ଆମେରିକାରେ ୬୫ ଘଂଟାରେ ୨୦ଟି ବୈଠକରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନିଦିନିଆ ଆମେରିକା ଗସ୍ତ ସାରି ଫେରିଛନ୍ତି । ଆଉ ତାଙ୍କର ଏହି ଗସ୍ତ ପୂରା ବ୍ୟସ୍ତବହୂଳ ଥିଲା । ତାଙ୍କର ଏହି ଗସ୍ତ ୬୫ ଘଂଟାର ଥିଲା ଏବଂ ଏହାରି ଭିତରେ ସେ ମୋଟ ୨୦ ବୈଠକରେ ସାମିଲ୍ ହୋଇଛନ୍ତି । କେବଳ ଏତିକି ନୁହେଁ ଆମେରିକା ଯିବା ଓ ଆସିବା ସମୟରେ ବିମାନରେ ମଧ୍ୟ ପିଏମ୍ ମୋଦି ଅଧିକାରୀଙ୍କ ସହ ଦୀର୍ଘ ସମୟରେ ଧରି ବୈଠକ କରିଛନ୍ତି । ସରକାର ସୂତ୍ରରେ କୁହାଯାଇଛି, ମୋଦି ପାଖାପାଖି ୬୫ ଘଂଟା ଧରି ଆମେରିକାରେ ରହିଥିଲେ ଏବଂ ଏହାରି ଭିତରେ ସେ ୨୦ ବୈଠକରେ ସାମିଲ୍ ହୋଇଛନ୍ତି । ଏହାବ୍ୟତୀତ ମୋଦି ତାଙ୍କର ୪ଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଫ୍ଲାଇଟ୍ ଭିତରେ କରିଛନ୍ତି । ଅର୍ଥାତ୍ ଆମେରିକା ଗସ୍ତରେ ଯାଇଥିବା ମୋଦି ମୋଟ ୨୪ ବୈଠକ କରିଛନ୍ତି । ଏହି ସଂଖ୍ୟାରୁ ସ୍ପଷ୍ଟ ଯେ ପିଏମ ମୋଦିଙ୍କର ଆମେରିକା ଗସ୍ତ କେତେ ବ୍ୟସ୍ତବହୂଳ ଥିଲା ।
ସୂତ୍ରରେ କୁହାଯାଇଛି, ବୁଧବାର ଆମେରିକା ଯିବା ସମୟରେ ମୋଦି ବିମାନରେ ଦୁଇଟି ବୈଠକ ଓ ସେଠାରେ ପହଂଚିବା ପରେ ହୋଟେଲରେ ତିନୋଟି ବୈଠକ କରିଛନ୍ତି । ସେପ୍େଟମ୍ବର ୨୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ସିଇଓଙ୍କ ସହ ଆଉ ୫ଟି ବୈଠକ କରିଥିଲେ । ଆଉ ଏହା ପରେ ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କ ସହ ସାକ୍ଷାତ କରିଥିଲେ । ସେ ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ତିନୋଟି ଆଭ୍ୟନ୍ତରୀଣ ବୈଠକର ମଧ୍ୟ ଅଧ୍ୟକ୍ଷତା କରିଥିଲେ । ପ୍ରଧାନମନ୍ତ୍ରୀ ପରବର୍ତୀ ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ବୈଠକ ଓ ପରେ କ୍ୱାଡ ସମ୍ମିଳନୀରେ ସାମିଲ୍ ହୋଇଥିଲେ । ସେପ୍େଟମ୍ବର ୨୪ ତାରିଖରେ ମୋଦି ୪ଟି ଆଭ୍ୟନ୍ତରୀଣ ବୈଠକ କରିଥିଲେ । ସେପ୍େଟମ୍ବର ୨୫ ତାରିଖରେ ଆମେରିକାରୁ ଭାରତ ଅଭିମୁଖେ ଫେରିବା ସମୟରେ ପିଏମ୍ ମୋଦି ବିମାନରେ ୨ଟି ବୈଠକ କରିଛନ୍ତି । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ଭାରତ ଆସିବା ବେଳେ ସାଙ୍ଗରେ ୧୫୭ଟି ହଜାର ବର୍ଷ ପୁରୁଣା ପ୍ରାଚୀନ କଳାକୃତି ନେଇ ଆସିଛନ୍ତି । ଏହି କଳାକୃତି ଗୁଡ଼ିକୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ମୋଦିଙ୍କୁ ଉପହାର ସ୍ୱରୁପ ଭେଟି ଦେଇଛି ।