ଆଜି ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନ ଉପରେ ଶୁଣାଣି
ମୁମ୍ବାଇ : ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଗିରଫ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କର ଜାମିନ ପାଇଁ ଆଜି ଶୁଣାଣି ହେବ । ବମ୍ବେ ହାଇକୋର୍ଟରେ ଜାମିନ ଶୁଣାଣି କରାଯିବ । ତଳ କୋର୍ଟରେ ଜାମିନ ଆବେଦନ ଖାରଜ ହୋଇଥିବାବେଳେ ପରେ ହାଇକୋର୍ଟରେ ଆବେଦନ କରିଥିଲେ ରାଜ କୁନ୍ଦ୍ରା । ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ଦେଇ ଅଗଷ୍ଟ ୨୫ରେ ଶୁଣାଣି ପାଇଁ କୋର୍ଟ ସ୍ଥିର କରିଥିଲେ । ୨୦୨୦ ମସିହାରେ ପର୍ଣ୍ଣ ଫିଲ୍ମ ରାକେଟରେ ସାଇବର ପୁଲିସ ଦ୍ୱାରା ପଞ୍ଜୀକୃତ ମାମଲାରେ ଜାମିନ ଲାଗି ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରାଜ କୁନ୍ଦ୍ରା । ସେ ତାଙ୍କ ଆବେଦନରେ କହିଛନ୍ତି ଯେ ଗତ ବର୍ଷ ସାଇବର ପୁଲିସ ଦ୍ୱାରା ପଞ୍ଜୀକୃତ ହୋଇଥିବା ଏତଲାରେ ତାଙ୍କ ନାମ ଅନ୍ତର୍ଭୁକ୍ତ ହୋଇନାହିଁ। ପୂର୍ବରୁ ପୁଲିସକୁ ନିଜର ବିବୃତ୍ତି ଦେଇଛନ୍ତି ଏବଂ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ଏବଂ ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ବୋଲି ସେ ଆବେଦନରେ ଦର୍ଶାଇଛନ୍ତି । ତେବେ ପର୍ଣ୍ଣ ଫିଲ୍ମ ମାମଲାରେ ଗିରଫ ହୋଇ ଏବେ ଜେଲରେ ଅଛନ୍ତି ରାଜ କୁନ୍ଦ୍ରା ।
ସୂଚନା ଯେ, ଅଶ୍ଳୀଳ ଫିଲ୍ମ ନିର୍ମାଣରେ ସଂମ୍ପୃକ୍ତ ଅଭିଯୋଗରେ ବ୍ୟବସାୟୀ କୁନ୍ଦ୍ରା ଓ ତାଙ୍କର ସହଯୋଗୀ ରିଆନ୍ ଥର୍ପେଙ୍କୁ ଜୁଲାଇ ୧୯ରେ ଗିରଫ କରାଯାଇଥିଲା। ଉଭୟ ଯୁକ୍ତି କରିଛନ୍ତି ଯେ ସେମାନେ ପ୍ରସ୍ତୁତ କରିଥିବା କଣ୍ଟେଣ୍ଟ ଅଶ୍ଳୀଳତା ନୁହେଁ ବରଂ ଓଟଟି ପ୍ଲାଟଫର୍ମରେ ପ୍ରଦର୍ଶିତ କଣ୍ଟେଣ୍ଟ ସହ ଏହା ସମାନ । ଏହି ମାମଲାରେ ମୁମ୍ବାଇ ପୋଲିସ ଦାବି କରିଛି ଯେ ଯାଞ୍ଚ୍ ବେଳେ କୁନ୍ଦ୍ରା ଆର୍ମସପ୍ରିମ ମିଡିଆ ପିଭି ଲିମିଟେଡ ନାମକ ଏକ କମ୍ପାନୀ ନାମରେ ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ ଅପଲୋଡ୍ କରିବା ପାଇଁ ଲଣ୍ଡନର କେନ୍ରିନ୍ ପିଭି ଲିମିଟେଡ୍ ମାଧ୍ୟମରେ ହଟସଟ୍ ଆପ୍ କିଣିଥିଲେ। ପୋଲିସ ଆହୁରି କହିଛି ଯେ କୁନ୍ଦ୍ରା ଗତ ବର୍ଷ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ହଟ୍ସଟ୍ ମାଧ୍ୟମରେ ୧.୧୭ କୋଟିରୁ ଅଧିକ ଆୟ କରିଥିଲେ। ଅଭିଯୁକ୍ତଙ୍କ କାର୍ଯ୍ୟାଳୟରେ ହୋଇଥିବା ଚଢାଉ ସମୟରେ ପୋଲିସ ୫୧ ଆପତ୍ତିଜନକ ଭିଡିଓ ପାଇଥିବା ଦାବି କରିଛି।