ଟି-୨୦ ବିଶ୍ୱକପ : ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ନୂଆଦିଲ୍ଲୀ : ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲା ଅକ୍ଟୋବର ୨୩ରେ ଅଷ୍ଟ୍ରେଲିଆରେ ଖେଳାଯିବ। ଏହି ମ୍ୟାଚ୍ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ବହୁପ୍ରତୀକ୍ଷିତ ଏହି ହାଇଭୋଲଟେଜ୍ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଷ୍ଟାଡିୟମର ଦର୍ଶକ କ୍ଷମତା ୧ ଲକ୍ଷରୁ ଅଧିକ ରହିଛି। ତେଣୁ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଏହି ଷ୍ଟାଡିୟମ ସବୁଠୁ ସର୍ବୋତ୍କୃଷ୍ଟ। କାରଣ ଏହି ମୁକାବିଲାରେ ଷ୍ଟାଡିୟମରେ ଅଧିକରୁ ଅଧିକ ଲୋକ ଦେଖି ପାରିବେ।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୨୩ ଅର୍ଥାତ ରବିବାର ମ୍ୟାଚ୍ ଖେଳାଯିବ। ଏହା କୌଣସି ମହାମୁକାବିଲାଠୁ କମ୍ ନୁହେଁ। କାରଣ ଦୁଇ ଦଳର ଯେମିତି ପ୍ରଶଂସକ ଅଛନ୍ତି ଏହାରି ଆଧାରରେ ମୁକାବିଲା ଗୁରୁତ୍ଵପୂର୍ଣ୍ଣ ପାଲଟି ଯାଉଛି। ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡର ଅଧିକାରୀ ଟୁଇଟର ହ୍ୟାଣ୍ଡେଲରେ କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ପଡିଆ କର୍ମଚାରୀ ପିଚ୍ ଏବଂ ପଡିଆ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି।
ମେଲବୋର୍ଣ୍ଣ କ୍ରିକେଟ୍ ଷ୍ଟାଡିୟମ ଦୁନିଆର ଦ୍ଵିତୀୟ ସବୁଠୁ ବଡ ଷ୍ଟାଡିୟମ। ପ୍ରଥମ ବଡ ଷ୍ଟାଡିୟମ ହେଉଛି ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ। ଏହାର ଦର୍ଶକ କ୍ଷମତା ଏମସିଜିଠୁ ଅଧିକ ରହିଛି। ଏହି ଦୁଇ ଷ୍ଟାଡିୟମ ହିଁ ଭାରତ ଏବଂ ପାକିସ୍ତାନ ମୁକାବିଲାର ଆୟୋଜନ ପାଇଁ ସବୁଠୁ ଉପଯୁକ୍ତ ଗ୍ରାଉଣ୍ଡ। କାରଣ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀଙ୍କ ମୁକାବିଲା ଦେଖିବା ପାଇଁ ଅଧିକରୁ ଅଧିକ ଦର୍ଶକ ଷ୍ଟାଡିୟମ ପହଞ୍ଚି ଥାଆନ୍ତି।