ଆଜିଠୁ ବର୍ଷା, ଦୁଇଦିନ ଘନ କୁହୁଡ଼ି
ଭୁବନେଶ୍ୱର : ଆଜିଠୁ ବର୍ଷା । ମଙ୍ଗଳବାର ଓ ବୁଧବାର ଦୁଇ ଦିନ ପାଇଁ କିଛି ଜିଲାରେ ବର୍ଷା ସମ୍ଭାବନା ରହିଥିବା ସୂଚନା ଜାରି କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ । ସେହିପରି ଦୁଇଦିନ ପାଇଁ ଘନ କୁହୁଡ଼ି ଦେଖାଯିବା ନେଇ ସତର୍କ ସୂଚନା ମଧ୍ୟ ଜାରି ହୋଇଛି ।
ସୂଚନା ମୁତାବକ, ଉତର ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମଙ୍ଗଳାବର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢେଙ୍କାନାଳ ଏବଂ ଯାଜପୁର ଜିଲାରେ ବର୍ଷା ସମ୍ଭାବନା ରହିଛି । ସେହିପରି ୧୮ ତାରିଖ ବୁଧବାର କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲାରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ତେବେ ଅନ୍ୟ ଜିଲ୍ଲାମାନଙ୍କରେ ଶୁଖିଲା ପାଗ ରହିବ । ଏପଟେ କୁହୁଡ଼ି ନେଇ ୨୪ ଘଂଟା ପାଇଁ ୭ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ଓ଼୍ୱାର୍ଣ୍ଣିଂ ଜାରି କରିଛି । ୨୪ ଘଂଟା ମଧ୍ୟରେ ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଏବଂ ଗଂଜାମ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଛି । ଏହି ସମୟରେ ୫୦ରୁ ୨୦୦ ମିଟର ଭିଜିବିଲିଟି ରହିପାରେ ।