ପଞ୍ଜାବ କ୍ୟାବିନେଟ୍ ବିସ୍ତାର: ଶପଥ ନେଲେ ୧୫ ମନ୍ତ୍ରୀ
ଚଣ୍ଡିଗଡ : ପଞ୍ଜାବରେ ଚରଣଜିତ ସିଂହ ଚନ୍ନୀଙ୍କ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ସଂପ୍ରସାରଣ ହୋଇଛି । ଏଥିରେ ୧୫ ଜଣ ନୂତନ ମନ୍ତ୍ରୀ ଭାବେ ପଦ ଏବଂ ଗୋପନୀୟତାର ଶପଥ ପାଠ ନେଇଛନ୍ତି । ପୂର୍ବ କ୍ୟାବିନେଟ୍ରେ ମନ୍ତ୍ରୀ ରହିଥିବା କିଛି ନେତାଙ୍କୁ ଚନ୍ନୀ କ୍ୟାବିନେଟ୍ରେ ସାମିଲ୍ କରାଯାଇଛି । ନୂତନ ଚେହେରାଙ୍କୁ ସୁଯୋଗ ମିଳିଛି । ମହିଳା ବିଧାୟକ ଅରୁଣା ଚୌଧୁରୀ ଓ ରଜିଆ ସୁଲତାନଙ୍କୁ ମଧ୍ୟ ମନ୍ତ୍ରୀ କରାଯାଇଛି ।
ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତ୍ ଚଣ୍ଡିଗଡ଼ ରାଜଭବନରେ କଂଗ୍ରେସ ବିଧାୟକ ବ୍ରହ୍ମା ମହିନ୍ଦ୍ରା, ଭରତ ଭୂଷଣ, ମନପ୍ରୀତ ବାଦଲ, ତୃପ୍ତ ରାଜିନ୍ଦର ସିଂହ ବାଜୱା, ପର୍ଗତ ସିଂହ, ସୁଖବିନ୍ଦର ସକାରିଆ, ବିଜେନ୍ଦ୍ର ସିଂହ ସିଙ୍ଗଲା, ରାଜକୁମାର ଭେର୍କା, ରାଣା ଗୁରଜିତ୍ ସିଂହ, ସଂଗତ ସିଂହ ଗିଲଜିଆନ୍, ରଣଦୀପ ସିଂହ ନାଭା, ଅରୁଣା ଚୌଧୁରୀ, ରାଜିଆ ସୁଲତାନା, ଗୁରକିରତ୍ କୋଟଲୀ, ଅମରିନ୍ଦର ସିଂହ ରାଜା ୱାରିଙ୍ଗଙ୍କୁ ଶପଥ ପାଠ କରାଇଛନ୍ତି । କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଥିବା ମନପ୍ରୀତ ସିଂହ ବାଦଲ, ବ୍ରହ୍ମା ମହିନ୍ଦ୍ରା, ଅରୁଣା ଚୌଧୁରୀ, ତୃପ୍ତ ରାଜିନ୍ଦର ସିଂହ ବାଜୱା, ସୁଖବିନ୍ଦର ସିଂହ ସକାରିୟା, ରାଜିଆ ସୁଲତାନା, ବିଜେନ୍ଦ୍ର ସିଂହ ସିଙ୍ଗଲା, ଭରତ ଭୂଷଣ ଆଶୁ ପୂର୍ବ କ୍ୟାପଟେନ୍ ସରକାରରେ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ଏହାବ୍ୟତୀତ ୭ ନୂଆ ମୁହଁଙ୍କୁ ଏଥର କ୍ୟାବିନେଟରେ ସ୍ଥାନ ମିଳିଛି । ସେମାନେ ହେଲେ ରାଣା ଗୁରଜିତ୍ ସିଂହ, ରଣଦୀପ ସିଂହ ନାଭା, ରାଜ କୁମାର ଭେର୍କା, ସଂଗତ ସିଂହ ଗିଲଜିଆନ୍, ପରଗତ ସିଂହ, ଅମରିନ୍ଦର ସିଂହ ରାଜା ୱାରିଙ୍ଗ ଓ ଗୁରକିରତ ସିଂହ କୋଟଲୀ । ନୂଆ ମନ୍ତ୍ରିଙ୍କୁ ବିଭାଗ ବଂଟନ ରବିବାର ସନ୍ଧ୍ୟାରେ ହୋଇପାରେ । ଶପଥ ଗ୍ରହଣ ସମାରୋହ ପରେ ପାର୍ଟିର ପ୍ରଦେଶ କଂଗ୍ରେସ କମିଟି ପ୍ରଭାରୀ ହରିଶ ରାୱତ କହିଛନ୍ତି, ମୁଁ ନୂଆ ମନ୍ତ୍ରୀ, ପଞ୍ଜାବର ବାସିନ୍ଦା ଓ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କୁ ନୂଆ ଆରମ୍ଭ ପାଇଁ ବଧେଇ ଜଣାଉଛି । ଯେଉଁ ବରିଷ୍ଠ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନାହିଁ, ଦଳ ସେମାନଙ୍କ ବିଷୟରେ କିଛି ଅଲଗା ଚିନ୍ତା କରିଛି । ସେମାନଙ୍କୁ ପାର୍ଟି ଓ ସରକାରଙ୍କ ବ୍ୟବସ୍ଥାରେ ଦାୟିତ୍ୱ ପ୍ରଦାନ କରାଯିବ । କାହାକୁ ନିରାଶ ହେବାକୁ ପଡ଼ିବ ନାହିଁ । ନୂଆ କ୍ୟାବିନେଟରେ କ୍ୟାପଟେନ ଅମରିନ୍ଦରଙ୍କ ନିକଟତର ଥିବା ୫ ଜଣ ମନ୍ତ୍ରୀଙ୍କୁ ବିଦା କରାଯାଇଛି । ସେମାନଙ୍କ ମଧ୍ୟରେ ସାଧୁ ସିଂହ ଧର୍ମସୋତ୍, ବଲବୀର ସିଦ୍ଧୁ, ରାଣା ଗୁରମିତ ସୋଢି, ଗୁରପ୍ରୀତ କାଙ୍ଗାର ଏବଂ ସୁନ୍ଦର ଶ୍ୟାମ ଆରୋରା ଅଛନ୍ତି । ସେହିପରି ମନ୍ତ୍ରୀଙ୍କର ଶପଥ ପୂର୍ବରୁ ରାଣା ଗୁରଜିତ ସିଂହଙ୍କୁ ନେଇ ଘୋର ବିରୋଧ ହୋଇଥିଲା । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣର କିଛି ଘଂଟା ପୂର୍ବରୁ ରାଜ୍ୟର କିଛି କଂଗ୍ରେସ ନେତା ରବିବାର ପାର୍ଟିର ରାଜ୍ୟ ୟୁନିଟର ମୁଖ୍ୟ ନବଜୋତ୍ ସିଂହ ସିଦ୍ଧୁଙ୍କୁ ଚିଠି ଲେଖି ଗୁରଜିତଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ ନକରିବାକୁ କହିଥିଲେ । ଏହି ନେତାମାନେ କହିଛନ୍ତି ଯେ ତାଙ୍କ ସ୍ଥାନରେ ସ୍ୱଚ୍ଛ ଭାବମୂର୍ତି ଥିବା ଜଣେ ଦଳିତ ନେତା (ରାଣା ଗୁରୁଜିତ୍)ଙ୍କୁ ମନ୍ତ୍ରୀ ପଦ ଦିଆଯିବା ଉଚିତ୍ ।