ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ହମଲା : ୧୯ ମୃତ, ୨୭ ଆହତ
କାବୁଲ : ଅଶାନ୍ତ ଆଫଗାନିସ୍ତାନ। ରାଜଧାନୀ କାବୁଲର ଶିତ୍ତେ ଏରିଆରେ ଥିବା ଏକ ଶିକ୍ଷାନୁଷ୍ଠାନରେ ଭୟଙ୍କର ବୋମା ବିସ୍ଫୋରଣ। ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ହେଉଥିବା ବେଳେ ଘଟିଛି ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ। ଶୁକ୍ରବାର ଜଣେ ଆତଙ୍କବାଦୀ ଶିକ୍ଷା କେନ୍ଦ୍ର ଭିତରେ ହମଲା କରିଛି। ଏଥିରେ ଶିକ୍ଷାନୁଷ୍ଠାନର କିଛି ପିଲାଙ୍କ ସହ ମୋଟ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ଖବର ପାଇ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଏବେ ଆକ୍ରମଣର କାରଣ ଖୋଜୁଛନ୍ତି। ଏଥିସହ ମୃତାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରୁଛନ୍ତି।
ଏନେଇ ପୁଲିସ ମୁଖପାତ୍ର ଖାଲିଦ ଜର୍ଦ୍ଦାନ କହିଛନ୍ତି, “କାବୁଲର ପିଡି ୧୩ରେ ଥିବା କାଜ୍ ଶିକ୍ଷାନୁଷ୍ଠାନରେ ଆଜି ପରୀକ୍ଷା ହେବାର ଥିଲା। ଏଥିପାଇଁ ପିଲାମାନେ ପ୍ରସ୍ତୁତ ହେଉଥିଲେ। କିନ୍ତୁ ହଠାତ୍ ଶିକ୍ଷା କେନ୍ଦ୍ରରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଦୁଭାର୍ଗ୍ୟବଶତଃ ୧୯ ଜଣ ପ୍ରାଣ ହରାଇଛନ୍ତି ଓ ୨୭ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି।”
କାବୁଲର ଶିହା ସଂପ୍ରଦାୟର ଲୋକମାନେ ରହୁଥିବା ଅଞ୍ଚଳରେ ଏପରି ବିସ୍ଫୋରଣ ହୋଇଛି। ଶିହା ସଂପ୍ରଦାୟର ପିଲା ଓ ଲୋକଙ୍କୁ ଟାର୍ଗେଟ କରି ହମଲା କରାଯାଇଥିବା ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ ନାଫି ଟାକୋର ଟ୍ୱିଟ କରିଛନ୍ତି। ସେ କହିଛନ୍ତି, କାଜ ନାମକ ଗୋଟିଏ ଶିକ୍ଷାନୁଷ୍ଠାନରେ ଆକ୍ରମଣ ହୋଇଛି। ଫଳରେ ଅନେକ ଲୋକ ପ୍ରାଣ ହରାଇବା ସହ ଆହତ ହୋଇଛନ୍ତି। ଏହି ଘଟଣା ପରେ ସୁରକ୍ଷାକର୍ମୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆକ୍ରମଣର କାରଣ ଓ ମୃତ୍ୟୁ ସଂଖ୍ୟା କିଛି ସମୟ ପରେ ସୂଚନା ଦିଆଯି ବୋଲି ନାଫି କହିଛନ୍ତି।