ପାକିସ୍ତାନର ଯୁବ ଦ୍ରୁତ ବୋଲର ମହମ୍ମଦ ହସନେନଙ୍କ ବୋଲିଂ ଉପରେ ପ୍ରତିବନ୍ଧକ
ନୂଆଦିଲ୍ଲୀ : ପାକିସ୍ତାନର ଯୁବ ଦ୍ରୁତ ବୋଲର ମହମ୍ମଦ ହସନେନଙ୍କ ବୋଲିଂ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆଇସିସି ତାଙ୍କ ଉପରେ ଏହି ପ୍ରତିବନ୍ଧକ ଲଗାଇଛି । ଘଣ୍ଟା ପ୍ରତି ୧୫୦ କିଲୋମିଟରରୁ ଅଧିକ ବେଗରେ ବଲ କରୁଥିବା ଏହି ପାକିସ୍ତାନୀ ବୋଲରଙ୍କ ବେଆଇନ ବୋଲିଂ ଆକ୍ସନ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି ।
୨ ଜାନୁଆରୀ ରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଆଡିଲେଡ୍ ଷ୍ଟ୍ରାଇକର୍ସ ଏବଂ ସିଡନୀ ସିକ୍ସର୍ସ ମଧ୍ୟରେ ମ୍ୟାଚ୍ ବେଳେ ହସେନଙ୍କ ବୋଲିଂ ଆକ୍ସନ ସମ୍ପର୍କରେ ଅଭିଯୋଗ ହୋଇଥିଲା । ଏହା ପରେ ଲାହୋରରେ ତାଙ୍କର ଆକ୍ସନର ଯାଞ୍ଚ କରାଯାଇଥିଲା । ଅଷ୍ଟ୍ରେଲିଆରେ ଯାଞ୍ଚ ରିପୋର୍ଟକୁ ବିଶ୍ଳେଷଣ କରାଯାଇଥିଲା ଏବଂ ଏଥିରେ ତାଙ୍କ ବୋଲିଂ ଆକ୍ସନ ବେଆଇନ ବୋଲି ଜଣାପଡିଛି । ଏହା ଉପରେ ପରବର୍ତ୍ତୀ ଯାଞ୍ଚ ନ ସରିବା ପର୍ଯ୍ୟନ୍ତ ଆଇସିସି ତାଙ୍କୁ ବୋଲିଂ କରିବା ଉପରେ ପ୍ରତିବନ୍ଧକ ଲଗାଇଛି । ତେବେ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବେ କି ନାହିଁ ତାହା ସ୍ଥିର କରିବାକୁ ଆଇସିସି ଏହାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ହାତରେ ଛାଡି ଦେଇଛି । ଏହା ଉପରେ ପିସିବି ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ବୋଲିଂ କରିବାକୁ ଅନୁମତି ନଦେବାକୁ ନିଷ୍ପତ୍ତି ନେଇଛି ।
ପିସିବି ଏକ ବୟାନ ଜାରି କରି କହିଛି ଯେ ପିଏସଏଲ-୨୦୨୨ ର ଟେକ୍ନିକାଲ କମିଟିର ସୁପାରିଶ ଅନୁଯାୟୀ ପାକିସ୍ତାନ କ୍ରିକେଟ୍ ବୋର୍ଡ ମହମ୍ମଦ ହସେନଙ୍କ ଭବିଷ୍ୟତକୁ ଧ୍ୟାନରେ ରଖି ତାଙ୍କୁ ଏହି ଘରୋଇ ଲିଗରେ ବୋଲିଂ କରିବାକୁ ତାଙ୍କୁ ଅନୁମତି ଦିଆଯିବ ନାହିଁ । ଏହା ସହିତ ହସନେନଙ୍କ ବୋଲିଂ ଆକ୍ସନରେ ଉନ୍ନତି ଆଣିବା ପାଇଁ ପିସିବି ବୋଲିଂ ପରାମର୍ଶଦାତା ନିଯୁକ୍ତ କରିବା ବିଷୟରେ ମଧ୍ୟ ଆଲୋଚନା କରିଛି । ପିସିବି କହିଛି, ‘ମହମ୍ମଦ ହସନେନ ବର୍ତ୍ତମାନ ପିସିବି ଦ୍ୱାରା ନିଯୁକ୍ତ ବୋଲିଂ ପରାମର୍ଶଦାତାଙ୍କ ସହାୟତାରେ ନିଜ ବୋଲିଂ ଆକ୍ସନକୁ ପରିବର୍ତ୍ତନ କରିବେ ଏବଂ ଯଥାଶୀଘ୍ର ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ।’