ଅନାଥ କରିଦେଲା କରୋନା : ଭାଇ ! ତୁ ବ୍ୟସ୍ତ ହଅନା ତୋ ଭଉଣୀ ଅଛି…
ବାଲେଶ୍ୱର : ବାପାମାଆଙ୍କୁ ଛଡେଇ ନେଲା କରୋନା । ଅନାଥ ହେବା ପରେ ୭ବର୍ଷର କୁନି ଝିଅ କାନ୍ଧରେ ଦେଢ ମାସର ଭାଇର ଦାୟିତ୍ୱ । ଭାଇ ପାଇଁ ଭାଙ୍ଗିପଡିନି, ସାହାସ ଜୁଟାଇ କହୁଛି, ଭାଇ ! ତୁ ବ୍ୟସ୍ତ ହଅନା ତୋ ଭଉଣୀ ଅଛି…। ମୁଁ ତାର ସବୁ କିଛି । ଭାଇକୁ ପଢାଇବି, ଡାକ୍ତର କରିବି । କୁନିଝିଅ କ୍ରିଷ୍ଣାର କଥା କରୋନାର କରୁଣ କାହାଣୀ ଭିତରେ କନ୍ଦେଇ ଦେବ ।
ମହାମାରୀ କରୋନା ସାନଭାଇ ଓ ବୋହୂମା’କୁ ଛଡ଼ାଇ ନେଇଛି । ହେଲେ ଦେଢ଼ମାସର ଶିଶୁପୁତ୍ର ଓମ୍ ଏବଂ ସାତବର୍ଷର କୁନିଝିଅ କ୍ରୀଷ୍ଣା ଆମ ପାଖରେ ରହୁଛି । ବୋହୂମା’ ସ୍ମିତା ଚାଲିଗଲା ପରେ ସାନଭାଇ କମଳେଶ ତା’ର ଝିଅ-ପୁଅକୁ ଆମ ହାତରେ ସମର୍ପଣ କରି ସେ ମଧ୍ୟ ବୋହୂମା’ ହାତଧରି ଆରପାରିକୁ ସବୁଦିନ ଚାଲିଗଲା । ଆମେ ଧର୍ମଛଡ଼ା ହୋଇପାରିବୁ ନାହିଁ । ଅଭାବ ଅନାଟନ ରହିଲେ ବି ଦୁଇପିଲାର ଲାଳନପାଳନ, ଶିକ୍ଷା ଏବଂ ସେମାନଙ୍କ ଭବିଷ୍ୟତ ଦାୟିତ୍ୱ ଆମ କାନ୍ଧରେ ପଡ଼ିଛି । ଛୋଟପିଲା ଦୁହିଁଙ୍କୁ ଅନାଥ କହିଲେ ଆମ୍ଭମାନଙ୍କ ହୃଦୟରେ ସକ୍ତ ବ୍ୟଥା ଓ ବେଦନା ଦେଉଛି । ସେ ଆମ ଝିଅ-ପୁଅ । ସେମାନଙ୍କ ସୁଖଦୁଃଖରେ ଆମେ ସହଭାଗୀ । ଆମେ କେବେବି ଦୂରେଇ ଦେବୁ ନାହିଁ ବୋଲି ଆଖି ଛଳଛଳ ଓ କୋହଭରା କଣ୍ଠରେ କହିଛନ୍ତି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ନିମାତ୍ପୁର ଗାଁର ରାମନାରାୟଣ ପଣ୍ଡାଙ୍କ ବଡ଼ପୁଅ ଦେବାଶିଷ ପଣ୍ଡା ।
ସୂଚନା ଯେ, କଟକ କର୍କଟ ହସ୍ପିଟାଲରେ ଷ୍ଟାଫ ନର୍ସ ଭାବେ କାର୍ଯ୍ୟରତ କରୋନା ଯୋଦ୍ଧା ସ୍ମିତା (୨୮) ଗତ ୨ ତାରିଖରେ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ସ୍ୱାମୀ କମଳେଶ ଭୁବନେଶ୍ୱର ପୂର୍ବତଟ ରେଳପଥ କାର୍ଯ୍ୟାଳୟର ସେଫ୍ଟି ବିଭାଗର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ସ୍ତ୍ରୀଙ୍କ ମୃତ୍ୟୁରେ ଗଭୀର ଭାବେ ସେ ଭାଙ୍ଗି ପଡ଼ିଥିବା ବେଳେ ତାଙ୍କୁ ମଧ୍ୟ କରୋନା ଗ୍ରାସ କରିଥିଲା । ଦୁଇ ପିଲାଙ୍କୁ ଧରି ସେ ଗାଁକୁ ଫେରି ବୃଦ୍ଧ ବାପା ଏବଂ ବଡ଼ଭାଉଜ ଓ ଭାଇଙ୍କ ହାତରେ ଦୁଇପିଲାଙ୍କୁ ସମର୍ପି ଦେଇ ଗତ ୯ ତାରିଖରେ ସେ ମଧ୍ୟ ଆଖି ବୁଜିଦେଲେ । ମା’ କ୍ଷୀର ଖାଉଥିବା ଦେଢ଼ମାସର ଶିଶୁପୁତ୍ରକୁ ୭ବର୍ଷର କୁନିଝିଅ କ୍ରିଷ୍ଣା କେତେବେଳେ ବମା’ ଓ ବଡ଼ବାପା ଆଣିଦେଉଥିବା କ୍ଷୀରକୁ ଖୁଆଉଥିବା ବେଳ ନାନା ବାୟା ଗୀତ ଗାଇ ଦୋଳିରେ ଝୁଲାଇ ଭୁଲାଇ ଦେଉଥିବାର ଦୃଶ୍ୟ ଆଖିରେ ଦେଖୁଥିବା ବ୍ୟକ୍ତିଙ୍କ ହୃଦୟକୁ ଥରାଇ ଦେଉଛି । ନିମାତ୍ପୁର ଗାଁ ଦାଣ୍ଡ ସବୁଠି ଶୂନ୍ଶାନ୍ ଓ ନିଃସ୍ତବ୍ଧ ହୋଇଯାଇଥିବା ବେଳେ ବୋହୂ-ପୁତ୍ରକୁ ହରାଇଥିବା ଗରୀବ ଅବସରପ୍ରାପ୍ତ ବୃଦ୍ଧ ଶିକ୍ଷକ ରାମନାରାଣ ପଣ୍ଡା ସରକାରଙ୍କୁ ସାହାଯ୍ୟ ନିମନ୍ତେ ଲୁହଭରା ଆଖିରେ ଗୁହାରି କରିଛନ୍ତି । ମହାମାରୀ କରୋନାର ନୀରବ ହୃଦୟ ବିଦାରକ ଦୃଶ୍ୟ ଗଣମାଧ୍ୟମରେ ପ୍ରଚାର ପରେ ବାଲେଶ୍ୱର ଜିଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ ସେଠାକୁ ଯାଇ ମା’-ବାପା ଛେଉଣ୍ଡ ଦୁଇପିଳାର ସମସ୍ତ ଦାୟିତ୍ୱ ନେବାକୁ ପରିବାରକୁ ଆଶ୍ୱାସନା ଦେବା ସହିତ ରେଡ଼କ୍ରସ୍ ପକ୍ଷରୁ ୧୦ହଜାର ଟଙ୍କା ଅନୁଦାନ ଦେବା ସହ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବାକୁ ପ୍ରକ୍ରିୟା କରାଯିବାକୁ କହିଥିଲେ । ବୁଧବାର ଜିଲା କଂଗ୍ରେସ ଓ ଭୋଗରାଇ କଂଗ୍ରେସ ଶାଖା ପକ୍ଷରୁ ଶୋକସନ୍ତପ୍ତ ପରିବାରବର୍ଗକୁ ସାକ୍ଷାତ ସହ ଦୁଇ କଅଁଳ ପିଲାର ଭବିଷ୍ୟତ ଦାୟିତ୍ୱ ନେବାର ପ୍ରତିଶ୍ରୁତି ଦେଇଥିଲେ । ଅପରପକ୍ଷରେ ରେଳବିଭାଗ ପକ୍ଷରୁ ଦୁଇ ପିଳାଙ୍କ ନାମରେ ଦଶ-ଦଶ ଲକ୍ଷ କରି ଅନୁକମ୍ପା ମୂଳକ ସହାୟତା ସହ ପିଲା ବଡ଼ ହେଲେ ଜଣଙ୍କୁ ରେଳ ବିଭାଗରେ ଚାକିରୀ ଦେବାର ବିଭାଗୀୟ ପକ୍ଷରୁ କୁହାଯାଇଥିବାର ପରିବାରର ମୁଖ୍ୟ ପ୍ରକାଶ କରିଥିଲେ । ୭ବର୍ଷର ଝିଅ କ୍ରିଷ୍ଣା ନିଜେ ପାଠ ପଢ଼ିବା ସହିତ ସାନଭାଇଙ୍କୁ ପାଠ ପଢ଼ାଇ ଭଲ ମଣିଷ ଗଢ଼ି ତୋଳିବ ବୋଲି କହିଛି । ବଡ଼ମା’, ବଡ଼ବାପା ଓ ଜେଜେବାପାଙ୍କ ପାଖରେ ସାନଭାଇ ରହିବ ଏବଂ ସେ ବାହାରକୁ ପାଠ ପଢ଼ିବାକୁ ଯିବ ବୋଲି କ୍ରିଷ୍ଣା କହିଛି ।