ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବେ ପିଡିପି ମୁଖ୍ୟ ମୁଫତି
ନୂଆଦିଲ୍ଲୀ : କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବେ ପିଡିପି ମୁଖ୍ୟ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ଭାରତ ଯୋଡ଼ୋ ଯାତ୍ରା ଆସନ୍ତା ମାସରେ କଶ୍ମୀରରେ ପହଞ୍ଚିବ। ଏହି ସମୟରେ ରାହୁଲ ଗାନ୍ଧିଙ୍କ ସହ ପାଦରେ ପାଦ ମିଶାଇ ମୁଫତି ଚାଲିବେ। ଏନେଇ କଂଗ୍ରେସ ତାଙ୍କୁ ନିମନ୍ତ୍ରଣ କରିଥିଲା। ସେ ମଧ୍ୟ ସୁନ୍ଦର ଭାରତ ପାଇଁ ରାହୁଲ ଗାନ୍ଧି କରୁଥିବା ଯାତ୍ରାରେ ସାମିଲ ହେବେ ବୋଲି ଘୋଷଣା କରିଛନ୍ତି।
ସେ କହିଛନ୍ତି, “ଆଜି ବିଧିବଦ୍ଧ ଭାବେ କଶ୍ମୀରରେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବାକୁ ନିମନ୍ତ୍ରଣ ମିଳିଛି। ରାହୁଲ ଗାନ୍ଧିଙ୍କ ଅଦମ୍ୟ ସାହାସ ଓ ଇଚ୍ଛା ଶକ୍ତିକୁ ସଲାମ। ଫାଶୀବାଦ ଫୋର୍ସ ବିରୋଧରେ ଲଢ଼େଇ କରୁଥିବା ଜଣେ ବ୍ୟକ୍ତିଙ୍କ ସହ ଛିଡ଼ା ହେବା ମୋର କର୍ତ୍ତବ୍ୟ ବୋଲି ମୁଁ ବିଶ୍ୱାସ କରେ। ସୁନ୍ଦର ଭାରତ ଗଠନ ପାଇଁ ସେ କରୁଥିବା ଯାତ୍ରାରେ ମୁଁ ନିଶ୍ଚିତ ଭାବେ ସାମିଲ ହେବି।”
ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ଜାନୁଆରୀ ୨୦ରେ ଜମ୍ମୁ-କଶ୍ମୀରେ ପହଞ୍ଚିବ। କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା କଶ୍ମୀରରେ ଶେଷ ହେବ। ତେଣୁ ଏଥିରେ ସାମିଲ ହେବାକୁ କଂଗ୍ରେସ ପକ୍ଷରୁ ନ୍ୟାଶନାଲ କନଫରେନ୍ସର ନେତା ଫାରୁକ ଅବଦୁଲ୍ଲା, ତାଙ୍କ ପୁଅ ଓମାର ଅବଦୁଲ୍ଲା ଓ ଅନ୍ୟ ବରିଷ୍ଠ ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଛି। ମୁଫତି କଂଗ୍ରେସର ନିମନ୍ତ୍ରଣ ରକ୍ଷା କରିଥିବା ବେଳେ ଅନ୍ୟମାନେ ମଧ୍ୟ ପଦଯାତ୍ରାରେ ସାମିଲ ହେବେ ବୋଲି ଜଣାପଡ଼ିଛି।