ସ୍ଥଗିତ ଥିବା ସ୍ଥାନରେ ପଞ୍ଚାୟତ ନିର୍ବାଚନ : ମେ’ ୨୭ରେ ମତଦାନ, ୨୮ରେ ଗଣତି
ଭୁବନେଶ୍ୱର : ନିର୍ବାଚନ ସ୍ଥଗିତ ଥିବା ସ୍ଥାନରେ ମେ’ ୨୭ରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ସ୍ଥଗିତ ରହିଥିଲା ନିର୍ବାଚନ । ଏ ନେଇ ଏପ୍ରିଲ ୨୬ରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇବ ।
ସେହିପରି ପଞ୍ଚାୟତ ନିର୍ବାଚନ ହେବା ସ୍ଥାନରେ ଆଜିଠାରୁ ଆଚରଣ ବିଧି ଲାଗୁ କରାଯାଇଛି । ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ସ୍ଥଗିତ ସ୍ଥାନରେ ପଞ୍ଚାୟତ ନିର୍ବାଚନ କରାଯିବ । ପୂର୍ବରୁ ନାମାଙ୍କନପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କୁ ପୁଣି ଥରେ ନାମାଙ୍କନପତ୍ର ଦାଖଲ କରିବା ଦରକାର ନାହିଁ । ଯେଉଁମାନେ ନୂତନ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କେବଳ ସେମାନେ ହିଁ ନାମାଙ୍କନପତ୍ର ଦାଖଲ କରିପାରିବେ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏପ୍ରିଲ ୨୯ରୁ ମେ ୫ ଯାଏଁ ନାମାଙ୍କନ ପତ୍ର ଦାଖଲ କରାଯିବ । ମେ ୪ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ, ମେ ୫ରେ ପ୍ରାର୍ଥୀପତ୍ର ତାଲିକା ପ୍ରକାଶ କରାଯିବ । ମେ ୭ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଓ ଚୂଡାନ୍ତ ପ୍ରାର୍ଥୀ ପତ୍ର ପ୍ରକାଶ ପାଇବ । ଏହାପରେ ୨୭ ମେ ସକାଳ ୭ଟାରୁ ଦିନ ୧ଟା ଯାଏଁ ଭୋଟ ଗ୍ରହଣ ହେବ । ୨୮ ମେରେ ଭୋଟ ଗଣତି ହେବାକୁ ଥିବା ବେଳେ ମେ ୩୧ରେ ବିଜୟୀ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ ।