୧୭ରୁ ରଣଜୀ ଟ୍ରଫି ; ଗୋଆ ସହ ଓଡ଼ିଶାର ପ୍ରଥମ ମୁକାବିଲା
ନୂଆଦିଲ୍ଲୀ : ୨୦୨୧-୨୨ ଋତୁର ପ୍ରମୁଖ ଘରୋଇ ପ୍ରଥମଶ୍ରେଣୀ କ୍ରିକେଟ୍ ଟୁର୍ଣ୍ଣାମେଂଟ ରଣଜୀ ଟ୍ରଫି ଆୟୋଜନ କରିବାକୁ କିଛିଦିନ ତଳେ ବିସିସିଆଇ ଘୋଷଣା କରିଥିଲା । ତେବେ ସେତେବେଳେ ବିସିସିଆଇ ଘୋଷଣା କରିଥିଲା ଯେ ରଣଜୀ ଟ୍ରଫି ଫେବୃଆରୀ ୧୦ରୁ ଆରମ୍ଭହେବ । ହେଲେ ସୋମବାର ସମସ୍ତ ରାଜ୍ୟ କ୍ରିକେଟ୍ ଆସୋସିଏସନ୍ଙ୍କୁ ଏକ ୫ ପୃଷ୍ଠାର ପତ୍ର ପଠାଇଛି । ଏଥିରେ ରଣଜୀ ଟ୍ରଫି ଆୟୋଜନ ନେଇ ସମସ୍ତ ମାର୍ଗଦର୍ଶିକା ଓ ତଥ୍ୟ ରହିଛି । ଏଥିରେ ଦର୍ଶାଯାଇଛି ଯେ ରଣଜୀ ଟ୍ରଫିର ଲିଗ୍ ପର୍ଯ୍ୟାୟ ଆସନ୍ତା ୧୭ରୁ ଦେଶର ୯ଟି ସହରରେ ଆୟୋଜନ ହେବ । ଏହା ମାର୍ଚ୍ଚ ୬ରେ ସମାପ୍ତ ହେବ । ଏହି ଟୁର୍ଣ୍ଣାମେଂଟରେ ଓଡ଼ିଶା ଦଳ ଏଲିଟ୍ ଗ୍ରୁପ୍ ‘ଡି’ରେ ସ୍ଥାନପାଇଛି । ଏହି ଗ୍ରୁପ୍ର ମ୍ୟାଚ୍ଗୁଡ଼ିକ ଅହମ୍ମଦାବାଦ ରେ ଖେଳାଯିବ । ଏହି ଗ୍ରୁପ୍ରେ ଥିବା ଅନ୍ୟ ୩ଟି ଦଳ ହେଲେ ଗୋଆ, ଗତଥରର ଚମ୍ପିଆନ୍ ସୌରାଷ୍ଟ୍ର ଓ ସଫଳତମ ରଣଜୀ ଦଳ ମୁମ୍ବଇ । ୧୭ରେ ଗୋଆ ବିପକ୍ଷରେ ଓଡ଼ିଶା ଦଳ ପ୍ରଥମ ମ୍ୟାଚ୍ ଖେଳିବ । ପରେ ୨୪ରୁ ସୌରାଷ୍ଟ୍ର ଏବଂ ମାର୍ଚ୍ଚ ୩ରୁ ମୁମ୍ବଇ ବିପକ୍ଷରେ ଓଡ଼ିଶା ୩ଟି ଲିଗ୍ ମ୍ୟାଚ୍ ଖେଳିବ । ଓଡ଼ିଶା ରଣଜୀ ଟ୍ରଫି ଦଳ ୧୦ରେ ଅହମ୍ମଦାବାଦରେ ପହଂଚି ୫ ଦିନ ସଂଗରୋଧରେ ରହିବ । ଶ୍ରୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱାଧୀନ ୨୦ ଜଣିଆ ଓଡ଼ିଶା ରଣଜୀ ଟ୍ରଫି ଦଳ ୨ ଦିନ ତଳେ ଘୋଷଣା କରାଯାଇଛି ।
ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍ ମ୍ୟାଚ୍ର ଆୟୋଜକ ହେଲେ ରାଜକୋଟ, କଟକ, ଚେନ୍ନଇ, ଅହମ୍ମଦାବାଦ, ତିବେନ୍ଦ୍ରମ୍, ଦିଲ୍ଲୀ, ହରିୟାଣା ଓ ଗୁଆହାଟୀ । ପ୍ଲେଟ୍ ଗ୍ରୁପ୍ର ମ୍ୟାଚ୍ କଲକାତାରେ ଖେଳାଯିବ । ରଣଜୀ ଟ୍ରଫିରେ ମୋଟ ୩୮ଟି ଦଳ ୯ଟି ସ୍ଥାନରେ ଲିଗ୍ ପର୍ଯ୍ୟାୟ ଖେଳିବେ । ଏଲିଟ୍ ଗ୍ରୁପ୍ରେ ମୋଟ ୩୨ଟି ଦଳଙ୍କୁ ୮ଟି ଗ୍ରୁପ୍ରେ ରଖାଯାଇଛି । ବାକି ୬ଟି ଦଳଙ୍କୁ ପ୍ଲେଟ୍ ଗ୍ରୁପ୍ରେ ରଖାଯାଇଛି । ଉପରୋକ୍ତ ମାର୍ଗଦର୍ଶିକାରେ ବିସିସିଆଇ ଜଣାଇଛି ଯେ ସମସ୍ତ ଦଳ ସେମାନଙ୍କ ମ୍ୟାଚ୍ ଆୟୋଜକ ସହରରେ ୧୦ରେ ପହଂଚିବେ । ସମସ୍ତ ଦଳଙ୍କୁ ୧୦ରୁ ୧୪; କଠୋର ଜୈବ ନିରାପତା ବଳୟ ମଧ୍ୟରେ ୫ ଦିନ ସଂଗରୋଧରେ ରଖାଯିବ । ୨ୟ ଓ ୫ମ ଦିନରେ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କର ଆର୍ଟି-ପିସିଆର୍ ପରୀକ୍ଷା କରାଯିବ । କେବଳ ନେଗେଟିଭ୍ ରିପୋର୍ଟ ଆସିଥିବା ଖେଳାଳି ମ୍ୟାଚ୍ରେ ଭାଗ ନେଇପାରିବେ । ୫-ଦିନିଆ ସଂଗରୋଧ ପରେ ଫେବୃଆରୀ ୧୫ ଓ ୧୬ରେ ଖେଳାଳି ଅଭ୍ୟାସ କରିପାରିବେ । ପ୍ରତି ଦଳରେ ସର୍ବାଧିକ ୩୦ ଜଣ ସଦସ୍ୟ ରହିବେ । ସେମାନଙ୍କ ମଧ୍ୟରୁ ଅତିକମ୍?ରେ ୨୦ ଜଣ ଖେଳାଳି ଥିବା ଆବଶ୍ୟକ । ମ୍ୟାଚ୍ ଖେଳିବାକୁ ଥିବା ୧୧ ଜଣ ଖେଳାଳିଙ୍କୁ ଶତ ପ୍ରତିଶତ ମ୍ୟାଚ୍ ଫି ପ୍ରଦାନ କରାଯିବ । ବାକି ୯ ଜଣ ୫୦% ପ୍ରତିଶତ ମ୍ୟାଚ୍ ଫି ପାଇବେ । କ୍ୱାର୍ଟରଫାଇନାଲ, ସେମିଫାଇନାଲ ଓ ଫାଇନାଲକୁ ମିଶାଇ ନକ୍ଆଉଟ୍ ପର୍ଯ୍ୟାୟ ମେ’ ୩୦ରୁ ଆରମ୍ଭହେବ ।