ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାଯିବା ଘଟଣା : ଯାଞ୍ଚ ପାଇଁ ୨ଜଣିଆ ଟିମ୍ ଗଠିତ
ପୁରୀ : ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାଯିବା ଘଟଣାର ଯାଞ୍ଚ ପାଇଁ ଗଠନ ହୋଇଛି ୨ଜଣିଆ ଟିମ୍ । ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଓ ନୀତି ପ୍ରଶାସକଙ୍କୁ ନେଇ ଟିମ ଗଠନ ହୋଇଛି । ଦାୟିତ୍ବରେ ଥିବା ୩ ସେବାୟତ ଓ ଜେଟିପିଙ୍କୁ ଚାଲିଛି ଜେରା । ୨ଦିନ ମଧ୍ୟରେ ତଦନ୍ତ କରି ଟିମ୍ ରିପୋର୍ଟ ଦେବ ବୋଲି ସୂଚନା ମିଳିଛି ।
ଶ୍ରୀମନ୍ଦିରର ରୋଷଘରେ ଚୁଲି ଭାଙ୍ଗିବା ଘଟଣାର ତଦନ୍ତ ପାଇଁ ୨ ଜଣିଆ କମିଟି ଗଠନ ହୋଇଛି । ସୁରକ୍ଷା ପ୍ରଶାସକ ଓ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ନେଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ୪ଜଣଙ୍କୁ ଜେରା କରାଯାଇଛି । ଧୋପଖାଳ, ପାଇକ, ଦ୍ୱାରପାଳିଆ ଓ ଅଙ୍ଗାରିଆ ସେବାୟତଙ୍କୁ ଜେରା କରାଯାଇଛି । ଶ୍ରୀମନ୍ଦିର ରୋଷଘରେ ୪୦ରୁ ଅଧିକ ଚୁଲିକୁ ଭାଙ୍ଗି ଦିଆଯାଇଛି । ପିଠାଆଡ଼ର ୧୫, ଥାଳି ଆଡର ୧୦/୧୨ଟି, ସାତପୁରୀର ୧୦/୧୨ଟି, ଅହିଆ(ଡ଼ାଲି, ତରକାରୀ ରନ୍ଧା ପାଇଁ ବଡ ଚୁଲି) ୨ଟା, କୋଠ ଭୋଗ ଚୁଲି ୨ଟା, ତୁଣ ସୁଆରଙ୍କ ୨ଟି ଚୁଲି ଆଦି ରହିଛି । ଗତକାଲି ବଡ଼ସିଂହାର ଭୋଗ ଶେଷ ପରେ ଏଭଳି କାଣ୍ଡ କେହି ଭିଆଇ ଥିବା ଅନୁମାନ କରାଯାଉଛି । ଚୁଲିକୁ ନେଇ ସେବାୟତଙ୍କ ବିବାଦ ଏହାର କାରଣ ବୋଲି କେହି କହୁଛନ୍ତି । ଅନ୍ୟପଟେ ରୋଷ ଦୁଆରୀ, ରୋଷ ପାଇକ ପାଉଣା ବିବାଦ ପାଇଁ ଏଭଳି ହୋଇଥାଇପାରେ ବୋଲି କେହି କେହି କହୁଛନ୍ତି । ରୋଷ ଘରେ ସିସି ଟିଭି ଲାଗିଥିବାରୁ ଏହାର ବିଧିବଦ୍ଧ ଯାଂଚ ପାଇଁ ସେବାୟତ ମହଲ ଦାବି କରିଛନ୍ତି । କୋଠ ଭୋଗ ଚୁଲା ଭାଙ୍ଗି ଯାଇଥିବାରୁ ବହୁ ଦିନ ପରେ ଆଜି କଡେଇରେ କୋଠ ଭୋଗ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କୁ ଲାଗି ହୋଇଛି । ସେପଟେ ଚୁଲି ଭାଙ୍ଗି ଯାଇଥିବାରୁ ଭଅଣ୍ଡ ଉଠିବା ଓ ଲୋକେ ବରାଦି ଅବଢା ପାଇବା ବିଳମ୍ବ ହେବ ବୋଲି ଆଶଙ୍କା କରାଯାଉଛି ।