ଟି-୨୦ ବିଶ୍ୱକପ : ଆୟର୍ଲ୍ୟାଣ୍ଡକୁ ୪୨ ରନରେ ହରାଇଲା ଅଷ୍ଟ୍ରେଲିଆ
ବ୍ରିସବେନ : ଚଳିତ ଟି-୨୦ ବିଶ୍ୱକପରେ ଆଜି ଆୟର୍ଲ୍ୟାଣ୍ଡକୁ ୪୨ ରନରେ ହରାଇଲା ଅଷ୍ଟ୍ରେଲିଆ। ପୂର୍ବରୁ ଦଳ ଶ୍ରୀଲଙ୍କାକୁ ହରାଇଥିଲା। ଆଜିର ବିଜୟ ସହ ଦଳ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି। ଅଷ୍ଟ୍ରେଲିଆ ଏଯାଏ ୪ଟି ମ୍ୟାଚ୍ ଖେଳିଥିବା ବେଳେ ୨ଟିରେ ଜିତିଛି ଓ ଗୋଟିଏରେ ହାରିଛି। ସେହିପରି ବର୍ଷା ଯୋଗୁ ଗୋଟିଏ ମ୍ୟାଚ୍ ବାତିଲ ହୋଇଥିଲା। ଫଳରେ ଅଷ୍ଟ୍ରେଲିଆର ପଏଣ୍ଟ ସଂଖ୍ୟା ୫ରେ ପହଞ୍ଚି ଯାଇଛି। ସେହିପରି ଦଳ ତାର ଶେଷ ମ୍ୟାଚ୍ରେ ଆଫଗାନିସ୍ତାନକୁ ଭେଟିବ। ତେଣୁ ସେମି ଫାଇନାଲ ଖେଳିବା ପାଇଁ ଅଷ୍ଟ୍ରେଲିଆ ପାଖରେ ଯଥେଷ୍ଟ ସୁଯୋଗ ରହିଛି। ସେହିପରି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡ ଓ ତୃତୀୟ ସ୍ଥାନରେ ଇଂଲଣ୍ଡ ରହିଛି। ଇଂଲଣ୍ଡ ପାଖରେ ୨ଟି ମ୍ୟାଚ ରହିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ସମାନ ସଂଖ୍ୟକ ମ୍ୟାଚ୍ ଖେଳିବ। ତେଣୁ ଗ୍ରୁପ-୧ରୁ କେଉଁ ଦୁଇ ଦଳ ସେମି ଫାଇନାଲକୁ ଯାଉଛନ୍ତି, ତା’କୁ ନେଇ ଚର୍ଚ୍ଚା ଜାରି ରହିଛି।
ଆୟର୍ଲ୍ୟାଣ୍ଡ ବିପକ୍ଷରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରେ ୫ ୱିକେଟ ହରାଇ ୧୭୯ ରନ କରିଥିଲା। ଦଳ ପାଇଁ ଅଧିନାୟକ ଆରୋନ ଫିଞ୍ଚ ୪୪ ବଳରେ ୬୩ ରନର ଇନିଂସ ଖେଳିଥିଲେ। ସେହିପରି ମିଚେଲ ମାର୍ଶ ୨୮, ଗ୍ଲେନ ମ୍ୟାକ୍ସୱେଲ ୧୩, ମାର୍କସ ଷ୍ଟୋଇନିସ ୩୫ ରନ କରିଥିଲେ। ଶେଷ ଭାଗରେ ଟିମ୍ ଡାଭିଡ ୧୦ ବଲରେ ଅପରାଜିତ ୧୫ ଓ ମାଥ୍ୟୁ ୱେଡ ୩ ବଲରେ ଅପରାଜିତ ୭ ରନ କରିବାରୁ ଅଷ୍ଟ୍ରେଲିଆ ୧୭୯ ରନରେ ପହଞ୍ଚିଥିଲା।
୧୮୦ ରନର ଟାର୍ଗେଟ ପିଛା କରୁଥିବା ଆୟର୍ଲ୍ୟାଣ୍ଡ ପାଇଁ ଲୋରକାନ ଟକର ୪୮ ବଲରେ ଅପରାଜିତ ୭୧ ରନର ଇନିଂସ ଖେଳିଥିଲେ ମଧ୍ୟ ଅନ୍ୟ କୌଣସି ବ୍ୟାଟର ତାଙ୍କ ସାଥ ଦେଇ ନଥିଲେ। ସେ ଗୋଟିଏ ପଟେ ଶେଷ ଯାଏ ଅପରାଜିତ ରହିଥିଲେ। ଦଳର ଓପନର ପଲ ଷ୍ଟ୍ରିରଲିଙ୍ଗ ୧୧, ଅଧିନାୟକ ଆଣ୍ଡ୍ର୍ୟୁ ବାଲବିରିନ ୬, ହ୍ୟାରି ଟେକ୍ଟର ୬ ରନ କରିବାକୁ ସକ୍ଷମ ହୋଇଛନ୍ତି। କାମ୍ପେର ଓ ଜର୍ଜ ଡୋକରେଲ ଖାତା ଖୋଲିବା ପୂର୍ବରୁ ମିଚେଲ ଷ୍ଟାର୍କଙ୍କ ବଲରେ ପ୍ୟାଭିଲିନୟ ଫେରିଥିଲେ। ଗାରେଥ ଡେଲାନୀ ୧୪, ମାର୍କ ଅଦର ୧୧, ଫିଓନ୍ନ ହ୍ୟାଣ୍ଡ ୬ ଓ ବ୍ୟାରୀ ମ୍ୟାକକ୍ରାଥୀ ୩ ବେଶୀ କିଛି କରିପାରି ନଥିଲେ। ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ଟକର ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିସହ ଦ୍ରୁତ ଗତିରେ ଦଳୀୟ ସ୍କୋରକୁ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ୧୯ତମ ଓଭରର ପ୍ରଥମ ବଲରେ ଜୋଶ ଲିଟିଲ ରନ ଆଉଟ ହୋଇଯିବାରୁ ଆୟର୍ଲ୍ୟାଣ୍ଡ ଇନିଂସରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ପାଟ କମିନ୍ସ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା ଓ ମ୍ୟାକ୍ସୱେଲ ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ଷ୍ଟୋଇନିସ ଗୋଟିଏ ସଫଳତା ପାଇଛନ୍ତି। ତେବେ ଦମଦାର ୬୩ ରନ ଇନିଂସ ଖେଳିଥିବା ଫିଞ୍ଚ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।