ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଇଣ୍ଟରନାଲ ବ୍ୟବସ୍ଥା ଲାଗୁ ପାଇଁ ପ୍ରସ୍ତାବ
ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ଯୁକ୍ତ ୨ ପାଠପଢ଼ା ଓ ପରୀକ୍ଷା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି। ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ପିଲାମାନେ ଚଳିତ ଶିକ୍ଷା ବର୍ଷରେ ୭୦ ପ୍ରତିଶତ ସିଲାବସର ପାଠ ପଢ଼ିବେ। ସେହିପରି ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଇଣ୍ଟରନାଲ ବ୍ୟବସ୍ଥା ଲାଗୁ ହେବ । ଏକାଦଶ ଶ୍ରେଣୀରେ ୩ଟି ଇଣ୍ଟରନାଲ ପରୀକ୍ଷା ହେବ ଓ ଗୋଟିଏ ବାର୍ଷିକ ପରୀକ୍ଷା ହେବ । ଏହି ପରୀକ୍ଷାକୁ କଲେଜ ପରିଚାଳନା କରିବ । ସେହିଭଳି ଦ୍ଵିତୀୟ ବର୍ଷ ପାଇଁ ମଧ୍ୟ ୩ଟି ଇଣ୍ଟରନାଲ ହେବ । ହେଲେ ଫାଇନାଲ ପରୀକ୍ଷାକୁ କାଉନ୍ସିଲ ପରିଚାଳନା କରିବ । ଏନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।
ସିଏଚ୍ଏସ୍ଇର ନିଷ୍ପତ୍ତି ଅନୁସାରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲା ମୋଟ ୮ଟି ପରୀକ୍ଷା ଦେବେ। ପ୍ରଥମ ଇଣ୍ଟରନାଲ ପରୀକ୍ଷାରେ ପଡ଼ିଥିବା ପ୍ରଶ୍ନ ଦ୍ୱିତୀୟ ଇଣ୍ଟରନାଲରେ ପଡ଼ିବ ନାହିଁ। ସେହିପରି ଦ୍ଵିତୀୟ କ୍ୱାଟର ଇଣ୍ଟରନାଲରେ ପଢିଥିବା ପ୍ରଶ୍ନ ତୃତୀୟରେ ପଡିବ ନାହିଁ । ପିଲାଙ୍କ ବୋଝ କମେଇବା ପାଇଁ ଏହା କରାଯାଇଛି । ନିରନ୍ତର ମୂଲ୍ୟାୟନ ପଦ୍ଧତି ମାଧ୍ୟମରେ ପରୀକ୍ଷା ହେବ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କମିବ ୩୦ ପ୍ରତିଶତ ସିଲାବସ୍। ଯଦି କୌଣସି ପ୍ରକାରରେ ପରୀକ୍ଷାରେ ଅସୁବିଧା ହୋଇଥାଏ, ତେବେ ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ରେଜଲ୍ଟ ପ୍ରକାଶ ପାଇବ। ଅର୍ଥାତ ନିରନ୍ତର ମୂଲ୍ୟାୟନ ପଦ୍ଧତି ମାଧ୍ୟମରେ ପରୀକ୍ଷା ଫଳ ପ୍ରକାଶ ପାଇବ।