ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ପିକେ ମେହେର୍ଦ୍ଧାଙ୍କୁ କେନ୍ଦ୍ରରେ ନିଯୁକ୍ତି
ଭୁବନେଶ୍ୱର : ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ତଥା ୧୯୯୭ ବ୍ୟାଚ୍ ଆଇଏଏସ୍ ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଛି। ତାଙ୍କୁ କେନ୍ଦ୍ରରେ ନିଯୁକ୍ତି ମିଳିବା ପରେ ରାଜ୍ୟରେ ଆଇଏଏସସ୍ତରରେ ପୁଣି ଏକ ଅଦଳବଦଳ ହେବାର ସମ୍ଭାବନା ଦେଖାଦେଇଛି। ସେହିପରି ୨୦୦୦ ବ୍ୟାଚ ଓଡ଼ିଶା କ୍ୟାଡ଼ର ଆଇଏଏସ ରୂପା ମିଶ୍ରଙ୍କୁ ମଧ୍ୟ ଗୃହନିର୍ମାଣ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ଶ୍ରୀମତୀ ମିଶ୍ର ଏବେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟରେ ଜାତୀୟ ଜଳ ଜୀବନ ମିଶନ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଛନ୍ତି। ୨୦୨୦ ଜାନୁୟାରୀ ମାସରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ।
୧୯୯୭ ବ୍ୟାଚ ଆଇଏଏସ ଶ୍ରୀ ମେହେର୍ଦ୍ଦାଙ୍କୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟରେ ଜାତୀୟ ଖାଦ୍ୟ ସୁରକ୍ଷା ମିଶନର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ସେ ଅତିରିକ୍ତ ଭାବେ କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡର ସଚିବ ଭାବେ ମଧ୍ୟ ଆସନ୍ତା ୫ବର୍ଷ ପାଇଁ କାର୍ଯ୍ୟ କରିବେ। ଶ୍ରୀ ମେହେର୍ଦ୍ଦାଙ୍କୁ ସ୍ୱାସ୍ଥ୍ୟ ସଚିବ ପଦରୁ ହଟାଇ ରାଜଭବନ ପଠାଯିବ ପରଠୁ ସେ କେନ୍ଦ୍ରକୁ ଡେପୁଟେସନରେ ଯିବା ପାଇଁ ଉଦ୍ୟମ କରୁଥିଲେ। ଗତ ଏପ୍ରିଲ ମାସରେ ରାଜ୍ୟ ସରକାର ତାଙ୍କୁ କେନ୍ଦ୍ରକୁ ଡେପୁଟେସନରେ ଯିବାକୁ ଅନୁମତି ଦେଇଥିବାବେଳେ ଗତକାଲି କେନ୍ଦ୍ର କ୍ୟାବିନେଟ ନିଯୁକ୍ତି କମିଟି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଶ୍ରୀ ମେହେର୍ଦ୍ଦା ସେପ୍ଟେମ୍ବର ପ୍ରଥମ ସପ୍ତାହରେ କେନ୍ଦ୍ର ସରକାରରେ ଯୋଗ ଦେବେ ବୋଲି ଜଣାପଡ଼ିଛି।