ରାଜ୍ୟରେ ସୁନ୍ଦରଗଡ଼ ସବୁଠାରୁ ଥଣ୍ଡା ସହର
ଭୁବନେଶ୍ୱର: ଗତ ରାତ୍ରରେ ଓଡ଼ିଶାର ୯ଟି ସ୍ଥାନରେ ରାତ୍ର ତାପମାତ୍ରା ୧୨ ଡିଗ୍ରୀ ତଳେ ଥିବା ଜଣାଯାଇଛି । ସୁନ୍ଦରଗଡ଼ ସବୁଠୁ ଥଣ୍ଡା ସହର ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏଠାକାର ତାପମାତ୍ର ଥିଲା ୮.୦ ଡିଗ୍ରି ସେଲସିଅସ୍ । ଅପରପକ୍ଷରେ କଟକରେ ୧୩.୫ ଓ ଭୁବନେଶ୍ୱର ରେ ୧୪.୬ ଡିଗ୍ରି ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି । ୧୨ ଡିଗ୍ରି ତଳେ ଥିବା ସହରଗୁଡ଼ିକ ହେଲା, ଝାରସୁଗୁଡ଼ା ୧୧.୦, କେନ୍ଦୁଝର ୧୦.୪, ଦାରିଙ୍ଗବାଡ଼ି ୮.୫, ସୁନ୍ଦରଗଡ଼ ୮.୦, ଫୁଲବାଣୀ ୮.୫, ଟିଟଲାଗଡ଼ ୮.୮, ସୋନପୁର ୧୧.୦ ଡିଗ୍ରି, ବଲାଙ୍ଗୀର ୧୧.୦ ଓ ବୌଦ୍ଧ ୧୦.୦ ଡିଗ୍ରି ସେଲସିଅସ୍ ।
ସୂଚନାଯୋଗ୍ୟ,ଏ ବର୍ଷ ୧୫ ଦିନ ବିଳମ୍ବରେ ରାଜ୍ୟକୁ ଶୀତ ପ୍ରବେଶ କରିଛି । ଶୀତର ପ୍ରକୋପ ଓ ସମୟ ମଧ୍ୟ କମ୍ ଦିନ ରହିବ । ଆଉ କିଛି ଦିନ ପରେ ଶୀତ କମିଯିବ ଓ ଜାନୁଆରି, ଫେବ୍ରୁଆରିରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ଗତ ସପ୍ତାହେ ହେଲା, ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବା ସହ ଥଣ୍ଡା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ରାଜ୍ୟକୁ କ୍ରମାଗ୍ରତ ଉତର ଦିଗରୁ ପ୍ରବେଶ କରୁଥିବା ଥଣ୍ଡା ଓ ଶୁଷ୍କ ବାୟୁ ପ୍ରଭାବ ରାତିରେ ଅଧିକ ଶକ୍ତିଶାଳୀ ହୋଇଛି । ଏବେ ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶାକୁ ପ୍ରବେଶ କରୁଛି । ଏହାର ପ୍ରଭାବରେ ରାଜ୍ୟରେ ଶୀତ ସାମାନ୍ୟ କମିବ । ପାରଦ ଊର୍ଧ୍ୱଗାମୀ ହେବ । ଏଥିସହ ୨୭ ଓ ୨୮ତାରିଖରେ ରାଜ୍ୟରେ ବର୍ଷାର ବି ସମ୍ଭାବନା ରହିଛି । ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି ।