ଟି-୨୦ ୱାର୍ଲ୍ଡ କପ : ନୂଆ ଜର୍ସିରେ ଓହ୍ଲାଇବ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ : ଆସନ୍ତା ମାସ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ୱାର୍ଲ୍ଡ କପ ପାଇଁ ଭାରତୀୟ ଟିମ୍ ଜୋରଦାର ପ୍ରସ୍ତୁତି ଚଲାଇଛି । ଗତକାଲି ୧୫ଜଣିଆ ଟିମ୍ ଘୋଷଣା କରାଯାଇଥିବାବେଳେ ନୂଆ ଜର୍ସି ମଧ୍ୟ ଆସିବାକୁ ଯାଉଛି। ଭାରତୀୟ ଟିମର ଅଫିସିଆଲ କିଟ ପାର୍ଟନର ‘ଏମପିଏଲ ସ୍ପୋର୍ଟସ’ ଏକ ଭିଡିଓ ସେୟାର କରିଛି ଯେଉଁଥିରେ ନୂଆ ଜର୍ସି ସମ୍ବନ୍ଧରେ ତଥ୍ୟ ସାମ୍ନାକୁ ଆସିଛି । ଉକ୍ତ ଭିଡିଓରେ ରୋହିତ ଶର୍ମା, ଶ୍ରେୟସ ଅୟର ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଖିବାକୁ ମିଳିଛି।
ସୂଚନା ଯେ, ଟି-୨୦ ୱାର୍ଲ୍ଡ କପର ଶୁଭାରମ୍ଭ ଅକ୍ଟୋବର ୧୨ରେ ଅଷ୍ଟ୍ରେଲିୟା ଓ ନ୍ୟୁଜିଲାଣ୍ଡ ମ୍ୟାଚ ସହ ହେବାକୁ ଯାଉଛି । ଏହି ମ୍ୟାଚ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ଅକ୍ଟୋବର ୨୩ରେ ଭାରତୀୟ ଟିମ୍ ପାକିସ୍ତାନ ବିରୋଧରେ ଖେଳି ଅଭିଯାନ ଆରମ୍ଭ କରିବ । ସେହିପରି ଅଷ୍ଟ୍ରେଲିଆରେ ହେବାକୁ ଥିବା ୨୦୨୨ ଟି-୨୦ ୱାର୍ଲ୍ଡ କପ୍ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି । ଦଳରେ ରୋହିତ ଶର୍ମା ଅଧିନାୟକ ଏବଂ କେଏଲ ରାହୁଲ ଉପଅଧିନାୟକ ଦାୟିତ୍ୱ ସମ୍ଭାଳିବେ। ଅନ୍ୟପଟେ ଦ୍ରୁତ ବୋଲର ଜସପ୍ରୀତ ବୁମରା ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତିି । ଟି-୨୦ ୱାର୍ଲ୍ଡ କପରେ ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲୀ, ସୂର୍ୟ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ୍, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜସପ୍ରୀତ ବୁମରାହ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ ଓ ଅର୍ଶଦୀପ ସିଂହଙ୍କୁ ସାମିଲ କରାଯାଇଛି । ଅନ୍ୟପଟେ ମହମ୍ମଦ ସାମି, ଶ୍ରେୟସ ଅୟର, ରବି ବିସ୍ନୋଇ ଓ ଦୀପକ ଚହରଙ୍କୁ ଷ୍ଟେଣ୍ଡବାୟରେ ରଖାଯାଇଛି ।