ଜୁଲାଇ ୩୧ରେ ପ୍ରକାଶ ପାଇବ ଉଚ୍ଚ ମାଧ୍ୟମିକ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ
- କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷାଫଳ ଖୁବଶୀଘ୍ର ଆସିବ
ଭୁବନେଶ୍ୱର : ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଜୁଲାଇ ୩୧ରେ ପ୍ରକାଶ ପାଇବ ଉଚ୍ଚ ମାଧ୍ୟମିକ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ସେହିପରି କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷାଫଳ ଖୁବଶୀଘ୍ର ଆସିବ। ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି ।
୨୦୨୧ ମସିହା ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷାର ବିଜ୍ଞାନ ଓ ବାଣିଜ୍ୟ ଶିକ୍ଷା ପାଠ୍ୟକ୍ରମର ଫଳ ଚଳିତ ଜୁଲାଇ ୩୧ ତାରିଖ ସନ୍ଧ୍ୟାରେ ପ୍ରକାଶ ପାଇବ । କଳା ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରିବାରେ ଅଧିକ ସମୟର ଆବଶ୍ୟକତା ଦୃଷ୍ଟିରୁ ଏହାର ଫଳ ପ୍ରକାଶନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଉଭୟ ପାଠ୍ୟକ୍ରମର ଫଳାଫଳ ଜୁଲାଇ ୩୧ ତାରିଖ ପରେ ପ୍ରକାଶ ପାଇବ । ଏଥି ପାଇଁ ଅନୁମତି ନିମନ୍ତେ ସୁପ୍ରିମକୋର୍ଟଙ୍କ ନିକଟରେ ପରିଷଦ ତରଫରୁ ସମୟ ଯାଚିକା ଦାଖଲ କରାଯାଇଛି । କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ଫଳ ଖୁବଶୀଘ୍ର ପ୍ରକାଶନ ପାଇଁ ପରିଷଦ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି ବୋଲି ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ପ୍ରକାଶ । ସୂଚନା ଯେ, ଚଳିତ ବର୍ଷ କରୋନା ହେତୁ ପିଲାଙ୍କ ପରୀକ୍ଷା ଠିକ୍ ଭାବେ ହୋଇପାରିନି । ତେଣୁ ବୋର୍ଡ ବିକଳ୍ପ ଆଧାରରେ ରେଜଲ୍ଟ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛି । ମାଟ୍ରିକ ପରୀକ୍ଷାକୁ ଆଧାର କରି ଚଳିତ ବର୍ଷ ଯୁକ୍ତ୨ ରେଜଲ୍ଟ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା । ଆଉ ଏବେ ବୋର୍ଡ ପକ୍ଷରୁ ଜୁଲାଇ ୩୧ ତାରିଖରେ ରେଜଲ୍ଟ ପ୍ରକାଶ ପାଇବା ନେଇ ଘୋଷଣା କରାଯାଇଛି ।