ଆଫଗାନ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା
- ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ଅଣାଯାଉ, ହିନ୍ଦୁ-ଶିଖଙ୍କୁ ଦିଆଯିବ ଶରଣ
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଜାରି ରହିଥିବା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଆବାସରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ କମିଟି ଅନ ସିକ୍ୟୁରିଟି(ସିସିଏସ)ର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଜାରି ରହିଛି । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରମୁଖ ଉପସ୍ଥିତ ଅଛନ୍ତି । ଏହା ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ପ୍ରଧାନମନ୍ତ୍ରୀ ଅଧିକାରୀଙ୍କୁ ଆଫଗାନିସ୍ତାନରୁ ସମସ୍ତ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଆଣିବା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଫଗାନିସ୍ତାନରୁ ଭାରତ ଆସିବାକୁ ଇଚ୍ଛୁକ ଶିଖ, ହିନ୍ଦୁ ସଂଖ୍ୟାଲଘୁଙ୍କୁ ଶରଣ ଦେବା ପାଇଁ କୁହାଯାଇଛି। ଏପରିକି ଭାରତଠୁ ସାହାଯ୍ୟର ଆଶା ବାନ୍ଧି ବସିଥିବା ଆଫଗାନ ନାଗରିକଙ୍କୁ ଯଥା ସମ୍ଭବ ସହାୟତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନିଜର ସରକାରୀ ବାସଭବନରେ ଅନୁଷ୍ଠିତ ଗୁରୁତ୍ଵପୂର୍ଣ୍ଣ ବୈଠକ ପରେ ଅଧିକାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ଅମିତ୍ ଶାହା, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବ୍ୟତୀତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲା, ଆଫଗାନିସ୍ତାନରେ ଭାରତର ରାଜଦୂତ ଆର ଟଣ୍ଡନ ସହିତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
Delhi: Prime Minister Narendra Modi chairs the meeting of Cabinet Committee on Security (CCS), the meeting is currently underway. pic.twitter.com/ygXH9CvPOK
— ANI (@ANI) August 17, 2021
ଆଫଗାନିସ୍ତାନରେ ଜାରି ରହିଥିବା ହିଂସାକୁ ନେଇ ଏବେ ଚିନ୍ତାରେ ବିଶ୍ୱବାସୀ । ତାଲିବାନୀମାନେ କାବୁଲ ଦଖଲ କରିବା ପରେ ଏବେ ସେଠାକାର ଲୋକମାନେ ଦେଶ ଛାଡିବା ପାଇଁ ଡହଳ ବିକଳ ହେଉଛନ୍ତି । ଏହାରି ମଧ୍ୟରେ ସବୁଠାରୁ ବଡ ସମସ୍ୟା ସେଠାରେ ଫସି ରହିଥିବା ଭାରତୀୟମାନେ ଉଦ୍ଧାର ପାଇଁ ବିକଳ ହେଉଛନ୍ତି । ଆଫଗାନିସ୍ତାନରୁ ସେମାନେ ଭାରତ ସରକାରଙ୍କୁ ନିବେଦନ କରି ଭିଡିଓ ମଧ୍ୟ ଜାରି କରୁଛନ୍ତି । ଏସବୁ ଭିତରେ ମୋଦି ଜରୁରୀ ବୈଠକ କରିଥିବାରୁ କିଛି ବଡ଼ ଘୋଷଣା ହେବାର ସମ୍ଭାବନା ରହିଛି । ଏହାସତ୍ୱେ ବିଭିନ୍ନ ରାଷ୍ଟ୍ରଗୁଡ଼ିକ ଭଳି ଭାରତ ମଧ୍ୟ ଦୁଇଟି ସ୍ୱତନ୍ତ୍ର ବିମାନରେ ଦୂତାବାସ କର୍ମଚାରୀ ଓ ରାଷ୍ଟ୍ରଦୂତଙ୍କୁ ଏୟାରଲିଫ୍ଟ କରିଛି । ପ୍ରଧାନମନ୍ତ୍ରୀ ଆଫଗାନ ସ୍ଥିତିକୁ ନେଇ ନିୟମିତ ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଛନ୍ତି । ଉଦ୍ଧାର ଠାରୁ ଆରମ୍ଭ କରି ବିଭିନ୍ନ ଦିଗ ଉପରେ ସେ ତୀକ୍ଷ୍ଣ ନଜର ରଖିଥିବା ଜଣାପଡ଼ିଛି । ମୋଦିଙ୍କ ବାସଭବନରେ ଅନୁଷ୍ଠିତ ଆଜିର ବୈଠକରେ କ୍ୟାବିନେଟ ସଚିବ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ର ମଧ୍ୟ ଉପସ୍ଥିତ ରହିଥିଲେ । ଆଜି ଉଦ୍ଧାର କାର୍ଯ୍ୟ ଉପରେ ବିସ୍ତୃତ ଆଲୋଚନା କରିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଦୂତାବାସ କର୍ମଚାରୀ ଏୟାରଲିଫ୍ଟ ହେବା ପରେ କାବୁଲରେ ଥିବା ଭାରତର କାର୍ଯ୍ୟାଳୟ ବନ୍ଦ ହୋଇଯାଇଥିବା ଖବରରେ ନୂଆ ଟ୍ୱିଷ୍ଟ ଆସିଛି । ଦୂତାବାସ କର୍ମଚାରୀ ଫେରିଥିଲେ ମଧ୍ୟ କାବୁଲ କାର୍ଯ୍ୟାଳୟ ବନ୍ଦ ହୋଇନାହିଁ । ସ୍ଥାନୀୟ କର୍ମଚାରୀମାନେ ଲୋକଙ୍କୁ କନସୁଲାର ସେବା ଯୋଗାଇ ଦେଉଛନ୍ତି । ଏଯାଏ ୧୬୫୦ରୁ ଅଧିକ ଲୋକ ଭାରତ ଫେରିବାକୁ ଆବେଦନ କରିସାରିଛନ୍ତି । ସେମାନଙ୍କୁ ତୁରନ୍ତ ସ୍ୱଦେଶ ଆଣିବାକୁ ବ୍ୟବସ୍ଥା କରାଯାଉଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।