ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନ ଖାରଜ
ମୁମ୍ବାଇ : ଅଶ୍ଳିଳ ଭିଡିଓ ମାମଲାରେ ଛନ୍ଦି ହୋଇ ପଡିଥିବା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢ଼ିବାରେ ଲାଗିଛି । କାରଣ ଶନିବାର ବମ୍ବେ ହାଇକୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଫଳରେ ତାଙ୍କୁ ଆଉ କିଛି ଦିନ ଜେଲରେ ରହିବାକୁ ପଡ଼ିବ ।
ଏହା ପୂର୍ବରୁ ଜାମିନ ପାଇଁ କୁନ୍ଦ୍ରା ଏକ ମାଜିଷ୍ଟ୍ରେଟ୍ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ବି ତାହା ଖାରଜ ହୋଇଯାଇଥିଲା । ଏହା ସହିତ ତାଙ୍କୁ ରିମାଣ୍ଡରେ ନେବା ପାଇଁ ପୋଲିସକୁ ମାଜିଷ୍ଟ୍ରେଟ୍ ଅନୁମତି ଦେଇଥିଲେ । ଏହି ରାୟ ବିରୋଧରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ହାଇକୋର୍ଟରୁ ତାଙ୍କୁ କୌଣସି ଆଶ୍ୱସ୍ତି ମିଳିପାରିନାହିଁ । ହାଇକୋର୍ଟ କହିଛନ୍ତି ଯେ ମାଜିଷ୍ଟ୍ରେଟଙ୍କ ରାୟରେ କୌଣସି ଭୁଲ ନାହିଁ । ସୂଚନା ଯେ, ଅଶ୍ଳିଳ ଭିଡିଓ ସୁଟିଂ ମାମଲାରେ ଜୁଲାଇ ୧୯ରେ ମୁମ୍ବାଇ ପୋଲିସ ରାଜଙ୍କୁ ଗିରଫ କରିଥିଲା । ଇତି ମଧ୍ୟରେ ସେ ଏକାଧିକ ଥର ଜାମିନ ପାଇଁ ଆବେଦନ କରିଥିଲେ ବି ତାଙ୍କୁ ଜାମିନ ମିଳିପାରୁ ନାହିଁ ।