ପିତୃପକ୍ଷ ପିଣ୍ଡଦାନ! ଜାଣନ୍ତୁ ତ୍ରି-ଗୟା ଓ ଆଶ୍ୱିନ ମାସର ମହତ୍ତ୍ୱ
ପିତୃପକ୍ଷ, ପିତୃ ଉପାସନାର ପ୍ରକୃଷ୍ଟ ସମୟ । ଭାରତୀୟ ପୁରାଣ ଶାସ୍ତ୍ର ଅନୁସାରେ ଯମରାଜ ପୂର୍ବ ପୁରୁଷ ମାନଙ୍କୁ ଏହି ୧୫ ଦିନ ପାଇଁ ମୁକ୍ତ କରନ୍ତି । ଯାହାଫଳରେ ପିତୃପୁରୁଷ ମାନେ ପରିବାରରୁ ଶ୍ରଦ୍ଧାନୁଯାୟୀ ଖାଦ୍ୟ ଏବଂ ଜଳ ଗ୍ରହଣ କରି ସନ୍ତୁଷ୍ଟ ହୁଅନ୍ତି । ଏହି ଅବସରରେ ପିତୃପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ପିତୃପକ୍ଷରେ ପଞ୍ଚବଳି କର୍ମ କରାଯାଏ ।
ପୌରାଣିକ କଥାନୁସାରେ କର୍ଣ୍ଣ ମହାଦାନୀ ଥିଲେ । ଏଥିପାଇଁ ତାଙ୍କୁ ଯମପୁରରେ ଅନେକ ଉପହାର ଦିଆଯାଇଥିଲା । ହେଲେ କର୍ଣ୍ଣଙ୍କୁ ଖାଦ୍ୟ ଦିଆଯାଇନଥିଲା । କାରଣ ଜୀବିତାବସ୍ଥାରେ କର୍ଣ୍ଣ କେବେ ବି ଅନ୍ନ ଦାନ କରିନଥିଲେ । ତେଣୁ ସେ ଯମରାଜଙ୍କୁ ପ୍ରାର୍ଥନା କରି ମର୍ତ୍ତ୍ୟକୁ ଆସି ବ୍ରାହ୍ମଣ ଓ ଗରିବ ମାନଙ୍କୁ ଅନ୍ନଦାନ କରିଥିଲେ । ଯେଉଁ ସମୟରେ ସେ ଅନ୍ନଦାନ କରିଥିଲେ, ତାହା ଥିଲା ପିତୃପକ୍ଷ । ଗରୁଡ଼ ପୁରାଣ ଅନୁସାରେ, ଯେଉଁ ପୂର୍ବଜମାନେ ପୃଥିବୀରୁ ପରଲୋକ ଗମନ କରିଯାଇଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ସେମାନଙ୍କ ସନ୍ତାନସନ୍ତତି ପିତୃପକ୍ଷର ପ୍ରତ୍ୟେକ ଦିନ ଜଳ, ତିଳ ଓ ପୁଷ୍ପ ତର୍ପଣ କରିବା ଆବଶ୍ୟକ । ପିତରଙ୍କୁ ଜଳାର୍ପଣର ବିଧିକୁ ତର୍ପଣ କୁହାଯାଏ । ଏପରି କରିବା ଦ୍ୱାରା ପିତର ଜଳଗ୍ରହଣ କରି ତୃପ୍ତ ହୋଇଥାନ୍ତି । ତେବେ ପିଣ୍ଡଦାନ କରିବା ପାଇଁ ତ୍ରି-ଗୟାକୁ ସର୍ବୋତ୍ତମ କୁହାଯାଏ । ତ୍ରିଗୟା ହେଉଛି ସେହି ସ୍ଥାନ, ଯେଉଁଠାରେ ଗୟାସୁର ନାମକ ରାକ୍ଷସର ତିନିଗୋଟି ଅବୟବ ଯଥା ଶିର, ନାଭି ଓ ପାଦ ପଡ଼ିଥିଲା ।
ହିନ୍ଦୁଧର୍ମରେ ପ୍ରତ୍ୟେକ ମାସର ମହତ୍ତ୍ୱ ରହିଛି । ଏହି କ୍ରମରେ ଆଶ୍ୱିନ ମାସ ବହୁ ଗୁରୁତ୍ୱ ବହନ କରେ । ବିଭିନ୍ନ ମାସର ଅଧିପତି ଭାବରେ ଭଗବାନ ବିଷ୍ଣୁଙ୍କର ଭିନ୍ନ ଭିନ୍ନ ନାମ ରହିଛି । ସେହି ଅନୁସାରେ, ଆଶ୍ୱିନ ମାସର ଅଧିପତି ହେଉଛନ୍ତି ପଦ୍ମନାଭ । ଏହି ମାସରେ ପୂଜାପାଠ, ଦାନଧର୍ମ ଆଦି କଲେ ଅକ୍ଷୟ ପୁଣ୍ୟ ପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ । ମାସ ପ୍ରାରମ୍ଭରୁ ପିତୃପକ୍ଷରୁ ଆରମ୍ଭ ହୋଇଥାଏ । ଏହି ପକ୍ଷରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଓ ତର୍ପଣ ଦିଆଯାଏ । ବିଶ୍ୱାସ ରହିଛି ଯେ ଏହି ସମୟରେ ଶ୍ରାଦ୍ଧ ଦେଲେ ପିତୃପୁରୁଷଙ୍କୁ ମୋକ୍ଷ ମିଳିଥାଏ ଏବଂ ସେମାନେ ଆଶୀର୍ବାଦ ପ୍ରଦାନ କରନ୍ତି । ପିତୃଋଣ ପରିଶୋଧ କରିବା ଦୃଷ୍ଟିରୁ ଆଶ୍ୱିନ ମାସଟି ଗୁରୁତ୍ୱପୂର୍ଣ୍ଣ । ଏହି ମାସରେ ସାମର୍ଥ୍ୟ ଅନୁସାରେ ରାଶି ଓ ଘୃତ ଦାନ କଲେ ପୁଣ୍ୟ ମିଳିଥାଏ । ବିଶ୍ୱାସ ରହିଛି ଯେ, ଏହି ମାସରେ ଯଦି କୌଣସି ଦାନ କରାଯାଏ ତେବେ ଏହାର ଦ୍ୱିଗୁଣ ଫଳ ମିଳିଥାଏ । ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ କୁଆଁରୀ କନ୍ୟାମାନଙ୍କୁ ଧନ, ବସ୍ତ୍ର, ଭୋଜନ ଆଦି ଦାନ କଲେ ମନୋକାମନା ପୂର୍ଣ୍ଣ ହୋଇଥାଏ । ଏହି ମାସରେ କୌଣସି ମାଙ୍ଗଳିକ କାର୍ଯ୍ୟ ବିବାହ, ବ୍ରତ, ଗୃହ ପ୍ରବେଶ ଆଦି କାର୍ଯ୍ୟ କରିବା ଅଶୁଭ ବୋଲି କୁହାଯାଏ । ମାଂସାହାର ଓ ମଦ୍ୟପାନ ଏହି ମାସରେ କରିବା ଅନୁଚିତ । ସମସ୍ତ ପ୍ରକାର ବିକାର ତ୍ୟାଗ କରି ଈଶ୍ୱରଙ୍କ ଠାରେ ଆସ୍ଥା ରଖିଲେ ମୋକ୍ଷ ମିଳିଥାଏ ।