ଫୁଲୁଛି ସୁବର୍ଣ୍ଣରେଖା : ଆଜି ମଧ୍ୟାହ୍ନରେ ଛୁଇଁବ ପିକ୍, ପ୍ରଶାସନ ସତର୍କ
ଭୁବନେଶ୍ୱର : ଝାରଖଣ୍ଡ ଗାଲୁଡିହ ଡ୍ୟାମରୁ ପାଣି ଆସିବା ପରେ ସୁବର୍ଣ୍ଣରେଖା ନଦୀ ଫୁଲିବାରେ ଲାଗିଛି । ଭୟଙ୍କର ରୂପ ଧାରଣ କରିଛି ସୁବର୍ଣ୍ଣରେଖା । ଝାଡଖଣ୍ଡ ଗାଲୁଡିହି ବ୍ୟାରେଜର ୧୮ଟି ଗେଟ୍ ଯୋଗେ ବନ୍ୟା ଜଳ ନିଷ୍କାସିତ ହେଉଥିବାରୁ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ବଡ଼ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି । ଫଳରେ ବାଲେଶ୍ୱର ଜିଲାର ବାଳିଆପାଳ ଓ ଭୋଗରାଇର ତଳିଆ ଅଞ୍ଚଳରେ ପାଣି ପଶିବା ଭୟ ରହିଛି । ବାଲିଆପାଳର ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ବାଲେଶ୍ୱର ଜିଲାର ୪ଟି ବ୍ଲକରୁ ୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବନ୍ୟା ପ୍ରବଣ ୩୩୬ଟି ଗାଁର ପାଖାପାଖି ଦେଢ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ନଦୀବନ୍ଧର ଦୁର୍ବଳ ସ୍ଥାନଗୁଡିକ ଉପରେ ନଜର ରଖିଛନ୍ତି ସ୍ୱତନ୍ତ୍ର ଟିମ୍ ।
ଭୋଗରାଇ ନିକଟରେ ସୁବର୍ଣ୍ଣରେଖାର ଜଳସ୍ତର ଲଗାତାର ବଢିବାରେ ଲାଗିଛି । ଯାହାକୁ ନେଇ ନଈକୁଳିଆ ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ନଦୀବନ୍ଧ ଉପରେ ଆସି ଲୋକେ ଜଗି ରହିଛନ୍ତି । ସୁବର୍ଣ୍ଣରେଖାରେ ଜଳସ୍ତର ବଢୁଥିବା ବେଳେ ନଦୀବନ୍ଧ ଦୁର୍ବଳ ଥିବା ସ୍ଥାନରେ ଜଳ ସଂପଦ ବିଭାଗର ଅଧିକାରୀ ଓ ସ୍ଥାନୀୟ ବାସିନ୍ଦା ଜଗିରହିଛନ୍ତି । ଉତର ଓଡିଶାରେ ବଡ ଧରଣର ବନ୍ୟା ଆସିବା ନେଇ ଏସଆରସିଙ୍କ ସୂଚନା ପରେ ମୁକାବିଲା ପ୍ରସ୍ତୁତି ଆରମ୍ଭ ହୋଇଛି । ବନ୍ୟା ଯୋଗୁଁ ପ୍ରଭାବିତ ହେବା ଅଂଚଳରେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ସଜାଗ ଅଛନ୍ତି । ତଳିଆ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ।
ସୁବର୍ଣ୍ଣରେଖାରେ ବନ୍ୟା ପରିସ୍ଥିତିକୁ ନେଇ ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । କହିଛନ୍ତି ରାଜଘାଟ ଠାରେ ବିପଦ ସଙ୍କେତ ଉପରେ ସୁବର୍ଣ୍ଣନଦୀର ଜଳସ୍ତର ରହିଛି । ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିଲା ବେଳେ ଏବେ ୧୧.୯୦ ମିଟର ଜଳ ପ୍ରବାହିତ ହେଉଛି । ଏହା ଯୋଗୁଁ ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ବନ୍ୟାପାଣି ପଶିଛି । ଆଜି ୧୨ଟା ବେଳକୁ ରାଜଘାଟ ଠାରେ ବନ୍ୟା ପାଣି ପିକକୁ ଛୁଇଁବ । ଝାଡଖଣ୍ଡ ସହ ସମନ୍ୱୟ ରକ୍ଷା କରି ଜଳ ସମ୍ପଦ ବିଭାଗ ବନ୍ୟା ଜଳ ପରିଚାଳନା କରୁଛି । ସେପଟେ ବୈତରଣୀରେ ଫ୍ଲଡ ପିକକୁ ଛୁଇଁବା ପରେ ଏବେ ଜଳସ୍ତର ଖସୁଛି । କିନ୍ତୁ ବୈତରଣୀରେ ଏବେ ବି ବିପଦ ସଙ୍କେତ ଉପରେ ରହିଛି ବନ୍ୟା ଜଳ ।
ବନ୍ୟା ମୁକାବିଲା ଲାଗି ୫ ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି । ଜଳେଶ୍ବର ବ୍ଲକ ପାଇଁ ଏଡିଏମ୍ ନିଲୁ ମହାପାତ୍ର, ଭୋଗରାଇ ବ୍ଲକ ପାଇଁ ଉପଜିଲାପାଳ କିଶୋର ଚନ୍ଦ୍ର ସ୍ବାଇଁ, ବାଲିଆପାଳ ବ୍ଲକ ପାଇଁ ପିଡି ରବୀନ୍ଦ୍ର କୁମାର ସାହୁ, ବସ୍ତା ବ୍ଲକ ପାଇଁ ନୀଳଗିରି ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ ଓ ଏପିଡି ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ଦାୟିତ୍ବ ଦିଆଯାଇଛି । ଏହି ଅଧିକାରୀମାନେ ବନ୍ୟା ମୁକାବିଲା, ଉଦ୍ଧାର କାର୍ଯ୍ୟ ଓ ରିଲିଫ କାର୍ଯ୍ୟରେ ତହସିଲଦାର, ବିଡିଓ ଓ ଅନ୍ୟ ପଦାଧିକାରୀଙ୍କୁ ସହଯୋଗ କରିବେ । ୪ଟି ବ୍ଲକରେ ୮୦ଟି ବାତ୍ୟା ଆଶ୍ରୟସ୍ଥଳୀ ସହ ବନ୍ୟାଞ୍ଚଳରେ ଥିବା ସମସ୍ତ ସ୍କୁଲଗୁଡ଼ିକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିବାକୁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି । ଜରୁରୀକାଳୀନ ସ୍ବାସ୍ଥ୍ୟସେବା ପାଇଁ ଆଡଭାନ୍ସ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ରଖାଯାଇଛି । ଆରୁହାବୃତ୍ତି, ଖରିଦପିପଳ, ନାଚିନ୍ଦା, କୁମ୍ଭୀରଗଡ଼ି ଓ ଗବଗାଁରେ ଥିବା ସିଏଚସି ଓ ପିଏଚ୍ସିଗୁଡ଼ିକରେ ୨୦ ଜଣ ଡାକ୍ତର ଓ ଏକାଧିକ ସ୍ବାସ୍ଥ୍ୟକର୍ମୀ ପ୍ରସ୍ତୁତ ହୋଇ ରହିଛନ୍ତି। ସେହିପରି ବାଲିଆପାଳ ଓ ବସ୍ତା ବ୍ଲକରେ ୨ଟି ଲେଖା ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଟିମ୍କୁ ମୁତୟନ କରାଯାଇଛି ।