କୃଷି ଉତ୍ପାଦନରେ ଆତ୍ମନିର୍ଭରଶୀଳତା , ଗୁଣାତ୍ମକ ମାନ ବୃଦ୍ଧି ହାସଲ ଆମର ଲକ୍ଷ୍ୟ: ମନ୍ତ୍ରୀ
କୃଷି ଉଦ୍ୟୋଗ କର୍ପୋରେଟ ସଂସ୍ଥା ଓ କୃଷକ ଉତ୍ପାଦକ ସଂଗଠନମାନଙ୍କ ସହ ଗୋଲଟେବୁଲ ବୈଠକ
ଭୁବନେଶ୍ୱର : କୃଷି ଉତ୍ପାଦନରେ ଆତ୍ମନିର୍ଭରଶୀଳତା, ତତ୍ ପରେ ବଳକା ରାଜ୍ୟର ସ୍ଥିତି ଓ ସର୍ବୋପରି ଗୁଣାତ୍ମକ ମାନବୃଦ୍ଧି ହାସଲ କରିବା ଆମର ଲକ୍ଷ୍ୟ । କୃଷକ ଓ ଖାଉଟି ମଧ୍ୟରେ ଥିବା ଦୂରତାକୁ କମାଇଲେ ଉଭୟ ଲାଭବାନ ହେବେ, ଯାହାକି ସମ୍ଭବ ହୋଇପାରିବ କୃଷକ ଉତ୍ପାଦକ ସଂଗଠନମାନଙ୍କ ମାଧ୍ୟମରେ । ଆଜି ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ସେଂଟରରେ ଓଡ଼ିଶାରେ କୃଷି ବିପଣନ ସୁଯୋଗ ନିମନ୍ତେ କୃଷି ଉଦ୍ୟୋଗ କର୍ପୋରେଟ ସଂସ୍ଥା ଓ କୃଷକ ଉତ୍ପାଦକ ସଂଗଠନମାନଙ୍କ ସହ ଗୋଲଟେବୁଲ୍ ବୈଠକକୁ ଉଦ୍ଘାଟନ କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏହାକହିଛନ୍ତି ।
ବର୍ତମାନ ରାଜ୍ୟରେ ପିକେଭିୱାଇ, ଆରକେଭିୱାଇ, ଏମ୍ଆଇଡିଏଚ୍, ଓଡ଼ିଶା ମିଲେଟ୍ ମିଶନ, କୃଷି ଉତ୍ପାଦନ ପୁଞ୍ଜ, କେନ୍ଦ୍ରୀୟ ଯୋଜନା (୧୦ ହଜାର କୃଷକ ଉତ୍ପାଦକ ସଂଗଠନ ଗଠନ ଓ ପ୍ରୋତ୍ସାହନ) ଇତ୍ୟାଦି ଜରିଆରେ ୬୦୦ରୁ ଅଧିକ କୃଷକ ଉତ୍ପାଦକ ସଂଗଠନକୁ ପ୍ରୋତ୍ସାହନ ଓ ସହାୟତା ଦିଆଯାଉଛି । ନିରନ୍ତର ଉତ୍ସ ମଡେଲ୍ ପ୍ରତିଷ୍ଠା କରିବା ପାଇଁ ଓଡ଼ିଶା ସରକାର ଘରୋଇ ସଂସ୍ଥାମାନଙ୍କ ସହ କୃଷକ ଉତ୍ପାଦକ ସଂଗଠନମାନଙ୍କୁ ନିୟୋଜିତ କରୁଛନ୍ତି । ଭିତିୂଭୂମି ପାଇଁ ନିବେଶ, ମୂଲ୍ୟଯୋଗ, ଗୁଣବତା ବୃଦ୍ଧି ଏବଂ ଉଚିତ ବଜାର ସଂଯୋଗୀକରଣ ଜରିଆରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଆଶାତୀତ ଉନ୍ନତି ହୋଇପାରିବ । କୃଷକମାନଙ୍କ ଆୟବୃଦ୍ଧି ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା । କୃଷକ ଉତ୍ପାଦକ ସଂଗଠନକୁ ପ୍ରୋତ୍ସାହନ, ଉତ୍ପାଦନ ପୁଞ୍ଜର ଦୃଢ଼ୀକରଣ ଏବଂ ମୂଲ୍ୟଯୋଗ ପାଇଁ ଯୋଜନାର ସମ୍ମିଶ୍ରଣ ମାଧ୍ୟମରେ କୃଷି ବିପଣନ ପରିବେଶକୁ ଶକ୍ତିଶାଳୀ କରିବା ପାଇଁ ପ୍ରୟାସ ଜାରି ରହିଛି । ଘରୋଇ ସଂସ୍ଥା ବଜାର ଚାହିଦା ସୂଚାଇବା ମାତ୍ରେ ରାଜ୍ୟ ସରକାର ବଜାର ଚାହିଦା ମୁତାବକ ବଜାରଭିତିକ ପୁଞ୍ଜ ପ୍ରତିଷ୍ଠା କରି ଉତ୍ପାଦନ ପ୍ରଣାଳୀକୁ ସୁପ୍ରବାହୀ କରିବା, ଯୋଗାଣରେ ନିରନ୍ତରତା ଓ ଗୁଣବତା ନିଶ୍ଚିତ କରିବା ପାଇଁ କୃଷକ ଉତ୍ପାଦକ ସଂଗଠନର ଦକ୍ଷତା ବୃଦ୍ଧି କରିବାକୁ ସମ୍ମିଳିତ ପଦକ୍ଷେପ ନେବାକୁ ଯାଉଛନ୍ତି ।
ଏହି ବୈଠକରେ ଅନ୍ୟତମ ଅତିଥି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ସଂଜୀବ ଚୋପ୍ରା କହିଥିଲେ ଯେ କୃଷକମାନଙ୍କୁ ଦର କଷିବା ଶକ୍ତି ଯୋଗାଇବା ନିମନ୍ତେ କୃଷକ ଉତ୍ପାଦକ ସଂଗଠନମାନଙ୍କୁ ଅଧିକ ଶକ୍ତିଶାଳୀ କରିବା ଆବଶ୍ୟକ । ସ୍ୱତନ୍ତ୍ର ଶାସନ ସଚିବ ସଂଜୀବ କୁମାର ଚଢ଼ା କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ଥିବା ବଳକା ଉତ୍ପାଦ ଉପରେ ସୂଚନା ଦେଇଥିଲେ । ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଅଂଜନା ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲାବେଳେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ, ଉଦ୍ୟାନ କୃଷି ନିର୍ଦ୍ଦେଶକ, ମୃର୍ତିକା ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ତଥା ଓରମାସ୍ର ଅଧିକାରୀ, ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡର ଅଧିକାରୀ, ଆପିକଲ୍ର ପରିଚାଳନା ନିର୍ଦେଶକଙ୍କୁ ବୈଠକରେ ସାମିଲ କରାଯାଇଥିଲା ।
୨୪ଟି ଘରୋଇ ସଂସ୍ଥାର ଆନୁଷ୍ଠାନିକ କ୍ରେତା ଯଥା ଆଇଟିସି, ବିଗ୍ ବାସ୍କେଟ୍, ମଦର ଡାଇରୀ, ଡି-ହାଟ୍, ଇଣ୍ଡିଆନ୍ ଓସିନ୍ ଗ୍ରୁପ୍ ଏଥିରେ ଯୋଗଦେଇଥିଲେ । ଆନୁଷ୍ଠାନିକ କ୍ରେତା ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମଧ୍ୟରେ ୧୨ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । କ୍ରୟ ଓ ବିପଣନରେ ନିୟୋଜିତ ୯ଟି କୃଷକ ଉତ୍ପାଦକ ସଂଗଠନର ପ୍ରତିନିଧିମାନେ ମଧ୍ୟ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।