଶ୍ୱକପ୍ : ଆଜି ଭାରତୀୟ ଦଳ ଘୋଷଣା!
ନୂଆଦିଲ୍ଲୀ : ଆଇସିସି ଟି-୨୦ ବିଶ୍ଵ କପ୍ ୨୦୨୧ ପାଇଁ ଭାରତୀୟ କ୍ରିକେଟ୍ ଦଳର ଚୟନ ହୋଇ ଯାଇଛି। ଚେତନ ଶର୍ମାଙ୍କ ନେତୃତ୍ଵାଧୀନ ଜାତୀୟ ସିନିୟର ଦଳର ଚୟନ କମିଟି ୧୫ ଜଣିଆ ଭାରତୀୟ ଦଳ ଉପରେ ନିଷ୍ପତ୍ତି ନେଇ ସାରିଥିବା କୁହାଯାଉଛି। କେବଳ ଏହାର ଆନୁଷ୍ଠାନିକ ଘୋଷଣା ବାକି ରହିଛି। ଚୟନକର୍ତ୍ତା ଏହି ବିଷୟରେ ପ୍ରଥମରୁ ଅଧିନାୟକ ବିରାଟ କୋହଲି ଓ କୋଚ୍ ରବି ଶାସ୍ତ୍ରୀଙ୍କ ସହ ଆଲୋଚନା କରି ସାରିଛନ୍ତି। ବିଶ୍ଵ କପ୍ ପାଇଁ ଦଳକୁ ଅନ୍ତିମ ରୂପ ଦିଆଯାଇଛି। ଦଳ ଘୋଷଣା ସୋମବାର ସନ୍ଧ୍ୟାରେ କିମ୍ବା ମଙ୍ଗଳବାର ସକାଳେ କରାଯିବ। ଏହା ବ୍ୟତୀତ କୋଭିଡ୍-୧୯ କାରଣରୁ ଭାରତ କିଛି ଅତିରିକ୍ତ ଖେଳାଳିଙ୍କୁ ୟୁଏଇ ଗସ୍ତରେ ନେବ। ଆଇସିସି ପୁରୁଷ ଟି-୨୦ ବିଶ୍ଵ କପ୍ ଅକ୍ଟୋବର ୧୭ ରୁ ନଭେମ୍ବର ୧୪ ମଧ୍ୟରେ ଓମାନ ଓ ୟୁଏଇରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପ୍ରଥମ ମୁକାବିଲାରେ ପାକିସ୍ତାନକୁ ଭେଟିବ। ଏହି ହାଇ ପ୍ରୋଫାଇଲ ମ୍ୟାଚ୍ ଅକ୍ଟୋବର ୨୪ରେ ଦୁବାଇରେ ଖେଳାଯିବ। ଇନସାଇଡ୍ ସ୍ପୋର୍ଟ୍ସ ଡଟ୍ କମର ଖବର ଅନୁଯାୟୀ, ଚତୁର୍ଥ ଟେଷ୍ଟର ପରିଣାମ ଆଧାରରେ ଦଳ ଘୋଷଣା କରାଯିବ। ଯଦି ଭାରତ ମ୍ୟାଚ୍ ଜିତେ ତେବେ ଦଳ ଘୋଷଣା ସୋମବାର ସନ୍ଧ୍ୟାରେ କିମ୍ବା ମଙ୍ଗଳବାର ସକାଳେ କରାଯିବ। ବିସିସିଆଇ ସୂତ୍ର ଅନୁଯାୟୀ, ଦଳ ଘୋଷଣା ଏହି ଟେଷ୍ଟ ମ୍ୟାଚ୍ର ଫଳାଫଳ ଉପରେ ନିର୍ଭର କରେ। ଯଦି ମ୍ୟାଚ୍ ଶୀଘ୍ର ସରେ ତେବେ ଆଜି ସନ୍ଧ୍ୟାରେ ଦଳ ଘୋଷଣା କରାଯାଇପାରେ।ସୂତ୍ର ମୁତାବକ, ଅଧିନାୟକ ବିରାଟ କୋହଲି ଓ ଚୟନ କମିଟି ଦଳର ଚୟନ ବିଷୟରେ ଓଭାଲରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭର୍ଚୁଆଲ ଆଲୋଚନା କରିଥିଲେ। ଏହି ବୈଠକରେ ହିଁ ଦଳ ଘୋଷଣା ନିଷ୍ପତ୍ତି ହୋଇଥିଲା। ବିଶ୍ଵ କପ୍ ପାଇଁ ଭାରତ ୧୫ ଜଣିଆ ଦଳ ଘୋଷଣା କରିବ। ଏଥିସହ ପାଞ୍ଚ ଜଣ ଖେଳାଳିଙ୍କୁ ରିଜର୍ଭ ଖେଳାଳି ଭାବେ ଦଳରେ ସାମିଲ କରାଯାଇପାରେ ବୋଲି କୁହାଯାଉଛି। ସୂଚନା ଯେ, ଆଇସିସି ସମସ୍ତ ଦଳକୁ ସେପ୍ଟେମ୍ବର ୧୦ ସୁଦ୍ଧା ନିଜର ଦଳ ଘୋଷଣା କରିବାକୁ କହିଛି। ଆଇସିସି କେବଳ ୧୫ ଜଣ ଖେଳାଳିଙ୍କ ଖର୍ଚ୍ଚଭାର ବହନ କରିବ। ଅନ୍ୟ ଖେଳାଳିଙ୍କ ଖର୍ଚ୍ଚ ସମ୍ବନ୍ଧିତ ବୋର୍ଡ ଉଠାଇବେ।
ଭାରତର ସମ୍ଭାବିତ ୧୫ ଜଣିଆ ଦଳ :
କେଏଲ ରାହୁଲ, ରୋହିତ ଶର୍ମା(ଉପ ଅଧିନାୟକ), ବିରାଟ କୋହଲି(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମି, ଯଶପ୍ରୀତ ବୁମରା, ଦୀପକ ଚହର, ୟୁଜବେନ୍ଦ୍ର ଚହଲ, ଶ୍ରେୟସ ଆୟର, ଇଶାନ କିଶନ(ଓ୍ଵିକେଟ୍ କିପର), ଭୁବନେଶ୍ଵର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା।
ରିଜର୍ଭ ଖେଳାଳି :
ରବିଚନ୍ଦ୍ରନ ଅଶ୍ଵିନ, ବରୁଣ ଚକ୍ରବର୍ତ୍ତୀ, ପୃଥ୍ଵୀ ଶ, ପ୍ରସିଦ୍ଧ କୃଷ୍ଣା, ଶିଖର ଧାଓ୍ଵନ, ମହମ୍ମଦ ସିରାଜ।