ପୁନଃ ମତଦାନ ପାଇଁ ଆସିଛି ପ୍ରସ୍ତାବ : ନିର୍ବାଚନ କମିଶନର
ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ ହୋଇଛି ତ୍ରିସ୍ତରୀୟ ନିର୍ବାଚନ ପାଇଁ ମତଦାନ । ଏନେଇ ଫ୍ରେବୃଆରି୧୬ ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଶେଷ ହୋଇଛି । କିନ୍ତୁ ମତଦାନ ବେଳେ କିଛି ବୁଥ୍ରେ ବିଭ୍ରାଟ ଦେଖା ଦେଇଥିଲା । ତେଣୁ ବାଧ୍ୟ ହୋଇ ମତଦାନ ପ୍ରକ୍ରିୟାକୁ ସ୍ଥଗିତ ରଖିଥିଲା ପ୍ରଶାସନ । ଏନେଇ ୪ଟି ଜିଲ୍ଲାର ୨୫ଟି ବୁଥରେ ପୁନଃ ମତଦାନ ପାଇଁ ଆସିଛି ପ୍ରସ୍ତାବ । ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ରବୀନ୍ଦ୍ର ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଯାଜପୁର ଜିଲ୍ଲାରେ ସର୍ବାଧିକ ୧୧ଟି ବୁଥ୍ରେ ରି-ପୋଲ୍ ପାଇଁ ପ୍ରସ୍ତାବ ଆସିଛି । ପୁରୀ ଓ ଭଦ୍ରକରେ ୫ଟି ଲେଖାଏଁ ବୁଥ୍ ଏବଂ ଢେଙ୍କାନାଳରେ ୪ଟି ବୁଥ୍ରେ ରି-ପୋଲ୍ ପ୍ରସ୍ତାବ ଆସିଛି । ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏହି ପ୍ରସ୍ତାବ ଦେଇଛନ୍ତି । ରାଜ୍ୟ ନିର୍ବାଚନ କମିଶନର ତର୍ଜମା କରି ଏ ସଂପର୍କରେ ନିଷ୍ପତ୍ତି ନେବେ ।
ନିର୍ବାଚନ କମିଶନରଙ୍କ ସଚିବ ଏହା ମଧ୍ୟ କହିଛନ୍ତି ଯେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବ୍ଲକଗୁଡ଼ିକରେ ପୋଲିଂ ଅଫିସର ପହଞ୍ଚି ସାରିଛନ୍ତି । ନିର୍ବାଚନ ସମୟରେ ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ୨୨୫ ପୁଲିସ ପ୍ଲାଟୁନ ନିୟୋଜିତ ଅଛନ୍ତି । ପ୍ରଥମ ପର୍ଯ୍ୟାୟ ଘଟିଥିବା ନିର୍ବାଚନୀ ହିଂସା ନେଇ ଗତକାଲି ରାଜ୍ୟ ନିର୍ବାଚନ କମିଶନର ଡିଜିପିଙ୍କ ସହ ଆଲୋଚନା କରିଛନ୍ତି । ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସେ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ସରିଥିବା ପ୍ରଥମ ପର୍ଯ୍ୟାୟ ଭୋଟ୍ରେ ୭୭.୨ ପ୍ରତିଶନ ମତଦାନ ହୋଇଛି । ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୮୪.୭ ପ୍ରତିଶତ ମତଦାନ ହୋଇଛି । ଦେବଗଡ଼ରେ ୮୩.୭୫ ପ୍ରତିଶତ ଓ ଅନୁଗୋଳରେ ୮୨.୬ ପ୍ରତିଶତ ମତଦାନ ହୋଇଛି ବୋଲି ନିର୍ବାଚନ କମିଶନରଙ୍କ ସଚିବ ସୂଚନା ଦେଇଛନ୍ତି ।