ସୁଇସାଇଡ଼ାଲ ନୋଟରେ କ୍ଷମା ମାଗି ପିଇଲେ ବିଷ : ଟ୍ରେଡ଼ିଂ ଏଣ୍ଡ ଗେମିଂ ନେଲା ଯୁବ ଇଞ୍ଜିନିୟରଙ୍କ ଜୀବନ
ଫେକ୍ ଆକାଉଣ୍ଟ ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ, ସନ୍ତାନକୁ ହରାଇ ବେସାହାରା ମା’ବାପା
ଜଳେଶ୍ୱର : ଡିଜିଟାଲ ଯୁଗରେ ଏବେ ଟ୍ରେଡ଼ିଂ ଏଣ୍ଡ ଗେମିଂର ଗୁରୁତ୍ୱ ବଢ଼ିଛି । ବହୁ ଯୁବକଙ୍କ ହାତରେ ସ୍ମାର୍ଟ ଫୋନ୍ ତ କେତେବେଳେ ଲାପ୍ଟପ୍ । ଦୀର୍ଘ ସମୟଧରି ବିଭିନ୍ନ ଗେମ୍ ଖେଳିବା ସହିତ ସେଥିରୁ ଅର୍ଥ ରୋଜଗାରର ଲାଳସା ସେମାନଙ୍କୁ ପାଗଳ କରେ । କିନ୍ତୁ ତାଙ୍କ ଅଜାଣତର ଲକ୍ଷ ଲକ୍ଷ ଟଙ୍କା ଠକାମୀର ଶୀକାର ହେବା ଅନ୍ୟ ଏକ କାରଣ ହୁଏ । ଫଳରେ କୋମଳମତି ଯୁବତୀଯୁବକ ନିଜର ଆୟ ହରାନ୍ତି କିମ୍ବା ମୃତ୍ୟର ସାମ୍ନା କରନ୍ତି । ଏପରି ଏକ ଘଟଣା ଜଳେଶ୍ୱର ଥାନା ଅନ୍ତର୍ଗତ ଆମ୍ବଳିଅଠା ଗାଁରେ ଦେଖିବାକୁ ମିଳିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ ଆମ୍ବଳିଅଠା ଗାଁର ପୂର୍ବତନ ୱାର୍ଡ଼ ସଦସ୍ୟ ସ୍ୱରୂପ ନନ୍ଦୀ ଓ ଅଙ୍ଗନୱାଡ଼ି କର୍ମୀ କଳ୍ପନା ନନ୍ଦୀଙ୍କର ଏକମାତ୍ର ପୁତ୍ର ସୌମିତ୍ର ନନ୍ଦି (ଚିକୁ) । ବୟସ ୨୭ । ଇଞ୍ଜିନିୟରଂ ପାସ୍ କରି ବାଙ୍ଗାଲୋରରେ ଆଇଟି କ୍ଷେତ୍ରରେ ନିଯୁକ୍ତି ପାଇଥିଲେ । କିନ୍ତୁ ଲକ୍ଡାଉନ୍ ପରେ ଗାଁକୁ ଆସି ଅନ୍ଲାଇନ୍ରେ କମ୍ପାନୀ କାର୍ଯ୍ୟ ତୁଲାଇବା ସହିତ ବଳକା ସମୟରେ ଟ୍ରେଡ଼ିଂ ଏଣ୍ଡ ଗେମିଂରେ ଅଭ୍ୟସ୍ତ ହୋଇଥିଲେ । କେତେକ ଅପରାଧୀ ତାଙ୍କ ନାମରେ ଫେକ୍ ଏକାଉଣ୍ଟ ଖୋଲି ଅର୍ଥ ରୋଜଗାର କରି ଆସୁଥିଲେ । ଇତି ମଧ୍ୟରେ ସେ ଲକ୍ଷ ଲକ୍ଷ ଟଙ୍କା ଏଥିରେ ହରାଇ ଚାଲିଥିଲେ । କିଛିଦିନ ତଳେ ଜଳେଶ୍ୱର ଥାନାରେ ମାମଲା ରୁଜୁ ହେବାରୁ ପୋଲିସ୍ ଲାପ୍ଟପ୍ ଓ ମୋବାଇଲ୍ ଜବତ୍ କରିଥିଲା । ଗତ କିଛିଦିନ ତଳେ ତାଙ୍କ ବାପା ସ୍ୱରୂପ ନନ୍ଦୀ ଜମି ବିକ୍ରି କରି ଠକାମୀର ଶୀକାର ହୋଇଥିବା ୧୨ଲକ୍ଷ ପରିଶୋଧ କରିଥିଲେ । ଅପରାଧିମାନେ ତାଙ୍କୁ ବାରମ୍ବାର ଅର୍ଥ ମାଗିବାରୁ ବହୁ ସମୟରେ ବିଚଳିତ ଅବସ୍ଥାନରେ ରହୁଥିଲେ । ଶେଷରେ ପରିସ୍ଥିତି ଜଟିଳ ହେବାରୁ ସୌମିତ୍ର ନିଜର ଭାରସାମ୍ୟ ହରାଇ ଏକ ସୁଇସାଇଡ଼ାଲ ନୋଟରେ ମା’ବାପାଙ୍କ ଠାରୁ କ୍ଷମା ମାଗିବା ଓ ପରିସ୍ଥିତି ସମ୍ପର୍କରେ ଯତ୍ କିଞ୍ôଚତ୍ ଲେଖିଥିଲେ । ଘାସମରା ବିଷ ପିଇଥିବାର ଜାଣି ପରିବାରବର୍ଗ ପ୍ରଥମେ ଜିକେ ଭଟ୍ଟର ହସ୍ପିଟାଲ, ସେଠାରୁ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି । ମୃତଦେହ ଫେରୁଥିବା ବେଳେ କେତେକ ଅସାମାଜିକ ବ୍ୟକ୍ତି ସେମାନଙ୍କ ଅର୍ଥ ଫେରି ପାଇବାଲାଗି ଶବ ଅଟକାଇ ଟଙ୍କା ଦାବି କରିଥିଲେ । ଖବର ଲେଖା ହେବା ବେଳେକୁ ତାଙ୍କର ମୃତଦେହ ଗାଁରେ ପହଞ୍ôଚ ନଥିବା ବେଳେ ଶୋକାକୂଳ ପରିବେଶ ଲାଗି ରହିଥିଲା ।